ଉତ୍ତରାଖଣ୍ଡ: ଭାରତରେ ନଡାର ବ୍ୟବହାର ବିଭିନ୍ନ ଉପାୟରେ ହୋଇଥାଏ । ନଡାରୁ ଘର ଛପର ହେବା ସହ ଏହା ଗାଈମାନଙ୍କର ଖାଦ୍ୟ ଭାବେ ମଧ୍ୟ ବ୍ୟବହାର ହୋଇଥାଏ । ତେବେ ନଡାରୁ ପ୍ରସ୍ତୁତ ଫାଇବରକୁ ନେଇ ଉତ୍ତରାଖଣ୍ଡର ଦମ୍ପତି ନୂଆ ଆବିଷ୍କାର କରିଛନ୍ତି । ସେମାନେ ଏହି ଫାଇବରକୁ ବ୍ୟବହାର କରି ଏକ ଘର ପ୍ରସ୍ତୁତ କରିଛନ୍ତି । ଏଭଳି ପ୍ରକ୍ରିୟାରେ ଏହା ହେଉଛି ପ୍ରଥମ ଘର । ଦୁଇଜଣ ଯାକ ଗୌରବ ଏବଂ ନମ୍ରତା ପେଶାରେ ଆର୍କିଟେକ୍ ।
ଘର ତିଆରି ପାଇଁ ବ୍ୟବହାର ହେଉଥିବା ପାରମ୍ପରିକ ସାମଗ୍ରୀର ବିକଳ୍ପ ପାଇଁ ଏହି ଦୁଇଜଣ ପ୍ରଥମେ ଚେଷ୍ଟା ଆରମ୍ଭ କରିଥିଲେ । ୨୦୧୬ରେ ସେ ବିଭିନ୍ନ ପରିବେଶ ଉପଯୋଗୀ ସାମଗ୍ରୀ ବିଷୟରେ ଗବେଷଣା କରିବା ଆରମ୍ଭ କରିଥିଲେ । ଏହି ଗବେଷଣା ସମୟରେ ସେମାନେ ‘ହେମ୍ପକ୍ରେଟ୍’ ବା ନଡାରୁ ପ୍ରସ୍ତୁତ ଏକ ଫାଇବର ପାଇଥିଲେ ଯେଉଁଥିରେ ଘର ପ୍ରସ୍ତୁତ କରିହେବ । ସେହିଭଳି ଏହି ଫାଇବରର ବ୍ୟବହାର ଭାରତର ପୂରାତନ କାଳରେ ମଧ୍ୟ ହୋଇଛି, ଯାହାର ପ୍ରମାଣ ଏଲୋରା ଗୁମ୍ଫାରେ ଗବେଷକଙ୍କୁ ମିଳିଛି ।
ସେହିଭଳି ଅଲଗା ଦେଶରେ ମଧ୍ୟ ଏହାର ବ୍ୟବହାର ରହିଛି । ତେବେ ଏକ ଉପଯୋଗୀ ଫାଇବର ପାଇବା ପାଇଁ ସେମାନଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଥିଲା । ବିଭିନ୍ନ ପରୀକ୍ଷା ପରେ ସେମାନେ ଏକ ଉପଯୁକ୍ତ ଫାଇବର ପାଇଥିଲେ । ଏହାକୁ ବ୍ୟବହାର କରି ଏକ ୮୦୦ ସ୍କେ୍ୱୟାର ଫୁଟର ଘର ନିର୍ମାଣ କରାଯାଇଛି, ଯେଉଁଥିରେ ୫ଟି ଘର ରହିଛି । ଏହି ଘରକୁ ତିଆରି କରିବା ପାଇଁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ତେବେ ଆଗକୁ ଏହି ଖର୍ଚ୍ଚ କମ କରାଯିବା ନେଇ କାମ ହେବ ବୋଲି ସେମାନେ ମତ ଦେଇଛନ୍ତି । ସେହିଭଳି ଘରଟିକୁ ଆଲୋକିତ କରିବା ପାଇଁ ଓ ଅନ୍ୟ ବ୍ୟବହାର ପାଇଁ ସୋଲାର ସେଲ୍ ଲଗାଯାଇଛି । କେବଳ ଘର ନିର୍ମାଣ ସାମଗ୍ରୀ ନୁହେଁ ଦମ୍ପତ୍ତି କରିଥିବା ଗବେଷଣାକୁ ବ୍ୟବହାର କରି ଅନ୍ୟ ବ୍ୟବହାରଯୋଗ୍ୟ ସାମଗ୍ରୀ ମଧ୍ୟ ପ୍ରସ୍ତୁତ ହୋଇପାରିବ । ଏଥିରୁ ଆଗକୁ ଘର ପାଇଁ ଆସବାବ ପତ୍ର ନିର୍ମାଣ କରିହେବ ।
Comments are closed.