ଦିଲ୍ଲୀ: ସେପ୍ଟେମ୍ବର ୨୮: ଆସନ୍ତା ମାସ ଅକ୍ଟୋବର ୩୦ ତାରିଖରେ ୩ଟି ଲୋକସଭା ଓ ୩୦ ବିଧାନସଭା ଆସନ ପାଇଁ ଉପନିର୍ବାଚ ଅନୁଷ୍ଠିତ ହେବ । ସେହିପରି ନଭେମ୍ବର ୨ ତାରିଖରେ ଉପନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ହେବ ବୋଲି ଆଜି ଭାରତର ମୁଖ୍ୟ ନିର୍ବାଚନ କମିଶନ ତରଫରୁ ସୂଚନା ମିଳିଛି ।
ମୁଖ୍ୟ ନିର୍ବାଚନ କମିଶନଙ୍କ ତରଫରୁ ମିଳିଥିବା କାର୍ଯ୍ୟକ୍ରମ ଅନୁସାରେ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ହରିଆନା, ହିମାଚଳପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ରାଜସ୍ଥାନ, ତେଲେଙ୍ଗାନା ଓ ପଶ୍ଚିମ ବଙ୍ଗର ୩୦ଟି ବିଧାନସଭା ଆସନ ଖାଲି ପଡ଼ିଛି । ଏଥିପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଅନ୍ୟପକ୍ଷରେ, ହିମାଚଳପ୍ରଦେଶ ଓ ମଧ୍ୟପ୍ରଦେଶ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଦାଦ୍ରା ଓ ନାଗର ହାବେଳି ଏବଂ ଦାମନ ଓ ଡିଉରେ ଖାଲିଥିବା ତିନିଟି ଲୋକସଭା ଆସନ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବ ।
ଏଥିପାଇଁ ଅକ୍ଟୋବର ୧ରେ ଉପନିର୍ବାଚନର ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଦିନଠାରୁ ଅକ୍ଟୋବର ୮ ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ କରାଯିବ । ଅକ୍ଟୋବର ୧୧ ତାରିଖ ଦିନ ପ୍ରାର୍ଥିପତ୍ର ଯାଞ୍ଚ ହେବ । ତେବେ ଆସାମ, ବିହାର ଓ ପଶ୍ଚିମ ବଙ୍ଗ ବିଧାନସଭା ଉପନିର୍ବାଚନ ପାଇଁ ଅକ୍ଟୋବର ୧୬ ତାରିଖ ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ । ଅନ୍ୟ ସବୁ ରାଜ୍ୟ ପାଇଁ ଅକ୍ଟୋବର ୧୩ ତାରିଖ ସୁଦ୍ଧା ଇଚ୍ଛୁକ ପ୍ରାର୍ଥୀମାନେ ସେମାନଙ୍କର ମନୋନୟନ ପତ୍ର ପ୍ରତ୍ୟାହାର କରିପାରିବେ ।
କୋଭିଡ ନିୟମକୁ ଧ୍ୟାନରେ ରଖି ମାସ୍କ, ସାନିଟାଇଜର୍, ସାମାଜିକ ଦୂରତା ଆଦି ପାଳନ କରାଯିବ । କୋଭିଡ ନିୟମ ଉଲ୍ଲଙ୍ଘନ କଲେ ସେମାନଙ୍କ ବିରୋଧରେ କମିଶନ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

Comments are closed.