ତାଇପେଇ: ତାଇୱାନ ଜଳରାଶିରେ ଚୀନର ଦାଦାଗିରି ଦିନକୁ ଦିନ ସୀମା ଅତିକ୍ରମ କରୁଛି । ତାଇୱାନ ଜଳରାଶିରେ ଚୀନ୍ ନିଜ ଯୁଦ୍ଧାସ୍ତ୍ର ସଂଖ୍ୟା ଧୀରେ ଧୀରେ ବୃଦ୍ଧି କରୁଛି । ଏହାର ମୁକାବିଲା ପାଇଁ ତାଇୱାନ-ଆମେରିକା-ଜାପାନ ଏକାଠି ହୋଇଛନ୍ତି ।
ତାଇୱାନ ଷ୍ଟେଟ୍କୁ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣରେ ରଖିବାକୁ ଚୀନର ପ୍ରୟାସକୁ ପଣ୍ଡ କରିବା ନିମନ୍ତେ ତାଇୱାନ ବାୟୁସେନା କେତେକ ଜରୁରୀ ପଦକ୍ଷେପ ଗ୍ରହଣ କରିବା ପରେ ଏଥିପାଇଁ ଆମେରିକା ପୂର୍ଣ୍ଣ ସହାୟତା ଯୋଗାଇ ଦେଇଛି । ଚୀନ୍ ସେନାର ବିଶାଳ ଉପସ୍ଥିତି ଏବଂ ଯୁଦ୍ଧ ଜାହାଜ ମୁତୟନ ସତ୍ତେ୍ୱ ତାଇୱାନ ଅବିଚଳିତ ରହିବା ପଛରେ ଆମେରିକାର ଆଶ୍ୱାସନା ହିଁ ମୁଖ୍ୟ କାରଣ ବୋଲି କୁହାଯାଇଛି ।
ଆମେରିକା ଓ ଜାପାନ ମଧ୍ୟ ତାଇୱାନ୍ ଷ୍ଟେଟ୍ରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଠୁଳ କରୁଛନ୍ତି । ଆମେରିକା ନିଜର ମହାବିନାଶକ ବିମାନବାହୀ ଯୁଦ୍ଧପୋତ ମୁତୟନ କରିଥିବା ବେଳେ ଜାପାନ ମଧ୍ୟ କ୍ଷେପଣାସ୍ତ୍ର ବ୍ୟବସ୍ଥାକୁ ହାଇଆଲର୍ଟ ରଖିଛି । ଆମେରିକା ବିଭିନ୍ନ ରେଞ୍ଜର କ୍ଷେପଣାସ୍ତ୍ର ନିଜ ଯୁଦ୍ଧପୋତଗୁଡ଼ିକରେ ମହଜୁଦ ରଖିବା ସହ ମେରିନ କମାଣ୍ଡୋ ବାହିନୀକୁ ପୂର୍ଣ୍ଣ କାର୍ଯ୍ୟକ୍ଷମତାର ସହ ନିୟୋଜିତ କରିଛି ।
ଚୀନ୍ ଡ୍ରୋନଗୁଡ଼ିକୁ ଆକ୍ରମଣ କରି ଖସାଇ ଦେବା ନିମନ୍ତେ ତାଇୱାନକୁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଦିଆଯାଇଛି । ତାଇୱାନର ଶତାଧିକ ପାଇଲଟ୍ ଇତିମଧ୍ୟରେ ଆମେରିକାରେ ନୂଆ ପିିର ସର୍ବାଧୁନିକ ଯୁଦ୍ଧ ବିମାନ ଚାଳନ କେଶଳ ଶିକ୍ଷା କରି ଫେରିଛନ୍ତି । ଚୀନ୍ ସହ ଭୀଷଣ ଯୁଦ୍ଧ ସ୍ଥିତିରେ ଆମେରିକା ତାଇୱାନର ସୁରକ୍ଷା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ବୋଲି ସଙ୍କେତ ଦେଇସାରିଛି । ଚୀନ୍ ଆମେରିକାକୁ ଧମକାଇ ଯେଭଳି ତାଇୱାନ ମାମଲାରୁ ଦୂରେଇ ରଖିବାକୁ ଚାହୁଥିଲା ତାହା କାମ ଦେଇନାହିଁ ।
ଏଭଳି ସ୍ଥିତିରେ ଅଚାନକ ତାଇୱାନକୁ ଦଖଲ କରିନେବା ପାଇଁ ଚୀନ୍ କେଣସି ବଡ଼ ସାମରିକ ଯୋଜନା କାର୍ଯ୍ୟକାରୀ କରିବାକୁ ସାହସ ଜୁଟାଇ ପାରୁନଥିବା କୁହାଯାଇଛି ।
ତାଇୱାନ ଉପରେ ଆକ୍ରମଣ କରି ସୀମିତ କାର୍ଯ୍ୟାନୁଷ୍ଠାନରେ ଏହାକୁ ଦଖଲକୁ ନେବା ସମ୍ଭବ ନଥିବାରୁ ପୂର୍ଣ୍ଣାଙ୍ଗ ଯୁଦ୍ଧ ହିଁ ଚୀନ୍ ପାଖରେ ଏକମାତ୍ର ବିକଳ୍ପ ଭାବେ ରହିଯାଇଛି । ତେବେ ସାଂପ୍ରତିକ ବିଶ୍ୱ ଦୃଶ୍ୟପଟରେ ଏଭଳି ଯୁଦ୍ଧ ଚୀନ୍ ପାଇଁ ଅତି ମହଙ୍ଗା ସାବ୍ୟସ୍ତ ହେବ ବୋଲି ଯୁଦ୍ଧନୀତି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ତେଣୁ ଚୀନ୍ ତାଇୱାନର ବାଣିଜ୍ୟିକ କାରବାକୁ ଠପ୍ କରିବା ପାଇଁ କେବଳ ଘେରାବନ୍ଦୀରେ ରଖିବାକୁ ଚାହୁଁଛି । ତେବେ ଏଭଳି ପ୍ରକ୍ରିୟା ମଧ୍ୟ ଅଧିକ ଦିନ ତିଷ୍ଠି ରହିବ ନାହିଁ ଏବଂ ତାଇୱାନ ଏହାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଚଳାଇଛି ।

Comments are closed.