ଚୀନ୍‌ର ପ୍ରତିରକ୍ଷା ବଜେଟ୍‌ ୩ ଗୁଣା ଅଧିକ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ବଜେଟ୍‌ ବିଶ୍ୱରେ ୩ୟ ସର୍ବାଧିକ । ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ଖର୍ଚ୍ଚ ବିଶ୍ୱରେ ସର୍ବାଧିକ ହୋଇଥିବାବେଳେ ତା ତଳକୁ ଚୀନ ରହିଛି ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସଂସଦରେ ସୂଚନା ଦିଆଯାଇଛି ।

ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭାରତ ସରକାର ଅନ୍ୟ ଦେଶଙ୍କ ପ୍ରତିରକ୍ଷା ବଜେଟ ସଂପର୍କିତ ତଥ୍ୟ ରଖନ୍ତି ନାହିଁ । ତେବେ ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ ରିସର୍ଚ୍ଚ ଇନଷ୍ଟିଚୁ୍ୟଟର ତଥ୍ୟକୁ ଅଧାର କରି ଏହି ସୂଚନା ପ୍ରସ୍ତୁତ କରାଯାଇଛି । ପ୍ରତିରକ୍ଷା ଖର୍ଚ୍ଚରେ ଚୀନ ତଳକୁ ଭାରତ ଥିଲେ ବି ଉଭୟଙ୍କ ପ୍ରତିରକ୍ଷା ଖର୍ଚ୍ଚ ମଧ୍ୟରେ ଏକ ବଡ଼ ବ୍ୟବଧାନ ରହିଛି ।

ଚୀନ୍‌ର ପ୍ରତିରକ୍ଷା ବଜେଟ୍‌ ୩ ଗୁଣା ଅଧିକ

ଚୀନର ପ୍ରତିରକ୍ଷା ବଜେଟ ଭାରତର ପ୍ରାୟ ୩ ଗୁଣ ବୋଲି ସିପ୍ରି ରିପୋର୍ଟ କହିଛି । ଚୀନ ସହ ଭାରତର ବିବାଦ ଥିବାରୁ ଉଭୟ ଦେଶର ପ୍ରତିରକ୍ଷା ବଜେଟରେ ବଢିଚାଲିଥିବା ବ୍ୟବଧାନ ଚିନ୍ତା ସୃଷ୍ଟି କରିଛି । ଚୀନ ଦ୍ରୁତ ଗତିରେ ନିଜର ପ୍ରତିରକ୍ଷା ବଜେଟ ବଢାଇ ସେନାର ଆଧୁନୀକିକରଣ କରିଚାଲିଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଆମେରିକାର ପ୍ରତିରକ୍ଷା ବଜେଟ ୮୦୦,୬୭୨ ନିୟୁତ ଡଲାର ଥିବାବେଳେ ଚୀନର ପ୍ରତିରକ୍ଷା ବଜେଟ ୨୯୩୩୫୧ ନିୟୁତ ଡଲାର ଓ ଭାରତର ପ୍ରତିରକ୍ଷା ବଜେଟ ୭୬୫୯୮ ନିୟୁତ ଡଲାର ରହିଛି । ଭାରତ ନିଜ ପ୍ରତିରକ୍ଷା ବଜେଟର ୩୩-୪୧ ପ୍ରତିଶତ ବିଦେଶୀ ଅସ୍ତ୍ରଶସ୍ତ୍ର କିଣିବାରେ ବ୍ୟୟ କରେ ବୋଲି ମନ୍ତ୍ରାଳୟ କହିଛି ।

Comments are closed.