ଭୁବନେଶ୍ୱର : ସରକାରୀ ଗାଡ଼ିର ଡ୍ରାଇଭର ଭାବେ ପ୍ରଥମ ଥର ଜଣେ ମହିଳାଙ୍କୁ ନିଯୁକ୍ତି ମିଳିଛି । ମୟୂରଭଞ୍ଜ ଜିଲ୍ଲାର ସନ୍ଧ୍ୟାରାଣୀ ମାଝୀ ସରକାରୀ ଗାଡ଼ି ଡ୍ରାଇଭର ଭାବେ ନିଯୁକ୍ତି ପାଇଛନ୍ତି । ସେ ବରିଷ୍ଠ ଆଇଏଏସ୍ ତଥା ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ସରକାରୀ ଗାଡ଼ି ଚାଳକ ଭାବେ ନିଯୁକ୍ତ ହୋଇଛନ୍ତି । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦବୀରେ କାର୍ଯ୍ୟ କରି ଆସିଥିବା ଆଇଏଏସ୍ ଶ୍ରୀମତୀ ପାଢ଼ୀ ଓଡ଼ିଶାରେ ସରକାରୀ କ୍ଷେତ୍ରରେ ପ୍ରଥମ ମହିଳା ଚାଳକ ନିଯୁକ୍ତି ଦେଇ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଅଧୀନସ୍ଥ ଏଚ୍ଏମ୍ଭି ପ୍ରଶିକ୍ଷଣ କେନ୍ଦ୍ରରେ ତାଲିମ ନେଇଛନ୍ତି ସନ୍ଧ୍ୟାରାଣୀ ।
ପରିବହନ ବିଭାଗର ଏହି ପଦକ୍ଷେପ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରଥମ ସରକାରୀ ମହିଳା ଡ୍ରାଇଭର ଭାବରେ ସନ୍ଧ୍ୟା ରାଣୀ ମାଝୀ ଏକ ନୂଆ କାହାଣୀ ସୃଷ୍ଟି କରି ବହୁତ ଖୁସି ଅଛନ୍ତି ।
ଛତିଆ ବୈରୀସ୍ଥିତ ପ୍ରଶିକ୍ଷଣ କେନ୍ଦ୍ରରୁ ତାଲିମ ପ୍ରାପ୍ତ ହେବା ପରେ ସଂଧାରାଣୀ ପ୍ରଥମ ସରକାରୀ ଡ୍ରାଇଭର ଭାବରେ ନିଯୁକ୍ତି ପାଇଛନ୍ତି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ଆମ ବସ୍ ଏବଂ ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମର ବସଗୁଡିକରେ ପୂର୍ବରୁ ମହିଳାମାନଙ୍କୁ କଣ୍ଡକ୍ଟର ଭାବରେ ନିଯୁକ୍ତି ଦିଆଯାଇଛି । ଏବେ ସରକାରୀ ଗାଡି ଚାଳକ ବା ଡ୍ରାଇଭର ଭାବରେ ସଂଧ୍ୟାରାଣୀଙ୍କ ନିଯୁକ୍ତି ପ୍ରଥମ ।
ପରେ ପ୍ରତ୍ୟେକ ବର୍ଷ ପ୍ରାୟ ୫ ଶହ ମହିଳାଙ୍କୁ ଡ୍ରାଇଭର ଭାବରେ ପ୍ରଶିକ୍ଷିତ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ନିଷ୍ପତ୍ତି କରିଛି । ଲିଙ୍ଗଗତ ପ୍ରଭେଦ ଦୂର କରି ମହିଳା ସଶକ୍ତିକରଣ ଓ ଅନ୍ତଭୁକ୍ତିକରଣ କ୍ଷେତ୍ରରେ ଏହା ଏବେ ବଡ ପରିବର୍ତ୍ତନ ।

Comments are closed.