ଦୋହା : ଚଳିତ କାତାର ଫିଫା ବିଶ୍ୱକପ୍ରେ ଆଉ ଏକ ବିପର୍ଯ୍ୟୟ ଘଟିଛି । ଗ୍ରୁପ୍ ଇ’ରେ ୪ଥର ବିଶ୍ୱକପ୍ ବିଜେତା ଜର୍ମାନୀକୁ ୨-୧ ଗୋଲରେ ଜାପାନ ଧରାଶାୟୀ କରି ଏହି ବିପର୍ଯ୍ୟୟ ଘଟାଇଛି । ପ୍ରଥମ ମ୍ୟାଚରେ ଜର୍ମାନୀ ପରାଜିତ ହୋଇ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି ।
ପୂର୍ବରୁ ଶକ୍ତିଶାଳୀ ଆର୍ଜେଣ୍ଟିନା ଦଳକୁ ସାଉଦିଆରବ ପରାସ୍ତ କରି ସାରାବିଶ୍ୱରେ ଚହଳ ସୃଷ୍ଟି କରିଥିଲା । ସାଉଦିଆରବର ଏହି ଜମାଣିଆ ପ୍ରଦର୍ଶନ ପାଇଁ ସେଠାକାର ସରକାର ବିଜୟ ଉସିବ ପାଳନ ନିମନ୍ତେ ଦିନିକିଆ ଛୁଟି କରିଥିଲେ । କାରଣ ୨ଥର ବିଶ୍ୱକପ୍ ବିଜେତା ଦଳ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନାକୁ ସାଉଦି ସହଜରେ ହରାଇ ପାରିବ ବୋଲି କେହି କେବେ କଳ୍ପନା କରିନଥିଲେ । ସମାନ ଅବସ୍ଥା ଗ୍ରୁପ୍ ଡି’ରେ ଘଟିଛି । ଥରେ ବିଶ୍ୱକପ୍ ଆୟୋଜନ କରିଥିବା ଜାପାନ ଏସୀୟ ରାଷ୍ଟ୍ରଭାବେ ଶକ୍ତିଶାଳୀ ଜର୍ମାନୀକୁ ଧରାଶାୟୀ କରି ଶତର୍କ ଘଣ୍ଟି ବଜାଇଛି ।
ମ୍ୟାଚ ଆରମ୍ଭରୁ ଜର୍ମାନୀ ଜିତିବ ବୋଲି ଆକଳନ କରାଯାଇଥିଲା । ୩୩ତମ ମିନିଟ୍ରେ ଜର୍ମାନୀ ପ୍ରଥମ ଗୋଲ୍ କରିବାରେ ସକ୍ଷମ ହୋଇଥିଲା । ଚଳିତ ବିଶ୍ୱକପ୍ରେ ଜର୍ମାନୀ ପକ୍ଷରୁ ଇଲକେ ଜୁନେଡୋଗନ ଗୋଲ୍ସ୍କୋର କରିଥିଲେ । ପ୍ରଥମାର୍ଦ୍ଧ ସୁଦ୍ଧା ଦଳ ୧-୦ରେ ଅଗ୍ରଣୀ ରହିଥିଲା । ମ୍ୟାଚର ଅଗ୍ରଗତି ସହ ଜାପାନ ୭୫ ଓ ୮୩ତମ ମିନିଟ୍ରେ ଦୁଇଟି ଗୋଲ୍ କରି ଜର୍ମାନୀର ସବୁ ଯୋଜନାକୁ ପଣ୍ଡ କରିଦେଇଥିଲା ।
୭୫ ମିନିଟରେ ରିଟସୁ ଡୋଆନ୍ ଏବଂ ୮୩ତମ ମିନିଟ୍ରେ ତାକୁମା ଆସାନୋ ଏହି ଗୋଲ କରିଥିଲେ । ତେବେ ଶେଷ ୧୨ ମିନିଟ୍ ମଧ୍ୟରେ ଏକାଧିକବାର ଚେଷ୍ଟା କରି ଗୋଲ ସୁଜାଇବାକୁ ସକ୍ଷମ ହୋଇନଥିଲା । ଜାପାନ ବିଜୟ ସହ ୩ ପଏଣ୍ଟ ହାସଲ କରି ଗ୍ରୁପ୍ ଇ’ର ଶୀର୍ଷରେ ରହିଛି ।

Comments are closed.