ଦୁର୍ଗା ପୂଜା ଏପରି ଏକ ପର୍ବ ଯାହା କେବଳ ଭାରତରେ ନୁହେଁ ବରଂ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଆମେରିକା, ସୋଭିଏତ୍ ଋଷ ଓ ଅନ୍ୟ ବହୁ ଦେଶରେ ମଧ୍ୟ ପାଳନ କରାଯାଏ । ଏହି ଦେଶଗୁଡିକରେ ମଧ୍ୟ ଭାରତ ପରି ବେଶ୍ ଉତ୍ସାହର ସହିତ ଦୁର୍ଗାପୂଜା ପାଳନ କରାଯାଏ । ଭାରତ ଭଳି ଦୁର୍ଗା ପୂଜା ପାଳନ ହେଉଥିବା କିଛି ଦେଶ ବିଷୟରେ ନିମ୍ନରେ… ।
ନେପାଳ:
ନେପାଳରେ ଦୁର୍ଗାପୂଜାକୁ ଦଶୈନ କୁହାଯାଏ । ଏହା ସେଠାରେ ୧୦ ଦିବସୀୟ ଉତ୍ସବ ଭାବରେ ପାଳନ କରାଯାଏ । ମୁଖ୍ୟତଃ ଏକ ହିନ୍ଦୁ ରାଷ୍ଟ୍ର ହୋଇଥିବାରୁ ଏହା ଭାରତ ପରି ଏହି ଉତ୍ସବ ପାଳନ କରିଥାଏ ଓ ସମାନ ନିୟମ ମାନିଥାଏ । ଦଶୈନର ଧାର୍ମିକ ମହତ୍ତ୍ୱ ରହିବା ସହ ନିଜ ପରିବାର ସହ ଖୁସିର ସମୟ କାଟିବାର ଏକ ଅବସର ଆଣିଥାଏ । ଏହି ସମୟରେ ନେପାଳର ସ୍ଥାନୀୟ ନେବାର ସମୁଦାୟ ଲୋକମାନେ ନୃତ୍ୟ ପ୍ରଦର୍ଶନ କରିଥାନ୍ତି ଓ ଭିନ୍ନ ଭିନ୍ନ ଦେବୀ ଦେବତାଙ୍କ ମୁଖା ପିନ୍ଧି ସାମୂହିକ ଭାବରେ ଉତ୍ସବରେ ଯୋଗ ଦେଇଥାନ୍ତି । ଏଠାରେ ଦଶହରାକୁ ପାପ ଉପରେ ପୁଣ୍ୟର ବିଜୟ ପର୍ବ ଭାବରେ ପାଳନ କରାଯାଏ ।
ବାଙ୍ଗଲାଦେଶ:
ଏଠାରେ ହିନ୍ଦୁ ବଙ୍ଗାଳୀଙ୍କ ଦ୍ୱିତୀୟ ବୃହତ୍ତ ଜନସଂଖ୍ୟା ରହୁଥିବାରୁ ଦୁର୍ଗା ପୂଜା ମଧ୍ୟ ଏଠାରେ ସବୁଠାରୁ ସମୃଦ୍ଧ ଭାବରେ ପାଳନ କରାଯାଏ । ପ୍ରତି ସହର ଓ ଜିଲ୍ଲାରେ ଏହି ପର୍ବ ବେଶ୍ ଧୁମଧାମ୍ରେ ପାଳନ କରାଯାଏ । ମନ୍ଦିରରେ ଦେବୀ ମୂର୍ତ୍ତିଗୁଡିକୁ ସଜା ଯିବା ସହିତ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥାଏ । ଏଠାରେ ୫ ଦିନ ଧରି ଦୁର୍ଗା ପୂଜା ପାଳନ କରାଯାଏ । ଚଳିତ ବର୍ଷ ବାଙ୍ଗଲାଦେଶରେ ୩୨୦୦୦ ପୂଜା ମଣ୍ଡପ ନିର୍ମାଣ କରାଯାଇଛି ଓ ଢାକାରେ ସର୍ବାଧିକ ପୂଜା ମଣ୍ଡପ ରହିଛି ବୋଲି ପ୍ରସାର ଭାରତୀ ରିପୋର୍ଟରୁ ଜଣାଯାଇଛି । ଢାକାରେ କନ୍ୟା ପୂଜନର ପରମ୍ପରା ମଧ୍ୟ ରହିଛି । ଛୋଟ ଛୋଟ ଝିଅଙ୍କୁ ମା ଦୁର୍ଗାଙ୍କ ଅବତାର ଭାବରେ ମନେ କରାଯାଇ ସ୍ଥାନୀୟ ମନ୍ଦିରରେ ସେମାନଙ୍କ ପୂଜା କରାଯାଇଥାଏ ।
