ଭୁବନେଶ୍ୱର (ଶକ୍ତି ପ୍ରକାଶ ନନ୍ଦ): କଳିଙ୍ଗରେ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ ବିଗୁଲ ବାଜିଛି । ପୁଲ-ଏରେ ସ୍ଥାନ ପାଇଥିବା ଆୟୋଜକ ରାଷ୍ଟ୍ର ଭାରତ ପରାଜୟରୁ ଅଭିଯାନ ଆରମ୍ଭ କରିଛି । ପ୍ରଥମ ଥର ଭାରତୀୟ ମହିଳା ଫୁଟବଲ ଦଳ ଫିଫା ବିଶ୍ୱକପ ଖେଳିବାର ସୌଭାଗ୍ୟ ଅର୍ଜନ କରିଥିବା ବେଳେ ଘରୋଇ ମାହୋଲରେ ଶକ୍ତିଶାଳୀ ଆମେରିକା ନିକଟରେ ଆତ୍ମସମର୍ପଣ କଲା ଭଳି ଖେଳିଥିଲା । ଆମେରିକାର ଗୋଲ ବର୍ଷାକୁ ଭାରତୀୟ ଖେଳାଳି ରୋକିବାରେ ସମର୍ଥ ହୋଇନଥିଲେ ମଧ୍ୟ ଏକ ଅଲୋଡା ଅନୁଭୂତି ସହ ବିଶ୍ୱକପ ଅଭିଯାନ ଆରମ୍ଭ କରିଛନ୍ତି ।
ପ୍ରଥମାର୍ଦ୍ଧ: ଭାରତୀୟ ରକ୍ଷଣଭାଗ ଖେଳାଳିଙ୍କ ଧୀମାପଣର ଫାଇଦା ଉଠାଇଥିଲା ଆମେରିକା । ଆମେରିକା ଦଳ ମ୍ୟାଚର ୯ମିନିଟରେ ପ୍ରଥମ ଗୋଲ ସ୍କୋର କରି ଭାରତକୁ ଚାପରେ ରଖିବାକୁ ସମର୍ଥ ହୋଇଥିଲା । ଏହାପରେ ଭାରତ ମ୍ୟାଚ୍କୁ ଫେରିବାର ସାମାନ୍ୟତମ ସୁଯୋଗ ପାଈନଥିଲା । ୧୫ତମ ମିନିଟରେ ଚାର୍ଲୋଟେ କୋହଲର ଦଳ ପକ୍ଷରୁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ । ୨୩ତମ ମିନିଟରେ ଅନୟେକା ଗାମେରୋ ତୃତୀୟ ଗୋଲ, ୩୧ତମ ମିନିଟରେ ମେଲିନା ରେବିମବାସ୍ ଦଳ ପକ୍ଷରୁ ୪ର୍ଥ ତଥା ବ୍ୟକ୍ତିଗତ ଦ୍ୱିତୀୟ ଗୋଲ କରି ଆମେରିକାକୁ ୪-୦ରେ ଅଗ୍ରଣୀ କରାଇଥିଲେ । ପୁଣି ୩୯ତମ ମିନିଟରେ ଜିସେଲେ ଥମ୍ପସନ୍ ଗୋଲ କରିବାରୁ ଆମେରିକା ପ୍ରଥମାର୍ଦ୍ଧରେ ୫-୦ରେ ଅଗ୍ରଣୀ ହାସଲ କରିଥିଲା ।
ଦ୍ୱିତୀୟାର୍ଦ୍ଧ: ଦ୍ୱିତୀୟାର୍ଦ୍ଧରେ ଭାରତ ୩ଜଣ ଖେଳାଳିଙ୍କ ପରିବ ର୍ନ ସହ ପଡିଆକୁ ଓହ୍ଲାଇଥିଲା । ଆମେରିକାର ଗୋଲକୁ ପରିଶୋଧ କରି ମ୍ୟାଚ୍କୁ ପ୍ରତ୍ୟାବ ର୍ନ କରିବା ସମ୍ଭବ ନଥିଲା । ଆମେରିକା ଗୋଲ ବର୍ଷା ଦେଖି ଭାରତୀୟ ଖେଳାଳି ହତାସ ହୋଇଯାଇଥିଲେ । ୫୧ତମ ମିନିଟରେ ଇଲା ଇମ୍ରୀ ଷଷ୍ଠ ଗୋଲ ସ୍କୋର କରିଥିଲେ । ୫୯ତମ ମିନିଟରେ ଆମେରିକାକୁ ପେନାଲଫି ମିଳିଥିଲା । ଏହାକୁ ଟେଲର ସୁଆରେଜ୍ ଗୋଲରେ ପରିଣତ କରି ଦଳକୁ ୭-୦ରେ ଆଗୁଆ କରିଥିଲେ । ଏହି ଗୋଲର ଠିକ୍ ୩ ମିନିଟ ପରେ ଭାରତୀୟ ବଂଶୋଦ୍ଭବ ମିଆ ଭୁଟ୍ଟା ଗୋଲ ସ୍କୋର କରିବାରୁ ବ୍ୟବଧାନ ୮-୦କୁ ବୃଦ୍ଧି ପାଇଥିଲା । ଶେଷ ପର୍ଯ୍ୟନ୍ତ ଏହି ବ୍ୟବଧାନ ଜାରି ରହିବା ସହ ଆମେରିକା ବୃହତ ବିଜୟ ହାସଲ କରି ଅଭିଯାନ ଆରମ୍ଭ କରିଛି ।

Comments are closed.