ଝାଡ଼ଖଣ୍ଡ: ୧୨ ବର୍ଷର କଲିମଙ୍କ ଗୋଟିଏ ହାତର ଓଜନ ପ୍ରାୟ ଅଢେଇ କିଲୋଗ୍ରାମ ଏବଂ ଦୁଇ ହାତର ଓଜନ ମିଶି ୫ କିଲୋଗ୍ରାମ । ଜନ୍ମରୁ ହିଁ ଏହି ବିଚିତ୍ର ହାତକୁ ନେଇ ଜନ୍ମ ହୋଇଛନ୍ତି ମହମ୍ମଦ କଲିମ । ତାଙ୍କର ଏହି ହାତ ପାଇଁ ସେ ବହୁଥର ଅପମାନିତ ହୋଇଛନ୍ତି । ପିଲାଟି ବେଳୁ ହିଁ ସେ ଏସବୁ ଅପମାନ ଶୁଣି ମଧ୍ୟ ନିଜକୁ ଦୁର୍ବଳ କରିନାହାନ୍ତି ବରଂ ନିଜର ଦୁର୍ବଳତାକୁ ହିଁ ଶକ୍ତି କରିଦେଇଛନ୍ତି । କଲିମ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ବହୁତ ଆକଫିଭ ଏବଂ ଦିନକୁ ଦିନ ତାଙ୍କର ଲୋକପ୍ରିୟତା ମଧ୍ୟ ବଢ଼ିବାରେ ଲାଗିଛି, ଯାହା ପାଇଁ ସେ ଏବେ ନିଜ ଦୁର୍ବଳତାକୁ ଅନୁଭବ କରିପାରୁନାହାନ୍ତି ।
ଝାଡ଼ଖଣ୍ଡ ବୋକାରେ ସହରରେ ରହୁଛନ୍ତି କଲିମ । ତାଙ୍କର ହାତ ପିଲାବେଳୁ ହିଁ ଏପରି । ପରିବାର ଲୋକ ଚିକିତ୍ସା କରିଥିଲେ ମଧ୍ୟ କିଛି ପରିବର୍ତ୍ତନ ଘଟିନାହିଁ । କଲିମଙ୍କ ବାପା ମହମ୍ମଦ ଶମିମ୍ ଜଣେ ଶ୍ରମିକ ହୋଇଥିବା ବେଳେ ମାଆ ଗୃହିଣୀ । କଲିମଙ୍କ ପରିବାରରେ ତାଙ୍କର ଏକ ଭଉଣୀ ଏବଂ ସାନ ଭାଇ ଅଛନ୍ତି । ତାଙ୍କ ଦାଦା ଆସିଫ୍ ସବୁବେଳେ କଲିମଙ୍କ ଭିଡିଓ ଇଣ୍ଟରନେଟ୍ରେ ସେୟାର କରିଥାନ୍ତି । ଧୀରେ ଧୀରେ ତାଙ୍କର ଏହି ଭିଡିଓ ଭାଇରାଲ ହେବାରେ ଲାଗିଲା । ଲୋକମାନେ ତାଙ୍କୁ ଖୁବ ପସନ୍ଦ କରିବାକୁ ଲାଗିଲେ । ଏହି ଅଜବ ହାତ ପାଇଁ ସ୍କୁଲ ଏବଂ ଆଖପାଖର ପିଲାମାନେ ତାଙ୍କୁ ସଇତାନ କହି ଡାକୁଥିଲେ ଏବଂ ପାଖକୁ ଆସିବା ପାଇଁ ମଧ୍ୟ ପିଲାମାନେ ଡରୁଥିଲେ ବୋଲି କଲିମ କହିଛନ୍ତି । ହେଲେ ଧୀରେ ଧୀରେ ପରିସ୍ଥିତି ବଦଳିବାରେ ଲାଗିଲା ଏବଂ ଏବେ ସ୍ଥାନୀୟ ପିଲାମାନେ ତାଙ୍କ ସହ ଖେଳିବାକୁ ଆସୁଛନ୍ତି । ପିଲାଟିବେଳୁ ହିଁ ପୋଷାକ ପିନ୍ଧିବାରେ ତାଙ୍କୁ ସବୁଠୁ ଅଧିକ ଅସୁବିଧା ହୋଇଥାଏ କିନ୍ତୁ ଖାଇବା ପିଇବା ସମୟରେ ତାଙ୍କ ମାଆ ତାଙ୍କୁ ସାହାଯ୍ୟ କରିଥାନ୍ତି । କଲିମ ତାଙ୍କ ହାତରେ ଫୋନ ମଧ୍ୟ ଧରିପାରୁନାହାନ୍ତି । ଭବିଷ୍ୟତ ବିଷୟରେ କଲିମ କହିଛନ୍ତି ଯେ, ତାଙ୍କର ପାଠପଢ଼ାରେ ମନ ଲାଗୁନି । ସେ କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି । ଏବେ ସେ ସୋସିଆଲ ମିଡିଆ ସହିତ ଜଡ଼ିତ ରହିଥିବାରୁ ଆଗକୁ ଏପରି ଅନେକ ଭିଡିଓ ତିଆରି କରି ପୋଷ୍ଟ କରିବେ ଏବଂ ସୋସିଆଲ ମିଡିଆ ଇନଫ୍ଲìଏନ୍ସର ହେବାକୁ ତାଙ୍କର ସ୍ୱପ୍ନ ବୋଲି କଲିମ କହିଛନ୍ତି ।
Comments are closed.