ଭୁବନେଶ୍ୱର : ଇଡି ଡେପୁଟି ଡାଇରେକ୍ଟର ଗିରଫ । ୨୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀଙ୍କୁ ଗିରଫ କରିଛି ସିବିଆଇ । ଗିରଫ ପରେ ଗତକାଲି ତାଙ୍କୁ ରାତି ତମାମ ଜେରା କରିଛି ତଦନ୍ତକାରୀ ସଂସ୍ଥା । ଖଣି ମାମଲାକୁ ରଫାଦଫା କରିବା ପାଇଁ ୫୦ ଲକ୍ଷ ଟଙ୍କା ଡ଼ିଲ ହୋଇଥିଲା । ଭକ୍ତି ବେହେରା ନାମକ ଜଣେ ଦଲାଲ ମାଧ୍ୟମରେ ୨୦ ଲକ୍ଷ ଲାଞ୍ଚ ନେବା ବେଳେ ଗତକାଲି ଚିନ୍ତନ ରଘୁବଂଶୀଙ୍କୁ ଭୁବନେଶ୍ୱର ସହିଦ ନଗର ଘରୁ ଗିରଫ କରିଥିଲା ସିବିଆଇ । କ୍ୟାପିଟାଲ ହସ୍ପିଟାଲରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ପରେ ତାଙ୍କ କାର୍ଯ୍ୟାଳୟରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି ।
ଚିନ୍ତନ ରଘୁବଂଶୀ ୨୦୧୩ ବ୍ୟାଚର ଭାରତୀୟ ରାଜସ୍ବ ସେବା-ଆଇଆରଏସ ଅଧିକାରୀ । ଗତ ଜାନୁଆରୀ ୮ରେ ଢେଙ୍କାନାଳର ଖଣି ବ୍ୟବସାୟୀ ରତିକାନ୍ତ ରାଉତ ଓରଫ ଜୁଲୁଙ୍କ କଂପାନୀ ଲିଙ୍କରେ ୧୪ଟି ସ୍ଥାନରେ ରେଡ କରିଥିଲା ଇଡି । ବିଭିନ୍ନ କାଗଜପତ୍ର ଜବତ ହୋଇଥିଲା । ଏ ସଂପର୍କିତ ମାମଲା ଦଫାରଫା କରିବାକୁ ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ୫୦ ଲକ୍ଷ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି । ପ୍ରଥମ କିସ୍ତିରେ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି । ଯୋଜନା ମୁତାବକ ତାଙ୍କୁ ରଙ୍ଗବୋଳା ଟଙ୍କା ଲାଞ୍ଚ ଆକାରରେ ଦିଆଯାଇଥିଲା । ଲାଞ୍ଚ ଟଙ୍କାକୁ ରଘୁବଂଶୀଙ୍କ ନିକଟରୁ ଜବତ କରିଛି ସିବିଆଇ ।

Comments are closed.