ଭୁବନେଶ୍ବର:ଓଡିଶା ବିକାଶ ଇତିହାସରେ ଯୋଡିହୋଇଛି ଏକ ନୂଆ ଫର୍ଦ୍ଦ। ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି କଟକର ବାଲିଯାତ୍ରା ପଡିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନଡ୍ଡା କହିଛନ୍ତି ଯେ, ଆୟୁଷ୍ମାନ ଭାରତ ଯୋଜନା ଏକ ଇନସୁରାନ୍ସ ନୁହେଁ ଏହା ହେଉଛି ଏକ ଆସ୍ୟୁରାନ୍ସ । ଏହା ପୃଥିବୀର ସବୁଠାରୁ ବୃହତ୍ତମ ଯୋଜନା । ବର୍ତ୍ତମାନ ସୁଦ୍ଧା ଏଥିରେ ୮କୋଟି ୯୦ ଲକ୍ଷ ଲୋକ ଉପକୃତ ହୋଇସାରିଛନ୍ତି । ନିର୍ବାଚନ ସମୟରେ ଆମେ ଏହାକୁ ଲାଗୁ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲୁ ଏବଂ ଏହାକୁ ଆଜି ଲାଗୁ ମଧ୍ୟ କଲୁ । ଓଡିଶା ଲୋକମାନେ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇଛନ୍ତି। ତେଣୁ, ଓଡିଶାରେ ଏହି ଯୋଜନା ଲାଗୁ ହୋଇପାରିଲା । ଏହାଦ୍ୱାରା ଲୋକମାନେ ଆର୍ଥିକ ସ୍ତରରେ ଲାଭବାନ ହୋଇପାରିବେ ବୋଲି ସେ କହିଛନ୍ତି ।
ଓଡିଶାରେ ଶାସନ ଭାର ଗ୍ରହଣ କରିବାର ମାତ୍ର ୧୦ ମାସ ମଧ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିଥିବାରୁ ଶ୍ରୀ ନଡ୍ଡା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗଙ୍କୁ ଧନ୍ୟବାଦ ଦେବା ସହିତ ଟିବି ନିରାକରଣ ଦିଗରେ ଓଡିଶା ଉଲ୍ଲେଖନୀୟ କାର୍ଯ୍ୟ କରୁଛି ବୋଲି କହିଥିଲେ । ଏହି ଅବସରରେ ସେ ଅଧିକରୁ ଅଧିକ ହିତାଧିକାରୀ କିପରି ଏହି ଯୋଜନାରେ ସାମିଲ ହୋଇ ପାରିବେ ଏବଂ କାର୍ଡ ବନାଇବେ ସେଥିନେଇ ସଚେତନ କରିବାକୁ ପ୍ରତି ଘରୁକୁ ଯିବା ପାଇଁ ସେ ବିଧାୟକ ମାନଙ୍କୁ ଅନୁରୋଧ କରିଥିଲେ ।
ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ପର୍ଯ୍ୟାୟକ୍ରମେ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ । ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତ୍ତମାନ ରାଜ୍ୟରେ ୧୨ଟି ମେଡିକାଲ କଲେଜ ଅଛି। ଚଳିତ ବର୍ଷ ବଜେଟ୍ରେ ୪ଟି ମେଡିକାଲ କଲେଜ ପାଇଁ ଅର୍ଥ ବରାଦ କରାଯାଇଛି। ଏଗୁଡିକ ହେଲା ଜଗତସିଂହପୁର, ଭଦ୍ରକ, ନବରଙ୍ଗପୁର ଓ ଢେଙ୍କାନାଳ। ନୂଆ ସରକାର ଆସିବା ପରେ ବର୍ଷକ ମଧ୍ୟରେ ଅନେକ ଯୁଗାନ୍ତକାରୀ ଯୋଜନା କାର୍ଯ୍ୟକାରୀ ହୋଇଛି ବୋଲି ମତଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଗତ ବର୍ଷ ଜୁନ ୧୨ ତାରିଖ ଦିନ ଓଡ଼ିଶାରେ ନୂତନ ସୂର୍ଯ୍ୟୋଦୟ ହୋଇଛି। ସାଢ଼େ ଚାରିକୋଟି ଜନସାଧାରଣଙ୍କ ଆଶୀର୍ବାଦ ଏବଂ ସଦିଚ୍ଛା ସହିତ ତାଙ୍କର ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ କାର୍ଯ୍ୟରତ। ଗତ ୨୪ ବର୍ଷରେ ଯେଉଁକାମ ହୋଇ ନ ଥିଲା ଆମେ ତାକୁ ୨୪ ମିନିଟରେ କରିବାକୁ ସମର୍ଥ ହୋଇଥିଲୁ, ସେ ସୁଭଦ୍ରା ଯୋଜନା ହେଉ, କି ଧାନ କିଣା ବାବଦକୁ ଅଧିକ ୮୦୦ ଟଙ୍କା ପ୍ରଦାନ କରିବା, କି ଶ୍ରୀମନ୍ଦିର ପରିଚାଳନା ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ହେଉ, କି ଚାରିଦ୍ଵାର ଖୋଲା ହେଉ। ସେତିକି ନୁହେଁ, ଗତ ଦଶ ମାସରେ ଅନେକ ନୂଆ ଯୋଜନା ଯେପରିକି ପଞ୍ଚାୟତ ସ୍ତରୀୟ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ, ମାଧୋ ସିଂ ହାତଖର୍ଚ୍ଚ ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା, ଅନ୍ତୋଦୟ ଗୃହ ଯୋଜନା ପରି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

Comments are closed.