କଟକ:କଟକ ବଡ଼ ମେଡିକାଲରୁ ପିଲାଚୋରୀ ଘଟଣାର ଫିଟିଲା ଗୁମର I ଗିରଫ ହେଲେ ପିଲା ଫେରାଇବାକୁ ଆସିଥିବା ସ୍ୱାମୀ-ସ୍ତ୍ରୀ I ମଙ୍ଗଳବାର ଦିନ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କୁ ଗିରଫ କରି କଟକ ମଙ୍ଗଳାବାଗ ଥାନା ପୁଲିସ କୋର୍ଟ ଚାଲାଣ କରିଛନ୍ତି । ଗିରଫ ଦମ୍ପତି ହେଲେ କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀ ଅଂଚଳର କୈବର୍ତ୍ତ ସାହିର ସୁଇଟି ରାଉତ (୨୧) ଓ ତାଙ୍କ ସ୍ୱାମୀ ବବୁଲୁ ବେହେରା (୨୬) । ଉଭୟଙ୍କୁ ଚୌଦ୍ୱାର ଜେଲ୍କୁ ପଠାଇଦିଆଯାଇଛି । ଏହା ସହ ଅଭିଯୁକ୍ତ ଦମ୍ପତିଙ୍କ ଠାରୁ ନକଲି ଡାକ୍ତରଖାନା କାଗଜପତ୍ର ଜବତ ହୋଇଛି I
ସୂଚନାନୁସାରେ ଗତ ଦୁଇ ଦିନ ପୂର୍ବରୁ ବଡ଼ ମେଡିକାଲ ଏସଏନସିୟୁ ରେ ଚିକିତ୍ସିତ ହେଉଥିବା ଜଣେ ନବଜାତ ଶିଶୁକନ୍ୟା ଗାୟବ ହୋଇଯାଇଥିବା ନେଇ ଜଣାପଡିଥିଲା I ନବଜାତ ଶିଶୁକନ୍ୟା ଜଣକ ପୁରୀ ଚନ୍ଦନପୁର ଅଞ୍ଚଳର ତୋଫାନ କୁମାର ଜେନା ଓ ତାଙ୍କ ପତ୍ନୀ ତିଳୋତ୍ତମା ବିଶ୍ୱାଳଙ୍କର ବୋଲି ଜଣାପଡିଥିଲା । ତିଳୋତ୍ତମା ଯାଆଁଳା ଶିଶୁକନ୍ୟା ପ୍ରସବ କରିଥିଲେ I କିନ୍ତୁ ଜଣେ ଶିଶୁକନ୍ୟା ର ଜଣ୍ଡିସ ଲକ୍ଷଣ ଦେଖାଦେବାରୁ ତାଙ୍କୁ ଶିଶୁବିଭାଗ ଏସଏନସିୟୁ ରେ ରଖି ଚିକିତ୍ସା କରାଯାଉଥିଲା I ତେବେ ଗତ ଦୁଇଦିନ ପୂର୍ବରୁ ଅପରାହ୍ନ ପ୍ରାୟ ୩ଟା ବେଳେ ହସ୍ପିଟାଲ ବେଡ୍ରେ ତାଙ୍କ ଝିଅ ନଥିବା କଥା ତାଙ୍କୁ ଫୋନରେ ଜଣାଇଥିଲେ ଦାୟିତ୍ୱରେ ଥିବା କର୍ମଚାରୀ । ବେଡ୍ ଉପରେ ଚିକିତ୍ସାଧିନ ପିଲା ହଠାତ୍ ଉଭାନ ହୋଇଯିବାରୁ ଡ୍ୟୁଟିରେ ଥିବା ଜଣେ ଷ୍ଟାଫ୍ ନର୍ସ ସନ୍ଦେହରେ ଅଭିଭାବକଙ୍କୁ ଯୋଗାଯୋଗ କରିଥିଲେ । ସେମାନେ ପିଲା ନେଇନଥିବା କହିଥିଲେ । ପରେ ତୋଫାନ ଏନେଇ ମେଡିକାଲ୍ ଫାଣ୍ଡିରେ ଏତଲା ଦେଇଥିଲେ ।ଏନେଇ ସେ ତୁରନ୍ତ ମଙ୍ଗଳବାଗ ଥାନାରେ ଏତଲା ଦେବା ପରେ ଆରମ୍ଭ ହୋଇଥିଲା ଛାନଭିନ୍ । ଘଟଣା ବିଜୁଳି ବେଗରେ ପ୍ରଘଟ ହେବା ପରେ ରାତି ପ୍ରାୟ ୮ଟା ବେଳକୁ କଟକ ପ୍ରତାପନଗରୀ ଅଞ୍ଚଳର ଏକ ଦମ୍ପତି ଚୋରି ଛୁଆକୁ ଫେରାଇବାକୁ ଆସିବା ପରେ ଘଟଣାରେ ଆସିଥିଲା ଟ୍ୱିଷ୍ଟ ।
ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ଅଭିଯୁକ୍ତ ଉପାୟଶୂନ୍ୟ ହୋଇ ପିଲାକୁ ଫେରସ୍ତ ଦେବା ସହ ତାଙ୍କ ପୁଅ ବଦଳ ହୋଇଯାଇଥିବା ମିଛରେ କହିଥିଲେ । ତେବେ ତଦନ୍ତ ବେଳେ ସେମାନଙ୍କ କୌଣସି ଶିଶୁପୁତ୍ର ନଥିବା ଜଣାପଡ଼ିଥିଲା । ସ୍ୱାମୀ-ସ୍ତ୍ରୀଙ୍କ କଥାରେ ତାଳମେଳ ନରହିବାରୁ ପୁଲିସ ଅଭିଯୁକ୍ତ ଦମ୍ପତିଙ୍କ ସହ ତାଙ୍କ ଶାଶୂକୁ ଅଟକ ରଖିଥିଲେ । ଶାଶୂଙ୍କର କୌଣସି ଭୂମିକା ନଥିବାରୁ ପୁଲିସ ତାଙ୍କୁ ଛାଡିଦେଇଥିଲା ବେଳେ ଅଭିଯୁକ୍ତ ସୁଇଟି ଓ ବବୁଲୁ ବିରୋଧରେ ଏକାଧିକ ସଂଗୀନ ଦଫାରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଛନ୍ତି । ଅନ୍ୟପକ୍ଷରେ ଉକ୍ତ ଘଟଣାରେ କର୍ତ୍ତବ୍ୟରେ ଅବହେଳା କରିଥିବା ସିକ୍ୟୁରିଟି ଗାର୍ଡକୁ ଡାକ୍ତରଖାନା କର୍ତ୍ତୃପକ୍ଷ ବିଦା କରିଥିବା ବେଳେ ଏସ୍ଏନ୍ସିୟୁରେ ନିୟୋଜିତ ଷ୍ଟାଫ୍ ନର୍ସ ଏବଂ ଅନ୍ୟ କର୍ମଚାରୀମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।

Comments are closed.