ଇଂଲଣ୍ଡ:
ଏଠାରେ ରହୁଥିବା ଭାରତୀୟ ସମୁଦାୟ ବେଶ୍ ଉତ୍ସାହର ସହ ଦୁର୍ଗାପୂଜା ମନାଇଥାନ୍ତି । ବହୁ ଆୟୋଜକ ଦେବୀ ମାଙ୍କ ମୂର୍ତ୍ତି ଆମଦାନୀ କରିଥାନ୍ତି । ଏଠାରେ ସମସ୍ତେ ବଙ୍ଗାଳୀ ତରିକାରେ ଦୁର୍ଗାପୂଜା ମନାଇଥାନ୍ତି । ସଂଘ ସବୁ ବୟସର ଲୋକଙ୍କ ଲାଗି କିଛି ନା କିଛି କାର୍ଯ୍ୟକ୍ରମର ଆୟୋଜନ କରିଥାଏ । ଏଠାରେ ଆପଣ ବହୁ ବେଙ୍ଗଲୀ କଳାକାରଙ୍କ ନୃତ୍ୟ ଗୀତ ମଧ୍ୟ ଉପଭୋଗ କରିପାରିବେ ।
ଆମେରିକା:
ଆମେରିକାରେ ମଧ୍ୟ ବହୁ ସଂଖ୍ୟାରେ ବଙ୍ଗାଳୀ ବସବାସ କରୁଛନ୍ତି । ୧୯୭୦ ଦଶକରୁ ଏଠାରେ ୫ ଦିବସୀୟ ଦୁର୍ଗାପୂଜା ପାଳନ କରାଯାଉଛି । ଆମେରିକାର ପ୍ରାୟ ୫୦ ରାଜ୍ୟରେ ଦୁର୍ଗା ପୂଜା କରାଯାଇଥାଏ । ସାରା ଦେଶର ବିଭିନ୍ନ ସଂସ୍ଥା ଏହି ୫ ଦିବସୀୟ ଉତ୍ସବକୁ ପୁରା ଶ୍ରଦ୍ଧା ଓ ସମର୍ପଣର ସହିତ ଆୟୋଜିତ କରିଥାନ୍ତି ।
ଅଷ୍ଟ୍ରେଲିଆ:
ରେକର୍ଡ ଅନୁସାରେ ୧୯୭୪ରେ ନ୍ୟୁ ସାଉଥ୍ େୱଲସ୍ରେ ୧୨ ଗୋଟି ପରିବାର ପକ୍ଷରୁ ପ୍ରଥମେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା ଓ ଏବେ ଏହା ଅଷ୍ଟ୍ରେଲିଆର ସମସ୍ତ ପ୍ରମୁଖ ସହରରେ ପାଳନ କରାଯାଉଛି । ପୂଜାର ପୂର୍ବଦିନ ଅର୍ଥାତ୍ ମହାଷଷ୍ଠୀ ଦିନ ସିଡନୀରେ ହଜାର ହଜାର ବଙ୍ଗାଳୀ ଓ ଅନ୍ୟ ପ୍ରବାସୀ ଭାରତୀୟ ଏକତ୍ର ହୋଇଥାନ୍ତି ଓ ପୂଜା ଉତ୍ସବ ଲାଗି ଯୋଜନା ପ୍ରସ୍ତୁତ କରିଥାନ୍ତି । ମେଲବର୍ଣ୍ଣରେ ଏହି ପର୍ବ କିଜବୋରୋର ଦକ୍ଷିଣ ଉପନଗରରେ ପାଳନ କରାଯାଏ । ଏଠାରେ ପୂଜାର ଅର୍ଥ ଲୋକ ସଂପର୍କ ବୃଦ୍ଧି କରିବା । ଏହି ଅବସରରେ ଏଠାରେ ବିଭିନ୍ନ କ୍ରୀଡା, ଚିତ୍ରାଙ୍କନ ପ୍ରତିଯୋଗିତା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଏଠାରେ ୫ ଦିନ ଧରି ପୂଜା ଆୟୋଜନ କରାଯାଏ ।
Comments are closed.