ଦିଲ୍ଲୀ: ମାର୍ଚ୍ଚ ୦୫: ୟୁକ୍ରେନ୍-ଋଷ୍ ଯୁଦ୍ଧ ଆଜିକୁ ଦଶମ ଦିନରେ ପହଞ୍ଚିଛି । ଋଷ୍ର ଆକ୍ରମଣରେ ଛିନ୍ଭିନ୍ ହେବାକୁ ଲାଗିଛି ୟୁକ୍ରେନ୍ । ରାଜଧାନୀ କିଭ୍କୁ ପାଇବା ପାଇଁ ଋଷ୍ ଆକ୍ରାଣାତ୍ମକ ହୋଇଉଠିଛି । ଯୁଦ୍ଧ ଆରମ୍ଭଠାରୁ ଏପର୍ଯ୍ୟନ୍ତ ପ୍ରାୟ ୧୨ ଲକ୍ଷରୁ ଅଧିକ ୟୁକ୍ରେନ୍ବାସୀ ନିଜ ବାସଗୃହ ହରାଇସାରିଲେଣି ।
ନିକଟରେ ଋଷୀୟ ସେନା ୟୁକ୍ରେନ୍ ଉପରେ ‘ଭାକୁ୍ୟମ ବମ୍’ ନିକ୍ଷେପ କରିଥିବା ଖବର ଶୁଣିବାକୁ ମିଳିଥିଲା ବେଳେ ଏବେ ‘କ୍ଲଷ୍ଟର ବମ୍’ ନିକ୍ଷେପ କରିଛି । ଯାହାକୁ ‘ଯୁଦ୍ଧ ଅପରାଧ’ ବୋଲି ‘ନାଟୋ’ର ସେକ୍ରେଟାରୀ-ଜେନେରାଲ୍ ଜେନ୍ସ ଷ୍ଟୋଲ୍ଟେନ୍ବର୍ଗ ପ୍ରକାଶ କରିଛନ୍ତି । ବିଶେଷ କରି କିଭ୍, ଖାରକିଭ୍, ଖେରସନ୍, ଜୋନରିଜିଆ ଓ ବୋରଦୟାଙ୍କ ସହର ଉପରେ ବୋମା ନିକ୍ଷେପ କରାଯାଇଛି ।
କ୍ଲଷ୍ଟର ବମ୍ କ’ଣ?
କ୍ଲଷ୍ଟର ବମ୍ ବା କ୍ଲଷ୍ଟର ମୁନିସନ୍ର ଏକ ବିସ୍ପୋରକ ଯାହାକୁ ବାୟୁ ମଣ୍ଡଳରୁ ଭୂମିକୁ ନିକ୍ଷେପ କରାଯାଏ । ଏହି ବମ୍ ଭିତରେ ଶହ ଶହ ଛୋଟ ଗୋଲାକାର ଆକାରରେ ବମ୍ ଭରି ରହିଥାଏ । ବାୟୁମଣ୍ଡଳରୁ ହଜାରେ ବା ଶହେ ମିଟର ଉଚ୍ଚରୁ ଏହାକୁ ନିକ୍ଷେପ କରାଯାଏ । କ୍ଲଷ୍ଟର ବମ୍ଟି ନିକ୍ଷେପ କରାଯିବା ମାତ୍ରେ ତାହା ଭିତରେ ଭରି ରହିଥିବା ଛୋଟ ଛୋଟ ବମ୍ଗୁଡ଼ିକ ବାହାରି ପଡ଼ି ଭୂମିରେ ପଡ଼ିଥାଏ । ଫଳରେ ସମ୍ପୂର୍ଣ୍ଣ ଅଞ୍ଚଳଟି ଧ୍ୱସଂ ହୋଇଯାଏ । ସାଧାରଣ ଲୋକଙ୍କୁ ହତ୍ୟା କରିବା, ଯାନବାହାନ ନଷ୍ଟ କରିବା, ପୋଲ, ବଡ଼ ବଡ଼ ଅଟ୍ଟାଳିକା, ସ୍ଥାପତ୍ୟ, ବିଦୁ୍ୟତ ଟ୍ରାନ୍ସମିସନ୍ ଆଦିକୁ ଧ୍ୱସଂ କରିବା ସକାଶେ ଏହି ବମ୍କୁ ବ୍ୟବହାର କରାଯାଏ । ଏହାର ଧ୍ୱସାଂବହକୁ ଦେଖି ଏହି ବମ୍ର ବ୍ୟବହାରକୁ ନିଷେଧ କରାଯାଇଛି ।
ଋଷ୍ ଓ ଜର୍ମାନୀ ବିଶ୍ୱଯୁଦ୍ଧରେ ପ୍ରଥମେ ଏହି କ୍ଲଷ୍ଟର ବମ୍କୁ ବ୍ୟବହାର କରିଥିଲେ ।

Comments are closed.