ଲଘୁଚାପ ଆଣିପାରେ ବନ୍ୟା, ହୀରାକୁଦରେ ୧୨ ଗେଟ୍‌ ଖୋଲା

ଭୁବନେଶ୍ୱର,ସେପ୍‌ଟେମ୍ବର ୨୪ : ହୀରାକୁଦ ଜଳଭଣ୍ଡାରରେ ଏବେ ପାଣି ବଢ଼ିଲାଣି । ସର୍ବାଧିକ ୬୩୦ଫୁଟ ଜଳ ଧାରଣ କ୍ଷମତା ଥିବାବେଳେ ଏହାର ୯୮%ରୁ ଅଧିକ ଏବେ ଭରିଗଲାଣି । ଏବେ ୬୨୯.୩୩ ଫୁଟରେ ଜଳ ସ୍ତର ଥିବାବେଳେ ଘଣ୍ଟାକୁ ଘଣ୍ଟା ପାଣି ବଢ଼ୁଛି । ତେଣୁ ଡ୍ୟାମ୍‌ କର୍ତ୍ତୃପକ୍ଷ ଅଧିକ ଗେଟ୍‌ ଖୋଲିଛନ୍ତି । ଏବେ ୧୨ଟି ଗେଟ୍‌ ଦେଇ ପାଣି ଛଡ଼ା ଯାଉଥିବା ବେଳେ ଅଧିକ ଗେଟ୍‌ ଖୋଲିବାକୁ ଯୋଜନା ହୋଇଛି । ପୁଣି ଆସନ୍ତା ସପ୍ତାହରେ ଲଘୁଚାପ ପ୍ରଭାବରେ ଅଧିକ ବର୍ଷା ଆଶଙ୍କା ଥିବାରୁ ସବୁ ଡ୍ୟାମ୍‌ ଓ ନଦୀରେ ଜଳସ୍ତର ବଢ଼ିପାରେ । ଫଳରେ ରାଜ୍ୟରେ ବଡ଼ ବନ୍ୟାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ । ହୀରାକୁଦରେ ଡ୍ୟାମକୁ ସେକେଣ୍ଡ୍‌ ପିଛା ୧,୪୯,୦୬୨ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିଲା ବେଳେ ସେକେଣ୍ଡ ପିଛା ୨,୨୫,୩୦୦ କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି । ମୁଣ୍ଡୁଳିରେ ସେକେଣ୍ଡ ପିଛା ୨,୩୬,୧୯୨ କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି । ଯେଉଁଥିପାଇଁ ଏବେ ମହାନଦୀ ଓ ଶାଖା ନଦୀ ଫୁଲିବାରେ ଲାଗିଛି । ବହୁ ତଳିଆ ଅଞ୍ଚଳରେ ପାଣି ମାଡ଼ିଲାଣି । ଠିକ୍‌ ଏହି ସମୟରେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ୨୫ରୁ ରାଜ୍ୟରେ ବର୍ଷା ବଢ଼ିବ । ଉପକୂଳ, ଉତ୍ତର, ଆଭ୍ୟନ୍ତରୀଣ ଓଡ଼ିଶାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ଦାନ ବାନ୍ଧୁଥିବାରୁ ଓଡ଼ିଶାକୁ ବର୍ଷାରୁ ନିସ୍ତାର ନାହିଁ । ଯାହା ମହାନଦୀ ଓ ଏହାର ଶାଖା ନଦୀ ସମେତ ବିଭିନ୍ନ ନଦୀରେ ବନ୍ୟା ଆଣିପାରେ ।
ପାଣିପାଗ ବିଭାଗ କହିଛି ଯେ ମିଆଁମାର ଉପକୂଳ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶୁକ୍ରବାର ଲଘୁଚାପରେ ପରିଣତ ହେବ ।ଏହା ପ୍ରଭାବରେ ଶନିବାରରୁ ଉପକୂଳ , ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ । ସେହିପରି ୨୬ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ଉତ୍ତର-ପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବ । ଏହା ୨୮ରେ ଲଘୁଚାପରେ ପରିଣତ ହେବ । ଏହା ପ୍ରଭାବରେ ମଧ୍ୟ ସାରା ରାଜ୍ୟରେ ବର୍ଷା ହେବ । ଏହି ଲଘୁଚାପ ପ୍ରଭାବରେ ମହାନଦୀର ଉପରମୁଣ୍ଡ ଓ ତଳମୁଣ୍ଡରେ ଅଧିକ ବର୍ଷା ହେବାର ସମ୍ଭାବନା ଥିବାରୁ ସବୁ ଡ୍ୟାମ୍‌ ଓ ନଦୀରେ ଜଳସ୍ତର ବିଢ଼ବ ବୋଲି କୁହାଯାଉଛି ।
ଏବେ ହୀରାକୁଦ ସମେତ ରାଜ୍ୟର ସବୁ ଡ୍ୟାମରେ ଜଳପତନ ବଢ଼ିବାରେ ଲାଗିଛି । ହେଲେ ହୀରାକୁଦ ପରିସ୍ଥିତି ଅନ୍ୟ ସ୍ଥାନରେ ନାହିଁ । ବ୍ରାହ୍ମଣୀ ନଦୀରେ ଥିବା ରେଙ୍ଗାଳି ଡ୍ୟାମରେ ବି କ୍ଷମତାର ୯୨.୩% ପୂର୍ଣ୍ଣ ହୋଇଗଲାଣି । ଯେଉଁଥିପାଇଁ ଗୋଟିଏ ଗେଟ୍‌ ଦେଇ ଏବେ ଜଳ ନିଷ୍କାସନ ହେଉଛି । ମାଛକୁଣ୍ଡରେ ୪୧.୧% ଥିବାବେଳେ ୨ଟି ଗେଟ୍ରେ ଜଳ ନିଷ୍କାସନ ହେଉଛି । ସାଳନ୍ଦୀରେ ୬୦.୩%, ସିଲେରୁ ନଦୀର ବାଲିମେଳା ଡ୍ୟାମ୍ରେ ୩୬.୧%,ଅପର କୋଲାବରେ ୩୦.୮%, ଇନ୍ଦ୍ରାବତୀରେ ୩୭.୪% ଏବେ ସୁଦ୍ଧା ପୂର୍ଣ୍ଣ ହୋଇଛି । କି;ୁ ସବୁ ଡ୍ୟାମରେ ଏବେ ଜଳପତନ ବଢ଼ୁଥିବାରୁ ଜଳସମ୍ପଦ ବିଭାଗର ପକ୍ଷରୁ ସବୁ ଡ୍ୟାମରେ କିଛି କିଛି ପାଣି ନିଷ୍କାସନ କରାଯାଉଛି ।

Comments are closed.