ଭୁବନେଶ୍ୱର : ଆଜି ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ ଗଭୀର ଅବପାତ । ଏହି ସମ୍ଭାବ୍ୟ ବାତ୍ୟାର ନାଁ ରହିଛି ‘ପେଙ୍ଗାଲ’। ଗଭୀର ଅବପାତଟି ବାତ୍ୟାର ରୂପ ନେଇ ତାମିଲନାଡ଼ୁ ଉପକୂଳ ମୁହାଁ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ପ୍ରଭାବରେ ବଦଳିଛି ରାଜ୍ୟର ପାଣିପାଗ । ଆଜି ସକାଳୁ ଟ୍ୱିନ ସିଟି ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି ।
ପାଣିପାଗ ବିଭାଗରୁ ସୂଚନା ଅନୁସାରେ, ଗଭୀର ଅବପାତଟି ଆଜି ଉତ୍ତର-ପଶ୍ଚିମ ଦିଗକୁ ଗତିକରି ବାତ୍ୟାରେ ପରିଣତ ହେବ। ଏହାପରେ ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରି ତାମିଲନାଡ଼ୁ ଉପକୂଳ ଆଡ଼କୁ ମୁହାଁଇବ। ୨୯ତାରିଖ ମଧ୍ୟରେ ଉତ୍ତର ଉତ୍ତରପଶ୍ଚିମ ଦିଗରେ ଗତି କରି ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। । ବାତ୍ୟା ଘଣ୍ଟା ପ୍ରତି ୧୦ କିମି ବେଗରେ ଆଗକୁ ବଢ଼ିବା ସହ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଏହା ନାଗାପ୍ପଟ୍ଟିନମ୍ଠାରୁ ୩୪୦ କିମି, ପୁଡ଼ୁଚେରୀଠାରୁ ୪୧୦ କିମି ଓ ଚେନ୍ନାଇଠାରୁ ୪୭୦ କିମି ଦୂରରେ ରହିଛି। ଏହା ଉତ୍ତର ଦିଗରେ ଗତି କରି ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଗଭୀର ଅବପାତ ରୂପରେ ରହିବା ପରେ ଧୀରେ ଧୀରେ ଦୁର୍ବଳ ହୋଇଯିବ। ପରବର୍ତ୍ତୀ ସମୟରେ ଉତ୍ତରପଶ୍ଚିମ ଦିଗରେ ଗତି କରି ୩୦ ତାରିଖ ସକାଳ ସୁଦ୍ଧା ଉତ୍ତର ତାମିଲନାଡ଼ୁ ଓ ପୁଡୁଚେରୀ ମଧ୍ୟରେ କାରାଇକାଲ-ମହାମବଳିପୁରମ୍ ମଧ୍ୟରେ ଅବପାତ ରୂପରେ ସ୍ଥଳ ଭାଗ ଛୁଇଁବ। ବାତ୍ୟା ରୂପ ନେବ ନାହିଁ। ବରଂ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ଉପକୂଳ ଅଞ୍ଚଳବାସୀଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଏଥିସହ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ। ତେବେ ୨୯ ତାରିଖରେ ଉପକୂଳ ଓଡ଼ିଶା ସମେତ ମାଲକାନଗିରି, ରାୟଗଡ଼ା, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, କୋରାପୁଟ ଜିଲ୍ଲା ଏବଂ ୩୦ ତାରିଖରେ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି।

Comments are closed.