ହୋପ୍‌ ବସ୍‌

0

ପାଠ ପଢି ବଡ ମଣିଷ ହେବାକୁ ସମସ୍ତ ପିଲାଙ୍କର ଇଚ୍ଛା ଥାଏ । ହେଲେ ବେଳେବେଳେ ପାରିପାଶ୍ୱର୍କ ପରିସ୍ଥିତି କେତେକ ପିଲାଙ୍କର ଏହି ସ୍ୱପ୍ନକୁ ଧୂଳିସାତ କରିଦେଇଥାଏ । ନିଜର ଏହି ଇଚ୍ଛାକୁ ସେମାନଙ୍କୁ ମାରିବାକୁ ପଡିଥାଏ । ହେଲେ ଦିଲ୍ଲୀରେ କେତେକ ବସ୍ତି ପିଲାଙ୍କୁ ମିଳୁଛି ପାଠ ପଢିବାର ସୁଯୋଗ । ସେମାନଙ୍କୁ ନିଜ ଇଚ୍ଛା ମାରିବାକୁ ପଡୁନି, କାରଣ ଦିଲ୍ଲୀରେ ଗଡୁଛି କ୍ଲାସରୁମ୍‌ ବସ୍‌ । ଦିଲ୍ଲୀର ଏକ ଏନ୍‌ଜିଓ ତେଜସିଆ ବସ୍ତିପିଲାଙ୍କ ଶିକ୍ଷା ପାଇଁ ଏକ ଅଭିନବ ଯୋଜନା କରିଛି । ଏହି ଏନ୍‌ଜିଓ ପକ୍ଷରୁ ପିଲାଙ୍କୁ ବସ୍‌ ମାଧ୍ୟମରେ ଶିକ୍ଷା ଦିଆଯାଉଛି । ଏହି ବସ୍‌ର ନାଁ ରଖାଯାଇଛି “ହୋପ୍‌ ବସ୍‌’ । ଏହି ବସ୍‌ର ଉଦ୍ଦେଶ୍ୟ ହେଲା ଯେଉଁ ବସ୍ତି ପିଲା ସ୍କୁଲ୍‌ ଯାଇପାରୁନାହାନ୍ତି ସେମାନଙ୍କୁ ଶିକ୍ଷା ପ୍ରଦାନ କରିବା । ବର୍ତ୍ତମାନ ଏହି ବସ୍‌ରେ ୫୦ ଜଣ ପିଲା ପାଠ ପଢୁଛନ୍ତି । ଏହି କାର୍ଯ୍ୟପାଇଁ ୪ଟି ବସ୍‌ ଗଡୁଛି । ପ୍ରତି ବସ୍‌ରେ ଗୋଟିଏ ଡ୍ରାଇଭର, ଗୋଟିଏ ହେଲପର୍‌ ସହିତ ଦୁଇଟି ଶିକ୍ଷକ ରହିଛନ୍ତି । ବସ୍‌ରେ ଶିକ୍ଷାଦାନର ସମସ୍ତ ସୁବିଧା କରାଯାଇଛି । ବସ୍‌ରେ କଳାପଟା ରହିଥିବା ବେଳେ ପିଲାଙ୍କୁ ସ୍ଲେଟ୍‌ ସହ ଚକ୍‌ ଦିଆଯାଇଛି । ଏହାସହିତ ପିଲାଙ୍କୁ ଖାଦ୍ୟ ମଧ୍ୟ ଦିଆଯାଉଛି । ପ୍ରାୟ ୧୦ ବର୍ଷ ହେବ ଏନ୍‌ଜିଓଟି ପିଲାଙ୍କର ଦାୟିତ୍ୱ ତୁଲାଉଛି । ପ୍ରତିଥର ଏନ୍‌ଜିଓ ପକ୍ଷରୁ ସର୍ଭେ କରାଯାଇ କେଉଁ ପିଲାଙ୍କର ଶିକ୍ଷା ଦରକାର ତାହାକୁ ନେଇ ନିଷ୍ପତ୍ତି ନିଆଯାଉଛି । ଏହି ସର୍ଭେପରେ ସେହି ଅଞ୍ଚଳକୁ ଏକ ବସ୍‌ ପଠାଯାଇ ପିଲାଙ୍କୁ ଅଣାଯାଇଥାଏ । ବର୍ତ୍ତମାନ ଏହି ବସ୍‌ ଗୁଡିକ ପ୍ରାୟ ୮ଟି ସ୍ଥାନରୁ ପିଲାଙ୍କୁ ଆଣିବା ସହ ଶିକ୍ଷା ପ୍ରଦାନ କରୁଛନ୍ତି । ସେହିଭଳି ପୂର୍ବରୁ ଏହି ବସ୍‌ରୁ ଶିକ୍ଷା ପ୍ରାପ୍ତ କରିବା ପରେ ଅନେକ ପିଲା ସରକାରୀ ସ୍କୁଲ୍‌ରେ ନିଜର ପାଠ ଆରମ୍ଭ କରିବାରେ ସକ୍ଷମ ହୋଇଛନ୍ତି । ଏଠି କେବଳ ଯେ ପ୍ରାଥମିକ ଶିକ୍ଷା ଦିଆଯାଏ ତାହା ନୁହେଁ । ଏହା ବ୍ୟତିତ ପିଲାଙ୍କୁ ସମାଜରେ କିଭଳି ଚଳିବ ସେ ନେଇ ମଧ୍ୟ ଅନେକ ନୀତି ଶିକ୍ଷା ଦିଆଯାଏ । ବସ୍‌ ଗୁଡିକ ସକାଳ ୯ଟାରୁ ବାହାରି ୧୦ଟାରେ ବସ୍ତି ଗୁଡିକରେ ପହଞ୍ଚିଥାଏ । ଏହାପରେ ଆରମ୍ଭ ହୋଇଥାଏ ପାଠପଢା । ୧୦ଟାରୁ ଆରମ୍ଭ ହୋଇ ୧୨ଟାରେ ପାଠ ପଢା ସରିଥାଏ । ଏହାପରେ ବସ୍‌ଟି ଆଉ ଏକ ଅଞ୍ଚଳକୁ ପାଠ ପଢାଇବା ପାଇଁ ୨ଟାରୁ ୪ଟା ପର୍ଯ୍ୟନ୍ତ ଯାଇଥାଏ । ୪୦ରୁ ଅଧିକ ସମାଜସେବୀ ଏହି ଏନ୍‌ଜିଓ ସହିତ ଜଡିତ ଅଛନ୍ତି । ସେହିଭଳି ଆଜି ଭିତରେ ପ୍ରାୟ ୯୦୦ ପିଲାଙ୍କୁ ଶିକ୍ଷା ପ୍ରଦାନ କରାଯାଇଥିବାବେଳେ, ୨୦ ଜଣ ଶିକ୍ଷକ ଏଥିରେ ଭାଗ ନେଇଛନ୍ତି । ଏହି ଶିକ୍ଷକମାନେ ପିଲାଙ୍କର ପାଠ ପଢା ସମ୍ବନ୍ଧରେ ସମସ୍ତ ଦାୟିତ୍ୱ ନେଇଥାଆନ୍ତି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.