ବାସ୍ତୁ ଅନୁସାରେ ଆଙ୍କନ୍ତୁ ସ୍ୱସ୍ତିକ୍‌

ହିନ୍ଦୁ ଧର୍ମରେ ସ୍ୱସ୍ତିକ୍‌ ଚିହ୍ନକୁ ବହୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ । ଯେକୌଣସି ଶୁଭ କାର୍ଯ୍ୟକୁ ଆରମ୍ଭ କରିବା ପୂର୍ବରୁ ସ୍ୱସ୍ତିକ୍‌ ଚିହ୍ନ ଆଙ୍କିବା ବେଶ୍‌ ଜରୁରୀ ହୋଇଥାଏ । ଏହାକୁ କରିବା ଦ୍ୱାରା ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ପୂର୍ଣ୍ଣ ହୋଇଥାଏ ବୋଲି ଲୋକବିଶ୍ୱାସ ରହିଛି । ଏହା ପ୍ରଭୁ ଗଣେଶଙ୍କର ପତ୍ନୀ ରିଦ୍ଧି ଏବଂ ସିଦ୍ଧିଙ୍କୁ ଦର୍ଶାଏ । ଗଣେଶ ପୂରାଣ ଅନୁସାରେ ସ୍ୱସ୍ତିକ୍‌ ହେଉଛି ଗଣେଶଙ୍କର ସ୍ୱରୂପ । ତେଣୁ ଯେକୌଣସି ପୂଜା କରିବା ପୂର୍ବରୁ ଗଣେଶଙ୍କର ସ୍ଥାପନା କରିବା ନିତ୍ୟାନ୍ତ ଆବଶ୍ୟକ। ପୂଜା ସହିତ ବାସ୍ତୁଶାସ୍ତ୍ରରେ ମଧ୍ୟ ଏହାର ଉପଯୋଗ କରାଯାଏ । ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଘରେ ଭିନ୍ନ ଭିନ୍ନ ସ୍ଥାନରେ ସ୍ୱସ୍ତିକ୍‌ ଚିହ୍ନ ଅଙ୍କାଯାଇଥାଏ । ଆସନ୍ତୁ ଜାଣିବା କେଉଁ କେଉଁ ସ୍ଥାନରେ ଏହାକୁ ଆଙ୍କିବା ଦ୍ୱାରା ଅସମ୍ପୂର୍ଣ୍ଣ କାର୍ଯ୍ୟ ବିନା ବାଧାବିଘ୍ନରେ ସମ୍ପୂର୍ଣ୍ଣ ହୋଇଥାଏ ।

ମୁଖ୍ୟ ଦ୍ୱାର: ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟଦ୍ୱାରରେ ଏହି ଚିହ୍ନ ଆଙ୍କିବା ଦ୍ୱାରା ପ୍ରତ୍ୟେକ ବାସ୍ତୁ ଦୋଷରୁ ଆଶ୍ୱସ୍ତି ମିଳିଥାଏ । ଏହାସହ ଦାରିଦ୍ର୍ୟତା ଦୂର ହୋଇଥାଏ । ମେନ୍‌ ଡୋର୍‌ରେ ଅଷ୍ଟ ଧାତୁ କିମ୍ବା ତମ୍ଭାର ସ୍ୱସ୍ତିକ୍‌ ଲଗାଇବା ଶୁଭ ବୋଲି କୁହାଯାଏ ।
ତିଜୋରି : ତିଜୋରିରେ ଲାଲ୍‌ ରଙ୍ଗର ସ୍ୱସ୍ତିକ ଚିତ୍ର ଆଙ୍କିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବା ସହ ତିଜୋରି ଭିତରେ ଲାଲ୍‌ କିମ୍ବା ହଳଦିଆ ରଙ୍ଗର କପଡାରେ ହଳଦୀ ଏବଂ ଚାଉଳ ବାନ୍ଧିକି ରଖନ୍ତୁ । ଏପରି କରିବା ଦ୍ୱାରା ଧନ ବୃଦ୍ଧି ହେବ ।
ଅଗଣା : ଅଗଣା ମଝିରେ ସ୍ୱସ୍ତିକ୍‌ ଚିତ୍ର ଆଙ୍କିବା ବହୁ ଲାଭକାରୀ ସାବ୍ୟସ୍ତ ହୋଇଥାଏ । ଏପରି କରିବା ଦ୍ୱାରା ଘରୁ ନକରାତ୍ମକତା ଦୂରେଇଯାଏ ଏବଂ ପିତୃପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ ।
କବାଟ : ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଘର କବାଟର ଉଭୟ ପାଶ୍ୱର୍ରେ ହଳଦିଆ ରଙ୍ଗର ସ୍ୱସ୍ତିକ୍‌ ଚିତ୍ର ଆଙ୍କିବା ବହୁତ ଭଲ ।

Govt

Comments are closed.