ମମିତା ମେହେର ହତ୍ୟାକାଣ୍ଡ ଘଟଣା: ପୁରୀ ଓ ଜଗତସିଂହପୁରଠାରେ ବିଜେପିର ରାଲି

ପୁରୀ/ ଜଗତସିଂହପୁର: ଅକ୍‌ଟୋବର ୨୭: ଦିନକୁ ଦିନ ମମିତା ହତ୍ୟାକାଣ୍ଡ ମାମଲାରେ ଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ବଢ଼ି ବଢ଼ି ଚାଲୁଛି । ଗତକାଲି ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଥିଲା । ଏଥିରେ ୨୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ବହୁ ଛାତ୍ରଙ୍କୁ ପୋଲିସ ଭ୍ୟାନରେ ଉଠାଇ ନେଇଥିଲା ।

ତେବେ ଆଜି ପୁରୀରେ ବିଜେପି ପକ୍ଷରୁ ମନ୍ତ୍ରୀଙ୍କ ଇସ୍ତଫା ନେଇ ଏକ ବିଶାଳ ରାଲି ଅନୁଷ୍ଠିତ କରାଯାଇଛି । ଏହାସହିତ ସିବିଆଇ ତଦନ୍ତର ଦାବି ମଧ୍ୟ କରାଯାଇଛି । ପୁରୀ ବିଜେପି ପକ୍ଷରୁ ଶହଶହ କର୍ମୀ ବିଶାଳ ଶୋଭାଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରୁ ବାହାରି ଏସ୍‌ପି ଅଫିସ ଅଭିମୁଖେ ଯାଇଛନ୍ତି । ଖବର ଅନୁସାରେ, ଦୁଇଟି ବ୍ୟାରିକେଡ୍‌ ଭାଙ୍ଗି ବିଜେପି କର୍ମୀ ଏସପି ଅଫିସକୁ ଧସେଇ ପଶିବା ପାଇଁ ଚେଷ୍ଟା କରିଛନ୍ତି । ଫଳରେ ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ପୂର୍ବ ଘୋଷଣା ଅନୁସାରେ ୨୬ ଓ ୨୭ ତରିଖ ଦୁଇଦିନ ଧରି ଏସପି ଅଫିସ ଘେରାଉ କରାଯାଉଛି ।

ମମିତା ମେହେର ହତ୍ୟାକାଣ୍ଡ ଘଟଣା: ପୁରୀ ଓ ଜଗତସିଂହପୁରଠାରେ ବିଜେପିର ରାଲି

ଅନ୍ୟପକ୍ଷେ, ଜଗତସିଂହପୁରରେ ମଧ୍ୟ ବିଜେପିର ଏକ ରାଲି ଦେଖାଯାଇଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ମମିତାଙ୍କ ପରିବାରକୁ ନ୍ୟାୟ ଦାବିରେ ବିକ୍ଷୋଭ କରାଯାଉଛି । ଏଥିରେ ବିଜେପି କର୍ମୀ ଜଗତସିଂହପୁର ଏସ୍‌ପି ଅଫିସ ଘେରାଉ କରି ଭିତରକୁ ଜୋରଜବରଦସ୍ତ ପଶିବାକୁ ଚେଷ୍ଟା କରିଛନ୍ତି । ଫଳରେ ପୋଲିସ ୩୦ରୁ ଅଧିକ ବିଜେପି କର୍ମୀଙ୍କୁ ଉଠାଇ ନେଇଛି । ସହରରେ ବ୍ୟାପକ ସୁରକ୍ଷା ଗ୍ରହଣ କରାଯାଇଛି । ୪ ପ୍ଲାଟୁନ୍‌ ପୋଲିସ ମୁତୟନ ହୋଇଛନ୍ତି ।

Comments are closed.