ଭୁବନେଶ୍ୱର : ଆୟ ବହିର୍ଭୁକ୍ତ ସମ୍ପତ୍ତି ଠୁଳ ମାମଲାରେ ବନ୍ଧାହେଲେ ଜଗତସିଂହପୁରର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲ । ଗତକାଲି ଅପରାହ୍ନରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲେ ମଧ୍ୟ ଜାମିନ ନାମଞ୍ଜୁର ହେବାରୁ ଚିତ୍ତରଞ୍ଜନଙ୍କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି। ଆସନ୍ତା ଜାନୁଆରି ୧୦ ତାରିଖ ପର୍ଯ୍ୟନ୍ତ ସେ ବିଚାରବିଭାଗୀୟ ହାଜତରେ ରହିବେ ବୋଲି ଜଣାପଡ଼ିଛି।
ସୂଚନାନୁସାରେ ଗତ ବୁଧୁବାର ଦିନ ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ଜଗତସିଂହପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଜଗତସିଂହପୁର ସହରରେ ଥିବା ଭଡ଼ାଘର, ଭୁବନେଶ୍ବରରେ ଦୁଇଟି ଫ୍ଲାଟ୍, ବାଲେଶ୍ବରରେ ଦୁଇଟି ଫ୍ଲାଟ୍, ବାଲିଆପାଳ ନଈଘାଟିରେ ଥିବା ପୈତୃକ ଘର, ସୋନପୁରରେ ଥିବା କୋଠା ସମେତ ୯ଟି ଜାଗାରେ ଏକକାଳୀନ ଚଢ଼ଉ କରାଯାଇଥିଲା । ତାଙ୍କଠାରୁ ବିପୁଳ ପରିମାଣର ଆୟ ବହିର୍ଭୁକ୍ତ ସମ୍ପତ୍ତି ଠାବ କରାଯାଇଛି । ସେଥିରେ ରହିଛି ୫ଟି ଫ୍ଲାଟ୍, ୧୧ଟି ପ୍ଲଟ, ୨ଟି ଅଟାଳିକା, ନଗଦ ୧ଲକ୍ଷ ୮୫ ହଜାର ଟଙ୍କା, ୪୮ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଏବଂ ଇନ୍ସୁରାନ୍ସ ।
ତେବେ ଭିଜିଲାନ୍ସ ଚଢ଼ଉକୁ ପ୍ରାୟ ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ଠାବ କରାଯାଇଥିବା ୪ଟି ଫ୍ଲାଟ୍ ଓ ଗୋଟିଏ କୋଠାର ମୂଲ୍ୟ ଆକଳନ କରିପାରିନି ଭିଜିଲାନ୍ସ ଟିମ୍। ଚିତ୍ତରଞ୍ଜନଙ୍କ ଆୟବ୍ୟୟର ହିସାବ ପରେ ଆୟ ବହିର୍ଭୂତ ସଂପତ୍ତି ୧୯୧ ପ୍ରତିଶତ ଅଧିକ ହେବ ବୋଲ ଭୁବନେଶ୍ବର ଭିଜିଲାନ୍ସ ଏସ୍ପି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଚିତ୍ତରଞ୍ଜନଙ୍କୁ ଭିଜିଲାନ୍ସ ପକ୍ଷରୁ ପଚରାଉଚରା କଲେ ତାଙ୍କ ନିକଟରୁ ଅଧିକ ପରିମାଣରେ ଆୟ ବହିର୍ଭୁକ୍ତ ସମ୍ପତ୍ତି ଠାବ ହୋଇପାରିବ ବୋଲି କୁହାଯାଉଛି । ହେଲେ ଭିଜିଲାନ୍ସ ତାଙ୍କୁ ରିମାଣ୍ଡରେ ନେବ କି ନାହିଁ ସେ ସଂପର୍କରେ କିଛି ସ୍ପଷ୍ଟ ସୂଚନା ମିଳି ନାହିଁ ।

Comments are closed.