ଶ୍ରାବଣ ମାସରେ ଆରମ୍ଭ ହେଉଥିବା ବୋଲବମ୍ ଯାତ୍ରା ଭକ୍ତି, ଶ୍ରଦ୍ଧା ଓ ବିଶ୍ୱାସର ପ୍ରତୀକ । ଧାର୍ମିକ ମାନ୍ୟତା ଅନୁସାରେ କଳସୀରେ ଜଳ ଭରି ଏହିଦିନ କାଉଡିଆମାନେ ଶିବଙ୍କୁ ଜଳଲାଗି କରିବା ଲାଗି ଶହ ଶହ କୋଷ ଖାଲି ପାଦରେ ଯାତ୍ରା କରିଥାନ୍ତି । ପୌରାଣିକ ମତବାଦ ଅନୁଯାୟୀ ଶ୍ରବଣ କୁମାର ଏହି ସମୟରେ ନିଜର ଦୃଷ୍ଟିହୀନ ପିତାମାତାଙ୍କୁ କାନ୍ଧରେ ବସାଇ ତୀର୍ଥ କରାଇଥିଲେ । ତେବେ କଳି ଯୁଗରେପୁରାଣର ପୁନରାବୃତ୍ତି କରିଛନ୍ତି ଗାଜିଆବାଦର ବିକାଶ ଗେହଲଟ ।
ବିକାଶ ପିତାମାତାଙ୍କୁ କାନ୍ଧରେ ବସାଇ ଖାଲି ପାଦରେ ଚାଲି ଚାଲି ହରିଦ୍ୱାରରେ ପହଞ୍ଚିଛନ୍ତି । ପିତାମାତା କାଳେ ତାଙ୍କର ଯନ୍ତ୍ରଣା ଦେଖି ସହ୍ୟ କରି ନ ପାରିବେ ସେଥିପାଇଁ ସେ ସେମାନଙ୍କ ଆଖିରେ କପଡା ପଟି ବାନ୍ଧି ଦେଇଛନ୍ତି । ଖରା ଓ ବର୍ଷାକୁ ଖାତିର ନ କରି ପିତାମାତାଙ୍କୁ କାନ୍ଧରେ ବସାଇ ବିକାଶ ଯେପରି ଭଗବାନ ଶିବଙ୍କ ଜଳାଭିଷେକ କରାଇବାକୁ ବାହାରିଛନ୍ତି ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ସମସ୍ତେ ତାଙ୍କୁ କଳି ଯୁଗର ଶ୍ରବଣ କୁମାର ବୋଲି କହୁଛନ୍ତି ।
ବିକାଶ କହିଛନ୍ତି ତାଙ୍କ ମାତାପିତାଙ୍କର ବୋଲବମ୍ ଯାତ୍ରା କରିବାର ଇଚ୍ଛା ଥିଲା କିନ୍ତୁ ବୟସାଧିକ୍ୟ କାରଣରୁ ସେମାନଙ୍କ ପକ୍ଷେ ଏହା ସମ୍ଭବ ହୋଇପାରୁ ନ ଥିଲା । କରୋନା କାରଣରୁ ୨ ବର୍ଷ ବୋଲବମ୍ ଯାତ୍ରା ବନ୍ଦ ଥିବାରୁ ସେ ଏହା କରିପାରି ନ ଥିଲେ । କିନ୍ତୁ ଚଳିତ ବର୍ଷ ଯାତ୍ରା ପାଇଁ ସରକାରଙ୍କ ପକ୍ଷରୁ ସ୍ୱୀକୃତି ମିଳିବା ପରେ ସେ ମାତାପିତାଙ୍କ ଇଚ୍ଛା ପୂରଣ ପାଇଁ ବାହାରି ପଡିଛନ୍ତି ।

Comments are closed.