ସିଦ୍ଧୁଙ୍କ ଇସ୍ତଫା ନେଇ ମନୀଷଙ୍କ କଟାକ୍ଷ: କହିଲେ ପଞ୍ଜାବ କନ୍ଦଳରେ ପାକିସ୍ତାନ ଖୁସି

0

ଚଣ୍ଡୀଗଡ଼: ସେପ୍‌ଟେମ୍ବର ୨୯: ଗତକାଲି ପଞ୍ଜାବ କଂଗ୍ରେସର ସଭାପତି ପଦରୁ ନବଜୋତସିଂହ ସିଦ୍ଧୁ ଇସ୍ତଫା ଦେଇଥିଲେ । ତାଙ୍କର ଇସ୍ତଫା ପରେ ଏବେ କଂଗ୍ରେସ ଭିତରେ କନ୍ଦଳ ଦେଖାଯାଇଛି । କଂଗ୍ରେସର ବରିଷ୍ଠ ନେତା ତଥା ଆନନ୍ଦପୁର ସାହିବ ଲୋକସଭା ସାଂସଦ ମନୀଷ ତିୱାରୀ ସିଦ୍ଧୁଙ୍କ ନାମ ନ ନେଇ ତାଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି, ପଞ୍ଜାବରେ ଚାଲିଥିବା କନ୍ଦଳକୁ ନେଇ ସବୁଠାରୁ ଅଧିକ ଖୁସି ପାକିସ୍ତାନ ହେଉଛି । ୧୯୮୦ ମସିହାରୁ ନେଇ ୧୯୯୫ ମସିହା ପର୍ଯ୍ୟନ୍ତ ୨୫ ହଜାର ଲୋକ ଆତଙ୍କବାଦୀ ଓ ଉଗ୍ରବାଦୀଙ୍କ ସହି ଲଢ଼ି ପଞ୍ଜାବରେ ଶାନ୍ତି ସ୍ଥାପନା କରିଥିଲେ । କିନ୍ତୁ ଆଜି ପଞ୍ଜାବ କଂଗ୍ରେସରେ ଯାହା କିଛି ହେଉଛି, ତାହାର ଆନନ୍ଦ ପାକିସ୍ତାନ ନେଉଥିବ । ଏହାସହିତ ସେ ଆଉପାଦେ ଆଗକୁ ଯାଇ କହିଛନ୍ତି କି, କ୍ୟାପଟେନ ଅମରିନ୍ଦରଙ୍କ କଥା ସତ ହେବାକୁ ଯାଉଛି ।
ସେ ସିଦ୍ଧୁଙ୍କୁ ଟାର୍ଗେଟ୍‌ କରି ଆହୁରୀ ମଧ୍ୟ କହିଛନ୍ତି କି, ପଞ୍ଜାବରେ ଯାହା ଘଟିଲା ତାହା ଘଟିବ ବୋଲି ଆଗରୁ ଅନୁମାନ କରାଯାଉଥିଲା, ଯଦି ପଞ୍ଜାବ କଂଗ୍ରେସର ଅସ୍ଥିରତା ନେଇ ସବୁଠାରୁ ବେଶି ଖୁସି କେହି ହୋଇଥାଏ ସେ ହେଉଛି ପାକିସ୍ତାନ ।
ଅନ୍ୟପଟେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ କ୍ୟାପଟେନ ଅମରିନ୍ଦର ସିଂ ଦେଇଥିବା ବୟାନକୁ ନେଇ ପୂର୍ବ ସାଂସଦ ସନ୍ଦୀପ ଦିକ୍ଷୀତ କ୍ୟାପଟେନଙ୍କ ଉପରେ ଖୁବ୍‌ କ୍ଷୁବ୍ଧ ହୋଇଛନ୍ତି । ଦିକ୍ଷୀତ କହିଛନ୍ତି ଯେ, ମୋତେ ଲାଗୁଛି କ୍ୟାପଟେନ ଦଳର ଉଚ୍ଚପଦସ୍ଥ ନେତାଙ୍କ ଉପରେ ରାଗିବାର କିଛି କାରଣ ନାହିଁ, କାରଣ କ୍ୟାପଟେନଙ୍କ ପଦ ତାଙ୍କ ବିଧାୟକଙ୍କ ଅସନ୍ତୋଷ ପାଇଁ ଯାଇଛି ।
ସୂଚନା ଥାଉ ଯେ, ଗତକାଲି ପଞ୍ଜାବ ପ୍ରଦେଶ କଂଗ୍ରେସ ସଭାପତି ପଦରୁ ନବଜୋନ ସିଂହ ସିଦ୍ଧୁ ଇସ୍ତଫା ଦେଇଥିଲେ । ସେ ନିଜ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଖକୁ ପଠାଇଥିଲେ । ପଦରେ ରହିବାର ମାତ୍ର ୭୨ ଦିନ ପରେ ସେ ଇସ୍ତଫା ଦେଇଥିବା ବେଳେ ଏହାକୁ ନେଇ କଂଗ୍ରେସ ଦଳରେ ଚର୍ଚ୍ଚା ଜୋର୍‌ ଧରିଛି ।

Leave A Reply

Your email address will not be published.