ଭୁବନେଶ୍ୱର : ରାଜଧାନୀରୁ ମହିଳାଙ୍କୁ ଅପହରଣର ପର୍ଦାଫାଶ I ଅପହରଣ ଘଟଣାରେ ୨୪ ଘଣ୍ଟା ଭିତରେ ଅପହୃତାଙ୍କୁ ଉଦ୍ଧାର କରିଛି କମିଶନରେଟ ପୋଲିସ I ଆଜି ଭୋର ମହିଳାଙ୍କୁ ଉଦ୍ଧାର କରିଛି ଚନ୍ଦକା ପୋଲିସ I ତାଙ୍କ ସହିତ ତାଙ୍କ ପୁରୁଷ ବନ୍ଧୁଙ୍କୁ ବି ଉଦ୍ଧାର କରିଛି ପୋଲିସ I ପ୍ରେମ ବ୍ୟାପାରକୁ ନେଇ ମହିଳା ନିଜେ ରଚିଥିଲେ ନାଟକ I ଗତକାଲି ଏହି ଚାଞ୍ଚଲ୍ୟକର ଅପହରଣ ଘଟଣା ଘଟିଥିଲା କଳିଙ୍ଗନଗର କେ-୭ ଅଞ୍ଚଳରେ। ତେବେ ଅପହରଣକାରୀମାନେ ମହିଳାଙ୍କ ମୁଣ୍ଡ ଜାମିନ ରଖି ତାଙ୍କ ପରିବାରକୁ କୋଟିଏ ଟଙ୍କା ଦାବି କରିଥିଲେ I ଏନେଇ ଗତକାଲି ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ ମହିଳାଙ୍କ ବାପା I ଏହାପରେ ଏକ ୬ ଜଣିଆ ଟିମ ଗଠନ କରି ତଦନ୍ତ ଚଳାଇଥିଲା କମିଶନରେଟ ପୋଲିସ I ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ କରି ମହିଳାଙ୍କ ସହିତ ତାଙ୍କ ପୁରୁଷ ବନ୍ଧୁଙ୍କୁ ଉଦ୍ଧାର କରିଛି I
ସୂଚନାନୁସାରେ,କଳିଙ୍ଗନଗର କେ-୭ ଅଞ୍ଚଳରେ ଥିବା ଟ୍ରାଇଡେଣ୍ଟ ଗ୍ୟାଲେକ୍ସିସ୍ଥିତ ଆପାର୍ଟମେଣ୍ଟରେ ନିଜ ବାପା,ମା’ଙ୍କ ସହ ରହୁଥିଲେ ଅପହୃତା ମହିଳା I ତେବେ ସେ ବିବାହିତ ଥିବା ବେଳେ ଗତ ୨ ଵର୍ଷ ହେବ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ନିଜ ବାପ ଘରେ ରହୁଛନ୍ତି I ମହିଳାଙ୍କ ସ୍ୱାମୀ ଆମେରିକାରେ ରହନ୍ତି I ଇତି ମଧ୍ୟରେ ଅନ୍ୟ ଜଣଙ୍କ ସହିତ ମହିଳାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା I ତେବେ ତାଙ୍କ ପରିବାର ଏହାକୁ ବିରୋଧ କରୁଥିଲେ I ଏହାପରେ ବୁଧୁବାର ସନ୍ଧ୍ୟାରେ ମହିଳା ଜଣଙ୍କ କୌଣସି କାମରେ ଘରୁ ବାହାରକୁ ଯାଇଥିଲେ I ରାତି ଯାଏଁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଯୋଗାଯୋଗ କରିଥିଲେ I ଏହି ସମୟରେ ତାଙ୍କ ଫୋନ ସୁଇଚ ଅଫ ଆସିଥିଲା I ଏହପାରେ ବେଙ୍ଗାଲୁରୁରେ ରହୁଥିବା ତାଙ୍କ ଭାଇଙ୍କ ପାଖକୁ କେହି ଜଣେ ଫୋନ କରି ତାଙ୍କ ଭଉଣୀଙ୍କୁ ଅପହରଣ କରାଯାଇଥିବା କଥା କହିଥିଲା ଏବଂ ଭଉଣୀର ମୁଣ୍ଡ ଜାମିନ ପାଇଁ କୋଟିଏ ଟଙ୍କା ଦାବି କରିଥିଲା I ଭାଇ ଏ କଥା ଘରେ ଜଣାଇବା ପରେ ମହିଳାଙ୍କ ବାପା ଚନ୍ଦକା ଥାନାରେ ଏନେଇ ଏତଲା ଦେଇଥିଲେ I ଚନ୍ଦକା ଥାନା ଅଧିକାରୀ ତୁରନ୍ତ ପୁଲିସ କମିସନର ଓ ଡିସିପିଙ୍କୁ ଜଣାଇଥିଲେ। ଅପହରଣ ଓ ମୁଣ୍ଡଜାମିନ କଥା ଜାଣିବା ପରେ ତୁରନ୍ତ ସିପି ଶ୍ରୀ ପଣ୍ଡା ୬ଟି ଟିମ୍ ଗଠନ କରି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି ଏହି ଘଟଣା ଉପରୁ ପରଦା ଉଠାଇଛି I

Comments are closed.