ଭୁବନେଶ୍ୱର : ଆଜି ଭରତ ରତ୍ନ ଲତା ମଙ୍ଗେଶକରଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀ I କିମ୍ବଦନ୍ତୀ ଗାୟିକା ଲତା ୨୦୨୨ ଜାନୁୟାରୀରେ କରୋନାରେ ସଂକ୍ରମିତ ହୋଇ ମୁମ୍ବଇସ୍ଥିତ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଭେଣ୍ଟିଲେଟରରେ ଥିବା ଲତାଜୀ ଫେବୃୟାରୀ ୬ ତାରିଖରେ ସବୁଦିନ ପାଇଁ ଆଖି ବୁଜିଥିଲେ । ରାଷ୍ଟୀୟ ମର୍ଜ୍ୟାଦା ସହିତ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା । ସେ ତାଙ୍କ ଜୀବନ କାଳ ମଧ୍ୟରେ ୫୦ ହଜାରରୁ ଅଧିକ ଗୀତ ଗାଇଛନ୍ତି । ସେ ସଙ୍ଗୀତ ଦୁନିଆର ଥିଲେ ସର୍ବୋଚ୍ଚ ଗିରି ଶୃଙ୍ଗ I ସଂଗୀତ ଜଗତରେ ଏପରି କୌଣସି ସମ୍ମାନ ନଥିଲା ଯାହାକୁ ସେ ପାଇ ନଥିଲେ I
ଆଜି ଲତାଙ୍କ ପ୍ରଥମ ପୂଣ୍ୟତିଥି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ର କୂଳରେ ଏକ ସୁନ୍ଦର ବାଲୁକା କଳା ତିଆରି କରି ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ୬ ଫୁଟର ବାଲୁକା କଳା ନିର୍ମାଣ କରିଛନ୍ତି ସୁଦର୍ଶନ ପଟ୍ଟନାୟକ। ଲତା ମଙ୍ଗେସକରଙ୍କ ପ୍ରତିକୃତି ସହ ଗ୍ରାମଫୋନ୍ ଏକ ପ୍ରତିକୃତି ଏହି ବାଲୁକା ଚିତ୍ରକଳା ରେ ଦେଖି ବାକୁ ମିଳିଛି। ‘ମେରୀ ଆବାଜ ହିଁ ମେରୀ ପେହେଚାନ ହେ’ ଉକ୍ତ ବାଲୁକା ଚିତ୍ର କଳା ରେ ଲେଖାଯାଇଛି। ଲତIଜୀଙ୍କ ଦେହାନ୍ତ ପରେ ତାଙ୍କ ସୁନ୍ଦର ଗୀତ ତାଙ୍କୁ ଏବେ ବି ଅମର କରି ରଖିଛି। କେବଳ ଭାରତ କାହିଁକି ବିଦେଶ ରେ ମଧ୍ୟ ଲତାଙ୍କ କୋଟି କୋଟି ପ୍ରଶଂସକ ରହିଛନ୍ତି।
ଲତା ମଙ୍ଗେଶକର ୨୮ ସେପ୍ଟେମ୍ବର ୧୯୨୯ ରେ ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଜଣେ ପ୍ରସିଦ୍ଧ ମରାଠୀ ଥିଏଟର କଳାକାର ସହିତ ମରାଠୀ ଏବଂ କୋଙ୍କଣୀ ସଂଗୀତଜ୍ଞ ତଥା ଶାସ୍ତ୍ରୀୟ ଗାୟକ ଥିଲେ I ଲତା ମଙ୍ଗେଶକରଙ୍କ ପିଲାଦିନର ନାମ ହେମା ଥିଲା ଏବଂ ସେ ତାଙ୍କର ପାଞ୍ଚ ଭାଇଭଉଣୀଙ୍କ ମଧ୍ୟରୁ ଜ୍ୟେଷ୍ଠ ଥିଲେ I
