ସାଧାରଣ ଜୀବନରେ କାହାକୁ ଗାଳି ଦେବା ଏକ ଖରାପ କଥା ହୋଇଥାଏ । ଯଦି କେହି କାହାକୁ ଗାଳି ଦେଉଥାଏ ତେବେ ତାକୁ ଅନ୍ୟମାନେ ତାଗିଦ କରିଥାଆନ୍ତି ଏପରି ନ କରିବାକୁ । ହେଲେ ନିକଟରେ ଅଷ୍ଟ୍ରେଲିଆର ଏକ ରେସ୍ତୋରାଁ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ରେସ୍ତୋରାଁରେ ଗ୍ରାହକଙ୍କୁ ଗାଳି ଦେଇ ଖାଇବା ପରଷା ଯାଉଛି । ରେସ୍ତୋରାଁର ନାଁ ରହିଛି କରେନ ଡିନର । ଏଠାରେ ଗ୍ରାହକଙ୍କୁ ଅପମାନ ଦିଆଯାଇ ମେନ୍ୟୁକାର୍ଡ ତାଙ୍କ ମୁହଁକୁ ଫୋପଡା ଯାଇଥାଏ । ଏହାସହ ଏଠାରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ମଧ୍ୟ ଯେଉଁ ଟୋପି ପିନ୍ଧିଥାଆନ୍ତି ସେଥିରେ ଗାଳି ଲେଖା ଯାଇଥାଏ । ଏହାକୁ ସୋସିଆଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ମିଳୁଥିବା ଦେଖିବାକୁ ମିଳୁଛି । କିଛି ଲୋକ ଏହାକୁ ପସନ୍ଦ କରୁଥିବାବେଳେ କିଛି ଲୋକ ନାପସନ୍ଦ କରୁଥିବା ଦେଖିବାକୁ ମିଳିଛି । କିନ୍ତୁ ଏଠାକୁ ଖାଇବାକୁ ଆସୁଥିବା ଗ୍ରାହକ କେବେ ଏହାକୁ ନେଇ କୌଣସି ଅଭିଯୋଗ କରିଥିବାର ସୂଚନା ନାହିଁ ।
