ଇମ୍ଫାଲ : ସେପ୍ଟେମ୍ବର ୧୯: ଇମ୍ଫାଲ ଏୟାରପୋର୍ଟରେ ସିଆଇଏଫ୍ଏଫ୍ ଏବଂ କଷ୍ଟମ୍ର ବରିଷ୍ଠ ଅଧିକାରୀ ମିଳିତ ଭାବେ ସୁନା ଚୋରା ଚାଲଣକାରୀକୁ ଧରିଛନ୍ତି । ପେଟରେ ସୁନା ଲୁଚାଇ ନେଉଥିବା ବେଳେ ଚୋର ଧରାପଡ଼ିଛି । ଅଭିଯୁକ୍ତଠାରୁ ୯୦୦ଗ୍ରାମରୁ ଅଧିକ ଓଜନ ବିଶିଷ୍ଟ ସୁନା ଜବତ କରାଯାଇଛି । ଯାହାର ମୂଲ୍ୟ ପ୍ରାୟ ୪୨ ଲକ୍ଷରୁ ଅଧିକ ହେବ ।
ପୋଲିସ ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତ କେରଳର କୋଝିକୋଡେ ବାସିନ୍ଦା ମହମ୍ମଦ ସରିଫ । ସେ ଅପରାହ୍ନ ୨.୪୦ରେ ବିମାନ ଯୋଗେ ଇମ୍ଫାଲରୁ ଦିଲ୍ଲୀକୁ ଯାଉଥିଲା । ପ୍ରାୟ ୯୦୦ ଗ୍ରାମ ଓଜନର ସୁନା ପେଷ୍ଟକୁ ପେଟ ଭିତରେ ଲୁଚାଇ ନେଇଯାଉଥିଲା । ଇମ୍ଫାଲ ଏୟାରପୋର୍ଟ ଯାଞ୍ଚ ସମୟରେ ପେଟ ଭିତରେ ପ୍ରାୟ ୯୦୮.୬୮ ଗ୍ରାମ ଓଜନ ବିଶିଷ୍ଟ ଚାରୋଟି ପ୍ୟାକେଟ୍ ସୁନା ପେଷ୍ଟ ଥିବା ଜାଣିପାରିଥିଲା ସିଏସ୍ଏଫ୍ ଏବଂ କଷ୍ଟମ୍ ଅଧିକାରୀ । ଏହାପରେ ଅଭିଯୁକ୍ତକୁ ପଚରାଉଚରା କରାଯାଇଥିଲା । କି;ୁ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲା ।
ଏହା ପରେ ଅଭିଯୁକ୍ତକୁ ଡାକ୍ତରୀ ପରୀକ୍ଷା ପାଇଁ ନିଆଯାଇଥିଲା । ଶରୀର ଏକ୍ସ-ରେ କରାଯିବା ପରେ ପେଟ ଭିତରେ ସୁନା ପେଷ୍ଟ କଥା ଜଣାପଡ଼ିଥିଲା । ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସୁନା ପେଷ୍ଟ ମିଳିବା ପରେ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଛି ।

Comments are closed.