ଲଣ୍ଡନ: ମାର୍ଚ୍ଚ ୨୪: ଋଷ୍ ୟୁକ୍ରେନ୍ ଯୁଦ୍ଧକୁ ଆଜି ୨୯ ଦିନ ହେଲେ ମଧ୍ୟ ଯୁଦ୍ଧର ବିଭୀଷିକା କମ୍ ହେବା ପରିବର୍ତ୍ତେ ବଢ଼ି ବଢ଼ି ଚାଲୁଛି । ଋଷର ଆକ୍ରମଣରେ ୟୁକ୍ରେନ୍ର ଆର୍ଥିକ ମେରୁଦଣ୍ଡ ଏକପ୍ରକାର ଭାଙ୍ଗି ପଡ଼ିଛି କହିଲେ ଚଳିବ । ଦିନକୁ ଦିନ ସେଠାରେ ମୃତୁ୍ୟ ସଂଖ୍ୟା ବଢ଼ିବା ସହିତ ଖାଦ୍ୟାଭାବ ଦେଖାଗଲାଣି । ଏଣେ ସମସ୍ତ ଦେଶ ଋଷର ଅମାନବିକ ଆକ୍ରମଣକୁ ନିନ୍ଦା କରୁଛନ୍ତି । ଏହାରି ମଧ୍ୟରେ ବ୍ରିଟେନ୍ ଋଷ ଆକ୍ରମଣକୁ ମୁକାବିଲା କରିବା ପାଇଁ ୟୁକ୍ରେନ୍କୁ ସାହାଯ୍ୟର ହାତ ବଢ଼ାଇଛି । ବ୍ରିଟେନ୍ ୟୁକ୍ରେନ୍କୁ ୬୦୦୦ କ୍ଷେପଣାସ୍ତ୍ର ଯୋଗାଇ ଦେବା ସହିତ ୨୫ ନିୟୁତ ପାଉଣ୍ଡ୍ ଆର୍ଥିକ ସହାୟତା ଯୋଗାଇବ ବୋଲି ଘୋଷଣା କରିଛି ।
ଏନେଇ ଆଜି ‘ନାଟୋ’ ଏବଂ ଜି୭ ନେତାମାନଙ୍କ ସହିତ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଏକ ବୈଠକ କରି ଏହି ନୂଆ ସହାୟତା ପ୍ୟାକେଟ୍ ଘୋଷଣା କରିବେ ।

ଏହାସହ ବ୍ରିଟେନ୍ ଯୁଦ୍ଧାଞ୍ଚଳରୁ ଖବର ସଂଗ୍ରହ ନିମନ୍ତେ ‘ବିବିସି’କୁ ସାହାଯ୍ୟ କରିବାକୁ ଓ ୟୁକ୍ରେନୀୟ ସେନା ଓ ପାଇଲଟ୍ଙ୍କୁ ଦରମା ବାବଦକୁ ପ୍ରାୟ ୪୦ ନିୟୁତ ଡଲାର୍ ପ୍ରଦାନ କରିବ ।
ପ୍ରଧାନମନ୍ତ୍ରୀ ବୋରିସ୍ କହିଛନ୍ତି, ୟୁକ୍ରେନ୍ ସେନାକୁ ସୁଦୃଢ଼ ଏବଂ ଆର୍ଥିକ ପରିସ୍ଥିତକୁ ଉନ୍ନତ କରିବା ଲାଗି ଲଣ୍ଡନ ନିଜ ମିତ୍ର ରାଷ୍ଟ୍ରମାନଙ୍କ ସହ କାର୍ଯ୍ୟ କରିବ । ମାସେ ହେବ ଚାଲିଥିବା ଏହି ସଙ୍କଟ ଯୋଗୁଁ ଆନ୍ତର୍ଜାତିକ ସମୁଦାୟ ପାଇଁ ସିଦ୍ଧାନ୍ତ ନେବାର ସମୟ ଆସିଛି । ଆମେ ୟୁକ୍ରେନ୍ ସ୍ୱାଧୀନତାର ବହ୍ନି ପ୍ରଜ୍ଜ୍ୱଳିତ କରି ରଖିବା ପାରିବା । ନଚେତ୍ ସମଗ୍ର ୟୁରୋପ୍ ଏବଂ ବିଶ୍ୱ ବିପଦରେ ପଡ଼ିବ ।

Comments are closed.