ୟୁନେସ୍କୋ ଓ ଏଜୁକେସନ ଇରନେସନାଲ ଆନୁକୂଲ୍ୟରେ ୧୯୯୪ରୁ ପ୍ରତିବର୍ଷ ଅକ୍ଟୋବର ୫ରେ ବିଶ୍ୱ ସ୍ତରରେ ପାଳିତ ହେଉଛି ଅନ୍ତର୍ଜାତୀୟ ଶିକ୍ଷକ ଦିବସ । ଭବିଷ୍ୟତର ପିଢ଼ିକୁ ଗଢ଼ିବାରେ ଶିକ୍ଷକ ସମାଜର ଅବଦାନକୁ କେହି ଅସ୍ୱୀକାର କରିପାରିବେନାହିଁ । ତେଣୁ ଶିକ୍ଷକ ମାନଙ୍କ ସମ୍ମାନର୍ଥେ ଶହେରୁ ଅଧିକ ଦେଶରେ ଏହି ଦିବସ ପାଳନ କରାଯାଉଛି । ଶିକ୍ଷା ପରମ୍ପରାରେ ଅତିବ ଗୁରୁତ୍ୱପୂର୍ଣ୍ଣ ଭାବେ ଗୁରୁ ପରମ୍ପରାର ଏକ ବିଶେଷ ନୀତିବାଚକ ଦିଗ ହେଉଛି ଯେ ଗୁରୁ ଯଦି ଠିକ୍ ନ ହୁଅନ୍ତି ତାହାହେଲେ ତାଙ୍କର ଦୋଷଗୁଡ଼ିକୁ ଶିଷ୍ୟମାନେ ର୍ନିବିଚାରରେ ଅନୁସରଣ କରି ପତନାଭିମୁଖୀ ହୁଅନ୍ତି । ଏହିପରି ବହୁ ଭଣ୍ଡ ଓ ଛଦ୍ମବେଶୀ ଗୁରୁମାନେ ସମାଜରେ ତାଙ୍କର ପ୍ରତିପତ୍ତି ବିସ୍ତାର କରି ଚାଲିଛନ୍ତି । ପ୍ରକୃତ ଗୁରୁ ଯିଏ ସେ ନିଜର ସ୍ୱାର୍ଥକୁ ଅନ୍ୟର ସ୍ୱାର୍ଥ ଠାରୁ ଅଲଗା କରି ଭାବି ପାରନ୍ତି ନାହିଁ । ସବୁ ସମୟରେ ତାଙ୍କର ବୁଦ୍ଧି ଥାଏ ମଣିଷକୁ ବଡ କରି ତୋଳିବା । ଗୁରୁ ନିର୍ବାଚନରେ ଚାରୋଟି ଜିନିଷ ବିଶେଷ କରି ଦେଖିବାକୁ ହୁଏ । ପ୍ରଥମତଃ ଦେଖିବାକୁ ହୁଏ – ପୂର୍ବତନ ପ୍ରାଜ୍ଞ ଆଚାର୍ଯ୍ୟମାନଙ୍କର ଧାରା ସହିତ ତାଙ୍କର ସାମଞ୍ଜସ୍ୟ ଅଛି କି ନାହିଁ? ଦ୍ୱିତୀୟତଃ ଦେଖିବାକୁ ହୁଏ – ସେ ବୈଶିଷ୍ଟ୍ୟର ପରିପାଳନ ଓ ପରିପୋଷଣ କରି ଚାଲନ୍ତି କି ନାହିଁ? ତୃତୀୟତଃ ଦେଖିବାକୁ ହୁଏ ତାଙ୍କର ଗୁରୁନିଷ୍ଠା କିପରି? ଗୁରୁ ନିଷ୍ଠାର ଲକ୍ଷଣ ହେଲା ଆତ୍ମପ୍ରତିଷ୍ଠାରେ ଔଦାସିନ୍ୟ ଓ ଗୁରୁଙ୍କ ପ୍ରତିଷ୍ଠାରେ ଉଦଗ୍ର ଆଗ୍ରହ । ଆଉ ଚତୁର୍ଥ ଜିନିଷ ହେଲା – ଗୁରୁଙ୍କ କଥା ଓ କାମରେ ସଙ୍ଗତି । ମଣିଷ ଯାହା କହେ ତାହା ଯଦି ନିଜେ ଆଚରଣ ନ କରେ, ତାହାହେଲେ ସେଠାରେ ସନ୍ଦେହର ଅବକାଶ ଅଛି । ତେବେ ମୂଳଗୁଡିକ ଯଦି ଠିକ୍ ନଥାଏ କେବଳ କଥାରେ – କାମରେ ମେଳ ବା ସାମଞ୍ଜସ୍ୟ ରହିଲେ ମଧ୍ୟ ସେ କିନ୍ତୁ ଅନୁସରଣଯୋଗ୍ୟ ବା ଗୁରୁ ପଦବାଚ୍ୟ ନୁହଁନ୍ତି । ବିଭିନ୍ନ ବ୍ୟକ୍ତିଙ୍କର ବିଭିନ୍ନ ରୁଚି, କାହାର ବିଜ୍ଞାନ ଦିଗକୁ ଆକର୍ଷଣ, କାହାର ଦର୍ଶନ ଦିଗକୁ, କାହାର ସାହିତ୍ୟ ଦିଗକୁ, କାହାର ବ୍ୟବସାୟ-ବାଣିଜ୍ୟ ଦିଗକୁ, କାହାର କୃଷି ଦିଗକୁ, କାହାର ସାହିତ୍ୟ ଦିଗକୁ, କାହାର ସଙ୍ଗୀତ-ବାଦ୍ୟ ଦିଗକୁ, କିମ୍ବା କାହାର ସାଧନା-ତପସ୍ୟା ଦିଗକୁ, ଏହି ବିଭିନ୍ନ ପ୍ରକାର ବ୍ୟକ୍ତିଙ୍କୁ ଯିଏ ବିହିତ ଭାବରେ ସମାଦର ଓ ସମାବେଶ କରି ଉଦ୍ବର୍ଦ୍ଧନ ଦିଗକୁ ପ୍ରେରଣା ଓ ନିର୍ଦ୍ଦେଶ ଦେଇପାରନ୍ତି, ସେ ହିଁ ସମଷ୍ଟି ବ୍ୟକ୍ତିତ୍ୱ ସମ୍ପନ୍ନ ଗୁରୁ ବା ଗୁରୁ-ପୁରୁଷୋତ୍ତମ । ଜାତି, ଧର୍ମ, ବର୍ଣ୍ଣ ଓ ପ୍ରକୃତି ନିର୍ବିଶେଷରେ ଯାହାଙ୍କ ପାଖରେ ପ୍ରତ୍ୟେକଙ୍କ ସମର୍ଦ୍ଧନୀ ଆଶ୍ରୟ ରହିଛି ସେ ହିଁ ପ୍ରକୃତ ଗୁରୁ ।
ପ୍ରଫେସର ଡା. ଉମେଶ ଚନ୍ଦ୍ର ପାତ୍ର
ମୋ : ୯୪୩୭୦୫୧୯୫୭
