ଭୁବନେଶ୍ୱର : ପୋଖରୀପୁଟରେ ଅଭ୍ୟାସ କରିବେ ହକି ବିଶ୍ୱକପ୍ ପାଇଁ ଆସୁଥିବା ଅନ୍ତର୍ଜାତୀୟ ଖେଳାଳିମାନେ । ଏଥିପାଇଁ ପୋଖରୀପୁଟ ଛକ ନିକଟସ୍ଥ ବିହାରୀଲାଲ ଷ୍ଟାଡିୟମରେ ହକି ଟର୍ଫ ବିଛାଯିବ । ୯୬ ମିଟର ଲମ୍ବ ଓ ୫୭ ମିଟର ଚଉଡ଼ା ଏହି ପଡ଼ିଆର ୬୦ ପ୍ରତିଶତ କାମ ସରିଥିବା ବେଳେ ଆଉ ୪୦ ପ୍ରତିଶତ କାମ ବାକି ରହିଛି । ଜାନୁଆରି ୧୫ ସୁଦ୍ଧା ସଂପୂର୍ଣ୍ଣ କାମ ସରିଯିବ ବୋଲି କହିଛନ୍ତି ଦାୟିତ୍ୱରେ ଥିବା ଇଂଜିନିୟର ଶୈଳେଶ କୁମାର । ଶୈଳେଶଙ୍କ କଥା ଅନୁସାରେ ହକି ପଡ଼ିଆ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି ।
ପଡ଼ିଆ ଚାରିପଟେ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାଯାଇଛି । ପଡ଼ିଆର ଅବଶିଷ୍ଟ ଭାଗକୁ ସମତଳ କରାଯାଉଛି । ଟର୍ଫ ପକାଇବା ପାଇଁ ଆନୁଷଙ୍ଗିକ ଉପକରଣ ସହ ବ୍ୟବସ୍ଥା କରାଯାଉଛି । ଖୁବ ଶୀଘ୍ର ଟର୍ଫ ବିଛାଯିବ । ଏହାସହ ଖେଳାଳିଙ୍କ ବିଶ୍ରାମ ତଥା ଚେଞ୍ଜିଂ ରୁମ ମଧ୍ୟ ନିର୍ମାଣ ଆରମ୍ଭ ହୋଇଛି । ଅଭ୍ୟାସ ପାଇଁ ସମସ୍ତ ପ୍ରକାର ଅନ୍ତର୍ଜାତୀୟସ୍ତରର ବ୍ୟବସ୍ଥା କରାଯିବ ବୋଲି ଶ୍ରୀ କୁମାର କହିଛନ୍ତି ।
ଏହାସହ ୬୨ ନଂ ୱାର୍ଡ କର୍ପୋରେଟର ଚାରୁଲତା ସାମନ୍ତରାୟ କହିଛନ୍ତି ଯେ ପୋଖରୀପୁଟରେ ଆନ୍ତର୍ଜାତିକ ଖେଳାଳିମାନେ ଆସି ଅଭ୍ୟାସ କରିବେ ଏହା ଆମ ଅଞ୍ଚଳ ପାଇଁ ଗର୍ବର ବିଷୟ । ଏହାସହ ପୋଖରୀପୁଟ ଅଞ୍ଚଳକୁ କ୍ରୀଡ଼ା ହବରେ ପରିଣତ କରିବାକୁ ପ୍ରୟାସ କରାଯାଉଛି । ପୋଖରୀପୁଟ ପଡ଼ିଆରେ ଇନ୍ଡୋର୍ ଷ୍ଟାଡିୟମ୍, କ୍ରିକେଟ ଅଭ୍ୟାସ ପାଇଁ ମଧ୍ୟ କାମ ଚାଲିଛି । ଛୋଟ ପିଲାଙ୍କ ସ୍କେଟିଂ ଓ ଚିତ୍ତବିନୋଦନ ଆଦି ଖେଳ ପାଇଁ ମଧୁସୂଦନ ପାର୍କରେ ବ୍ୟବସ୍ଥା କରାଯାଇଛି । କିଛି ଦିନ ମଧ୍ୟରେ ପୋଖରୀପୁଟ ଭୁବନେଶ୍ୱର ମହାନଗର ନିଗମର ଏକ କ୍ରୀଡ଼ା ହବ୍ ୱାର୍ଡରେ ପରିଣତ ହେବାକୁ ଯାଉଥିବା କହିଛନ୍ତି ଚାରୁଲତା ।
Comments are closed.