ପଣସ ମଞ୍ଜି ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗେ । ସାଧାରଣତଃ ଏହାକୁ ଭାଜି, ପୋଡି କିମ୍ବା ତରକାରୀରେ ରାନ୍ଧି ଖିଆଯାଇଥାଏ । ହେଲେ ପଣସ ମଞ୍ଜିରୁ କଫି କିମ୍ବା ଖିରି ପ୍ରସ୍ତୁତ ହେବା କଥା କେହି କଳ୍ପନା କରି ନଥିବେ । ତେବେ କେରଳର ଜୈମି ସାଜି ପଣସ ମଞ୍ଜିକୁ ଦେଇଛନ୍ତି ଏକ ନୂଆ ପରିଚୟ। ସେ ପଣସ ମଞ୍ଜିକୁ ବ୍ୟବହାର କରି କଫି, ପାୟସମ, ହେଲ‘ ଡ୍ରିଙ୍କ, ଜାମ, ଫ୍ରୋଜେନ୍ ଜାକଫ୍ରୁଟ, ଡିହାଇଡ୍ରେଟେଡ୍ ଜାକଫ୍ରୁଟ ଆଦି ପ୍ରସ୍ତୁତ କରୁଛନ୍ତି ।
ଏ ସମ୍ଭନ୍ଧରେ ସେ ୨୦୧୯ରେ ଏକ କୋର୍ସରୁ ଶିଖିଥିଲେ । ସେ ଏକ ସର୍ଭେ କରିଥିଲେ ଯେଉଁଥିଲେ ସେ ଜାଣିବାକୁ ପାଇଥିଲେ ପଣସ ମଞ୍ଜିର ବ୍ୟବହାର ଖୁବ କମ ହେଉଛି । ଲୋକମାନେ ଏହାକୁ ନଷ୍ଟ କରୁଛନ୍ତି । ତେଣୁ ସେ ଏହି ମଞ୍ଜିକୁ ଏକ ନୂଆ ରୂପରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚାହିଁଲେ । ସେ ପ୍ରଥମେ ଏହାକୁ ଶୁଖାଇ ଗୁଣ୍ଡ କରି ଏଥିରୁ ପାୟସମ ପ୍ରସ୍ତୁତ କରିଥିଲେ, ଯାହାକୁ ସେ ପଡୋଶୀଙ୍କୁ ଖାଇବାକୁ ମଧ୍ୟ ଦେଇଥିଲେ । ଏହାକୁ ସେମାନେ ଏତେ ପସନ୍ଦ କଲେ କି ତାଙ୍କ ଘରେ ବିଭିନ୍ନ ଉତ୍ସବ ସମୟରେ ସେ ଜୈମିଙ୍କୁ ଏହା ପ୍ରସ୍ତୁତ କରିବାକୁ କହିଥିଲେ । ଏହାପରେ ଜୈମଙ୍କ ପାଖରେ ଆତ୍ମବିଶ୍ୱାସ ବଢିଲା ଏବଂ ସେ ପଣସ ମଞ୍ଜିକୁ ବ୍ୟବହାର କରି କିଛି ନୂଆ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ । ସେ ‘ଜ୍ୟାକ ଫ୍ରେସ’ ନାମରେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ । ଏହି ବ୍ରାଣ୍ଡ ନାଁରେ ସେ ୧୦ଟି ପ୍ରଡକଫ ଲଞ୍ଚ କରିଛନ୍ତି, ଯାହା ଲୋକଙ୍କୁ ମଧ୍ୟ ପସନ୍ଦ ଆସିବା ଆରମ୍ଭ ହୋଇଛି ।
ତାଙ୍କ ପ୍ରସ୍ତୁତ ପାୟସମ ମିକ୍ସକୁ ବ୍ୟବହାର କରି ମାତ୍ର ୧୦ ମିନିଟ୍ରେ ଖିରି ପ୍ରସ୍ତୁତ କରିହେବ । ସେହିଭଳି ପଣସ ମଞ୍ଜିକୁ ବ୍ୟବହାର କରି ପ୍ରସ୍ତୁତ କରୁଛନ୍ତି କଫି , ଯାହା ଲୋକଙ୍କୁ ବେଶ ପସନ୍ଦ ଆସୁଛି । ତାଙ୍କର ଏହି ବ୍ୟବସାୟ କାରଣରୁ ସ୍ଥାନୀୟ କୃଷକଙ୍କର ଅନେକ ଲାଭ ହେଉଛି, ସେମାନେ ନିଜର ଉତ୍ପାଦକୁ ଭଲ ଦାମରେ ବିକ୍ରି କରିପାରୁଛନ୍ତି । ସେହିଭଳି ଜ୍ୟାକ ଫ୍ରେସର ଉତ୍ପାଦ ଗୁଡିକର ଦାମ ୨୫ ଟଙ୍କାରୁ ଆରମ୍ଭ ହୋଇ ୪୫୦ ପର୍ଯ୍ୟନ୍ତ ରହିଛି । କେବଳ କେରଳ ନୁହେଁ ଏହି ସାମଗ୍ରୀର ବିକ୍ରି ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ହେଉଛି, ଲୋକମାନେ ଅନଲାଇନ୍ରେ ଏହି ସାମଗ୍ରୀକୁ ମଗାଇ ବ୍ୟବହାର କରିପାରିବେ ।

Comments are closed.