ଡ. ଗାୟତ୍ରୀବାଳା ପଣ୍ଡା ପାଇବେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର

ଭୁବନେଶ୍ୱର: ୨୦୨୨ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବେ ଓଡ଼ିଆ ଭାଷାରେ କବି ଡ. ଗାୟତ୍ରୀବାଳା ପଣ୍ଡା I ତାଙ୍କର କବିତା ସଂକଳନ ‘ଦୟାନଦୀ’ ପାଇଁ ଏହି ମର୍ଯ୍ୟାଦାଜନକ ପୁରସ୍କାର ତାଙ୍କୁ ମିଳିଥିବା ଘୋଷଣା କରାଯାଇଛି । ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କାର ଅର୍ଥରାଶି ଓ ତାମ୍ର ଫଳକ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଏକ ସ୍ୱତନ୍ତ୍ର ଉତ୍ସବରେ ତାଙ୍କୁ ପ୍ରଦାନ କରାଯିବ । ୨୦୨୨ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀର ଏହି ପୁରସ୍କାର ୨୩ଟି ଭାଷାରେ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି । କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କୃତ କବିତା ସଂକଳନ ‘ଦୟାନଦୀ’ ୨୦୧୭ରେ ପକ୍ଷୀଘର ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶ ପାଇଥିଲା । ଏହା ପୂର୍ବରୁ ସେ ୨୦୧୧ ମସିହାରେ କବିତା ସଂକଳନ ‘ଗାଁ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଥିଲେ । କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଦୁଇ ଥର ପୁରସ୍କୃତ ହେବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ କବି । କବିତା ସଂକଳନ ‘ଦୟାନଦୀ’ କଳିଙ୍ଗ ଯୁଦ୍ଧ ଉପରେ ଆଧାରିତ । ଏଥିରେ ଉତ୍ସର୍ଗ ଓ ପରିଶିଷ୍ଟକୁ ମିଶେଇ ୬୪ଟି କବିତା ରହିଛି । କଳିଙ୍ଗ ଯୁଦ୍ଧର ଏକମାତ୍ର ସାକ୍ଷୀ ଭାବରେ ଆଜି ବି ଅଛି ଦୟାନଦୀ ।

ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି କବିତା, ଗପ, ଉପନ୍ୟାସ, ପ୍ରବନ୍ଧ ଓ ଖବରକାଗଜରେ ସ୍ତମ୍ଭ ରଚନା କରି ଯଥେଷ୍ଟ ପାଠକୀୟ ସ୍ୱୀକୃତି ହାସଲ କରିଥିବା କବି ଗାୟତ୍ରୀବାଳା ପଣ୍ଡାଙ୍କର ଅଦ୍ୟାବଧି ୨୫ଖଣ୍ଡ ପୁସ୍ତକ ପ୍ରକାଶ ପାଇଛି । ସେଥିମଧ୍ୟରୁ ଓଡ଼ିଆ ଭାଷାରେ ବାରଟି କବିତା ସଂକଳନ, ଦୁଇଟି ଗଳ୍ପ ସଂକଳନ, ଦୁଇଟି ଉପନ୍ୟାସ ଏବଂ ଗୋଟିଏ ପ୍ରବନ୍ଧ ସଂକଳନ ପ୍ରକାଶ ପାଇଛି । ଏତବ୍ୟତୀତ ହିନ୍ଦୀ ଭାଷାରେ ପାଞ୍ଚଟି କବିତା ସଂକଳନ ଓ ଇଂରାଜୀ ଭାଷାରେ ଦୁଇଟି କବିତା ସଂକଳନ, ଗୋଟିଏ ଗଳ୍ପ ସଂକଳନ ପ୍ରକାଶ ପାଇଛି । କବିତା ସଂକଳନଗୁଡ଼ିକ ହେଲା ‘ଆହତ ପ୍ରତିଶ୍ରୁତି’, ‘ଅସ୍ପଷ୍ଟ ଈଶ୍ୱର’, ‘ଅଣାୟତ୍ତ’, ‘ଗାଁ’, ‘ଯେତିକି ଦିଶୁଚି ଆକାଶ’, ‘ଆଖି ନାଇଁ କାନ ନାଇଁ’, ‘ଏ ରାତିର ଯେତେ ତାରା’, ‘ବାଘ’, ‘ଦୟାନଦୀ’, ‘ମହେଞ୍ଜୋଦାରୋ’, ‘ନିର୍ବାଚିତ କବିତା’ ଓ ‘ପ୍ରାର୍ଥନାର ଶବ୍ଦପରି’ । ‘ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହେବା ପରେ ଡ. ପଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ମତେ ନୁହେଁ, ମୋ ଲିଖିତ କବିତା ପୁସ୍ତକ ‘ଦୟାନଦୀ’ ପାଇଁ ମତେ ଏହି ପୁରସ୍କାର ମିଳିବ ଏବଂ ଏହି ପୁରସ୍କାର ହେଉଛି ପାଠକଙ୍କ ଶ୍ରଦ୍ଧା ଓ ସଦିଚ୍ଛା ।

ଜଗତସିଂହପୁର ଜିଲ୍ଲାର ସାଦେଇପୁରରେ ୧୯୭୭ରେ ଜନ୍ମଗ୍ରହଣ କରିଥିବା ଗାୟତ୍ରୀବାଳା ହେଉଛନ୍ତି ଗୋଲକ ବିହାରୀ ପଣ୍ଡା ଓ ଅରୁଣିମା ପଣ୍ଡାଙ୍କ କନ୍ୟା, ନୃସିଂହ ଚରଣ ମଙ୍ଗରାଜ ଓ ଶ୍ରଦ୍ଧାଞ୍ଜଳି ମଙ୍ଗରାଜଙ୍କ ପୁତ୍ରବଧୁ ଏବଂ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଧର୍ମପତ୍ନୀ ।

Comments are closed.