ମୁମ୍ବାଇରେ ପ୍ରଥମ ଜିବିଏସ୍‌ ସିଣ୍ଡ୍ରୋମ ଆକ୍ରାନ୍ତଙ୍କ ମୃତ୍ୟୁ

ମହାରାଷ୍ଟ୍ର : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି ଜିବିଏସ୍‌ (ଗୁଇଲେନ୍-ବୈରୀ ସିଣ୍ଡ୍ରୋମ)ମାମଲା । ବୁଧୁବାର ଦିନ ମୁମ୍ବାଇରେ ପ୍ରଥମ ଜିବିଏସ୍‌ ସିଣ୍ଡ୍ରୋମ ଭାଇରସରେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୁମ୍ବାଇର ନାୟାର ହସ୍ପିଟାଲରେ ୫୩ ବର୍ଷୀୟ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଜଣକ ମୁମ୍ବାଇର ୱାଡାଲା ଅଞ୍ଚଳର ବାସିନ୍ଦା ଥିଲେ ଏବଂ ବିଏମସିର ବିଏନ ଦେଶାଇ ହସ୍ପିଟାଲରେ ହସ୍ପିଟାଲ ଆଟେଣ୍ଡାଣ୍ଟ ଭାବରେ କାର୍ଯ୍ୟ କରୁଥିଲେ । ତେବେ ନୟାର ହସ୍ପିଟାଲରେ ମୁମ୍ବାଇର ପାଲଘର ଅଂଚଳରୁ ଜଣେ ୧୦ମ ଶ୍ରେଣୀର ଛାତ୍ରୀ ଏହି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି I ବର୍ତ୍ତମାନ ସୁଦ୍ଧା ଦେଶରେ ଏହି ରୋଗରେ ଏପର୍ଯ୍ୟନ୍ତ ମୋଟ ୭ ଜଣଙ୍କର ମୃତ୍ୟୁ ହୋଇସାରିଛି।

ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ସୂଚନାନୁସାରେ,ବର୍ତ୍ତମାନ ପର୍ଯ୍ୟନ୍ତ ପୁନେ ଅଞ୍ଚଳରେ ଜିବିଏସ୍‌ ମାମଲା ସଂଖ୍ୟା ୧୯୭ରେ ପହଞ୍ଚିଛି । ଏହି ସ୍ନାୟୁ ବିକାରରେ ଆକ୍ରାନ୍ତ ଆଉ ୫ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି ।ପୁନେର ୫ ଜଣ ରୋଗୀଙ୍କ ମଧ୍ୟରେ ୨ ଜଣ ନୂତନ ଏବଂ ପୂର୍ବ ଦିନର ୩ ଜଣ ଅନ୍ତର୍ଭୁକ୍ତ ।

ସ୍ୱାସ୍ଥ୍ୟ ବିଭାଗର ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ୧୯୭ ଜଣଙ୍କ ମଧ୍ୟରୁ ୧୭୨ ଜିବିଏସ୍‌ ରୋଗୀଙ୍କୁ ଚିକିତ୍ସା କରାଯାଇଥିଲା । ଏଥିମଧ୍ୟରୁ ପ୍ରାୟ ୪୦ ଜଣ ରୋଗୀ ପୁଣେ ମୁନିସିପାଲ୍ କର୍ପୋରେସନ୍ ଅଞ୍ଚଳର ହୋଇଥିବା ବେଳେ ୯୨ ଜଣ ପିଏମସିରେ ନୂତନ ଭାବରେ ଯୋଡ଼ା ଯାଇଥିବା ଗାଁରୁ, ୨୯ ଜଣ ପିମ୍ପରି ଚିଞ୍ଚୱାଡ଼ ନାଗରିକ ସୀମାରୁ, ୨୮ ଜଣ ପୁନେ ଗ୍ରାମାଞ୍ଚଳରୁ ଏବଂ ୮ ଜଣ ଅନ୍ୟ ଜିଲ୍ଲାର ବୋଲି ଜଣାପଡ଼ିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧୦୪ ଜଣ ରୋଗୀଙ୍କୁ ଡିସଚାର୍ଜ କରାଯାଇଥିବା ବେଳେ, ୫୦ ଜଣ ଆଇସିୟୁରେ ଏବଂ ୨୦ ଜଣ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି ।

ଗୁଇଲେନ୍-ବେରି ସିଣ୍ଡ୍ରୋମ୍ (ଜିବିଏସ୍) ଏକ ବିରଳ ସ୍ନାୟୁ ରୋଗ । ପୀଡ଼ିତଙ୍କଠାରେ ପେରିଫେରାଲ୍ ସ୍ନାୟୁ ଉପରେ ରୋଗ ପ୍ରତିରୋଧକ ଶକ୍ତି ଆକ୍ରମଣ କରେ । ଫଳରେ ମାଂସପେଶୀ ଦୁର୍ବଳ ଲାଗିବା , ଗୋଡ଼-ହାତ ଝିମ୍‌ଝିମ୍ ହେବା, ଖାଦ୍ୟ ଖାଇବା ବେଳେ କିମ୍ୱା ନିଶ୍ୱାସ ନେବାରେ ସମସ୍ୟା ଦେଖାଯାଏ । ଡାକ୍ତରଙ୍କ ମତରେ, ଏହି ରୋଗରେ ପେରିଫେରାଲ ସ୍ନାୟୁ କ୍ଷତିଗ୍ରସ୍ତ ହୁଏ । ଯେଉଁ କାରଣରୁ ହାତଗୋଡ଼ ଦୁର୍ବଳ ଲାଗେ । ର୍ପରି ଲକ୍ଷଣ ଦେଖାଗଲେ ଯଦି ତୁରନ୍ତ ପରୀକ୍ଷା ସହ ଆବଶ୍ୟକ ଚିକିତ୍ସା କରାଯାଏ, ତେବେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବେ ।

Govt

Comments are closed.