ଭୁବନେଶ୍ୱର : ସାରା ଓଡ଼ିଶାରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ଆଗାମୀ ୮ ତାରିଖ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ କେତେକ ଜିଲ୍ଲାରେ ହଳୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଲଘୁଚାପଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ପୂର୍ବ ମଧ୍ୟପ୍ରଦେଶମୁହାଁ ହେବ। ପାଣିପାଗ ନିୟାମକ ପ୍ରଭାବରେ ଗତ ୨୪ ଘଣ୍ଟାରେ ୧୮ଟି ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବାବେଳେ ଆଉ ୪ଦିନ ରାଜ୍ୟକୁ ବିଜୁଳି ଘଡ଼ଘଡି ସହ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି ।
ସେହିପରି ଶୁକ୍ରବାରଠାରୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୨୦ଟି ଜିଲାକୁ ୟେଲୋ ୱାର୍ନିଂ ଜାରି ହୋଇଛି। ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ଶନିବାରଠାରୁ ବର୍ଷାର ପରିମାଣ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
