ପକ୍ଷୀ ସହ ଧକ୍କା ହେବା ଯୋଗୁଁ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନର ଜରୁରୀ ଅବତରଣ । ପକ୍ଷୀ ସହ ଧକ୍କା ହେବାରୁ ପାଟନାରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ୫୦୦୯ ନମ୍ବର ବିମାନଟି ପୁଣି ଥରେ ପାଟନା ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି । ବିମାନରେ ୧୬୯ ଜଣ ଯାତ୍ରୀ ଥିଲେ, ସମସ୍ତେ ସୁରକ୍ଷିତ ଭାବରେ ବିମାନବନ୍ଦରରେ ଅବତରଣ କରିଥିବା ସୂଚନା ମିଳିଛି । ବର୍ତ୍ତମାନ ବିମାନକୁ ମରାମତି କରିବା ପାଇଁ ପ୍ରୟାସ ଜାରି ରହିଛି । ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ନିଶ୍ଚିତ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଛି ।

ସୂଚନାନୁସାରେ,ଆଜି ସକାଳ ପ୍ରାୟ ୯ :୩୦ରେ ଇଣ୍ଡିଗୋ ୫୦୦୯ ନମ୍ବର ବିମାନଟି ୧୬୯ ଜଣ ଯାତ୍ରୀଙ୍କୁ ନେଇ ପାଟନା ଜୟ ପ୍ରକାଶ ନାରାୟଣ ଅନ୍ତର୍ଜାତୀୟ ବିମାନବନ୍ଦରୁ ନୂଆଦିଲ୍ଲୀ ଅଭିମୁଖେ ଉଡ଼ାଣ କରିଥିଲା। ମାତ୍ର ଉଡ଼ାଣ ଭରିବାର କିଛି ମିନିଟ୍ ପରେ, ବିମାନଟି ପ୍ରାୟ ୩ ରୁ ୪ ହଜାର ଫୁଟ ଉଚ୍ଚରେ ଥିବାବେଳେ ଏକ ପକ୍ଷୀ ସହିତ ଧକ୍କା ହୋଇଥିଲା। ଫଳରେ ବିମାନଟିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ପାଇଲଟ୍ ତୁରନ୍ତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର୍ (ATC) ସହିତ ଯୋଗାଯୋଗ କରି ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ମାଗିଥିଲେ । ସକାଳ ୧୦ :୦୦ ରେ ବିମାନଟି ସୁରକ୍ଷିତ ଭାବରେ ପାଟନା ବିମାନବନ୍ଦରରେ ଅବତରଣ କରାଯାଇଥିଲା । ବିମାନରେ ସମସ୍ତ ଯାତ୍ରୀ ଏବଂ କୃ ସଦସ୍ୟ ସୁରକ୍ଷିତ ଅଛନ୍ତି, କିନ୍ତୁ ବିମାନଟି କ୍ଷତିଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ଇଞ୍ଜିନିୟରମାନେ ପହଞ୍ଚି ବିମାନକୁ ମରାମତି କରୁଛନ୍ତି ।

Govt

Comments are closed.