ଲତା ମଙ୍ଗେଶକର ୯ ବର୍ଷ ବୟସରେ ତାଙ୍କର ପ୍ରଥମ ଅଭିନୟ ଦେଇଥିଲେ I କୁହାଯାଏ ଯେ ଅଭିନୟ ପରେ ଲତାଜୀ ତାଙ୍କ ବାପାଙ୍କ କୋଳରେ ଶୋଇପଡିଥିଲେ।
୧୩ ବର୍ଷ ବୟସରେ ଲତା ଜୀ ତାଙ୍କର ପ୍ରଥମ ରେକର୍ଡିଂ କରିଥିଲେ I କିନ୍ତୁ ଲତାଜୀ ଯେଉଁ ଚଳଚ୍ଚିତ୍ର ପାଇଁ ଗୀତ ରେକର୍ଡ କରିଥିଲେ, ସେହି ଫିଲ୍ମ ଏବଂ ଗୀତ କେବେବି ରିଲିଜ୍ ହୋଇନଥିଲା I
ଲତା ମଙ୍ଗେଶକରଙ୍କ ବାପାଙ୍କ ଦେହାନ୍ତ ପରେ ଘରର ଦାୟିତ୍ୱ ଲତାଜୀଙ୍କ ଉପରେ ପଡିଲା। ପରିବାରର ଦାୟିତ୍ୱ ସମ୍ଭାଳିବା ପାଇଁ ସେ ବୃତ୍ତିଗତ ଭାବରେ ଚଳଚ୍ଚିତ୍ରରେ ଗୀତ ଗାଇବା ଆରମ୍ଭ କରିଥିଲେ। ଗୀତ ‘ନତାଲି ଚୈତ୍ରIଚି ନାଭାଲାଇ’ତାଙ୍କର ପ୍ରଥମ ଗୀତ ଥିଲା ଏବଂ ଏଥିପାଇଁ ସେ ସେତେବେଳେ ୨୫ ଟଙ୍କା ପାରିଶ୍ରମିକ ନେଇଥିଲେ I
ଲତାଜୀ ୧୯୪୮ ମସିହାରେ ମାଷ୍ଟର ହାଇଦର ଅଲି ସିନେମାରେ ପ୍ରଥମ ଚଳଚ୍ଚିତ୍ର ବ୍ରେକ୍ ପାଇଥିଲେ I ମଜବୁର ଫିଲ୍ମରେ ଦୁଇଟି ଗୀତ ଗାଇଥିଲେ ଲତା, ଯାହା ତାଙ୍କ କ୍ୟାରିଅର ପାଇଁ ଏକ ମାଇଲଷ୍ଟୋନ ଥିଲା I
ଲତା ମଙ୍ଗେଶକର ନିଜ କ୍ୟାରିଅରରେ ପ୍ରଥମ ଫିଲ୍ମ ଫେୟାର ପୁରସ୍କାର ୧୯୫୮ ରେ ପାଇଥିଲେ I ତାଙ୍କୁ ‘ମଧୁମତି’ ସିନେମାରେ ଗୀତ ‘ଆ ଯା ରେ ପରଦେଶୀ..’ପାଇଁ ଏହି ପୁରସ୍କାର ମିଳିଥିଲା I
ଲତା ମଙ୍ଗେଶକର ତାଙ୍କର ସଫଳ ଗାୟକ କ୍ୟାରିୟର ସହିତ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ I ସେ ସଂଗୀତ ନିର୍ଦ୍ଦେଶକ ଭାବରେ ମରାଠୀ ଚଳଚ୍ଚିତ୍ର ‘ରାମ ରାମ ପାଭାନେ’ କରିଥିଲେ। ଏହା ପରେ ସେ ଅନ୍ୟାନ୍ୟ ମରାଠୀ ଚଳଚ୍ଚିତ୍ରରେ ମଧ୍ୟ ସଙ୍ଗୀତ ନିର୍ଦେଶନା ଦେଇଥିଲେ I
୧୯୯୦ ରେ ଲତା ମଙ୍ଗେଶକର ତାଙ୍କ ନିଜ ପ୍ରଡକ୍ସନ ହାଉସ ଆରମ୍ଭ କରିଥିଲେ I କିନ୍ତୁ ସେ କେବଳ ଗୋଟିଏ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ଯାହାର ନାଁ ଥିଲା ‘ଲେକିନ’ I
ଲତା ମଙ୍ଗେଶକର ୧୯୬୯ – ପଦ୍ମ ଭୂଷଣ, ୧୯୮୯ – ଦାଦାସାହେବ ଫାଲକେ ପୁରସ୍କାର, ୧୯୯୯ – ପଦ୍ମବିଭୂଷଣ, ୨୦୦୧ – ଭାରତ ରତ୍ନ, ୨୦୦୮ – ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର ପାଇଥିଲେ I

Comments are closed.