ଦୁର୍ଗାପୂଜାରେ ମାଆଙ୍କର ଆଗମନରେ ଓଡିଶାର ପୁରପଲ୍ଲୀ ପ୍ରକମ୍ପିତ ହୋଇଉଠେ । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଥାଏ ଭିନ୍ନଧରଣର ଦୁର୍ଗା ପୂଜା । ସବୁସ୍ଥାନରେ ବେଶ ସ୍ବତନ୍ତ୍ରଭାବେ ମାଆ ପୂଜା ପାଇଥାଆନ୍ତି । ଆସନ୍ତୁ ଜାଣିବା ବ୍ରହ୍ମପୁର ସହରରେ କିଭଳି କରାଯାଇଥାଏ ମାଆଙ୍କ ଆରାଧନା ।

ଗଞ୍ଜାମ ଜିଲ୍ଲାର ଶକ୍ତିପୀଠ ମାନଙ୍କରେ ଷୋଡଶ ଉପଚାର ନବରାତ୍ରୀ ପୂଜା କରାଯାଇଥାଏ । ହିନ୍ଦୁ ଧର୍ମର ସନାତନୀ ପରମ୍ପରା ଅନୁଯାୟୀ ଓଡ଼ିଶାରେ ଆମ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାର ମାସରେ ତେର ପର୍ବ ପାଳିତ ହୋଇ ଆସୁଥିବା ବେଳେ ମା ଦୁର୍ଗାଙ୍କର ବର୍ଷକୁ ତିନୋଟି ନବରାତ୍ର ପାଳନ କରାଯାଇଥାଏ। ଆଷାଢ଼ ମାସର ଗୁପ୍ତ ନବରାତ୍ର, ଚୈତ୍ର ମାସର ବାସନ୍ତିକ ନବରାତ୍ର ଓ ଆଶ୍ୱିନ ମାସର ଶାରଦୀୟ ନବରାତ୍ରୀ ରହିଛି। ଏହି ସମସ୍ତ ଭିତରେ ଶାରଦୀୟ ନବରାତ୍ରୀ ଅନ୍ୟତମ। ଏହି ଶାରଦୀୟ ନବରାତ୍ରୀ ଅବସରରେ ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ପ୍ରସିଦ୍ଧ ଶକ୍ତିପୀଠ ପୁରୁଷୋତ୍ତମପୁରର ମା ତାରାତାରିଣୀ, ଡୁମ୍ବୁଳା ବାଙ୍କେଶ୍ବରୀ, ହିଞ୍ଜିଳିକାଟୁ ସାମଳାଇ, ମା କନକ ଦୁର୍ଗା, ବ୍ରହ୍ମପୁର ମା ବୁଢ଼ୀ ଠାକୁରାଣୀ, ପ୍ରତାପପୁର ମା ଦକ୍ଷିଣକାଳୀ, କୁଲାଡ ବାଘ ଦେବୀ, ଚିକିଟିରେ ମା ବାଳକୁମାରୀ, ଭୈରବୀ, କାଳୁଆ, ପୋଲସରାରେ ସିଂହାସନୀ, ଆସିକାରେ ଖମ୍ବେଶ୍ୱରୀ, ମା କରେଞ୍ଜେଇ, ଛତ୍ରପୁର ମା ରାମଚଣ୍ଡୀ, ଜଗନ୍ନାଥ ପ୍ରସାଦରେ ମା ବ୍ରାହ୍ମଣ ଦେଇ ସମେତ ସମସ୍ତ ଦେବୀ ମନ୍ଦିରମାନଙ୍କ ପୀଠମାନଙ୍କରେ ମହାସମାରୋହରେ ପାଳନ ହୋଇ ଆସୁଛି। ଏହି ନବରାତ୍ରୀ ଅବସରରେ ବ୍ରହ୍ମପୁର ସହରର ଦୁର୍ଗା ପୂଜା ନିମନ୍ତେ ମେଢ଼ ସ୍ଥାପନ ନିମନ୍ତେ ମେଢ଼ ଲାଗି କାରିଗର ମାନଙ୍କ ପକ୍ଷରୁ ମେଢ଼ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଶେଷ ପର୍ଯ୍ୟାୟରେ ପହଞ୍ଚି ଗଲାଣି। ସହରର ପୁରୁଣା ବସଷ୍ଟାଣ୍ଡ, ନୂଆ ବସଷ୍ଟାଣ୍ଡ, ଗିରିଜା ଛକ, ବିଜିପୁର, ଗିରି ମାର୍କେଟ, ହନୁମାନ ବଜାର, ଓଆରଟି ଗେରେଜ, ପାଣିଟାଙ୍କି ଛକ, ଟାଟା ବେଞ୍ଜ ଛକ, କମାପଲ୍ଲୀ, କୋର୍ଟ ପେଟା ଛକ, ଜଳ ସେଚନ ବିଭାଗ, ଇଞ୍ଜିନିୟରିଂ ସ୍କୁଲ ଛକ ଭଳି ଅନେକ ସ୍ଥାନରେ ମା ଦୁର୍ଗାଙ୍କର ପୂଜା ମହାଆଡ଼ମ୍ବରରେ ଆରମ୍ଭ ହୋଇଯାଇଛି। ପ୍ରତିପଦା ଅବସରରେ ସଂଧ୍ୟାରେ ନବରାତ୍ରୀ ପୂଜା ନିମନ୍ତେ ମନ୍ଦିର କମିଟି ପକ୍ଷରୁ ଘଣ୍ଟ, କାହାଳି, ଢୋଲ ଓ ଶଙ୍ଖ ମହୁରୀ ବଜାଇ ପୂଜା ଆରମ୍ଭ ହୋଇଛି । ପାରମ୍ପରିକ ରୀତିନୀତି ଅନୁସାରେ ଭକ୍ତ ଓ ସେବକ ମାନଙ୍କ ପକ୍ଷରୁ ନୂତନ ବସ୍ତ୍ର ପରିଧାନ କରି ପୂଜା ଅର୍ଚ୍ଚନା ନିମନ୍ତେ ପୋଖରୀ ନିକଟରେ ପହଞ୍ଚି ମାଙ୍କୁ ଆବାହନ କରି ଶତାଧିକ ଭକ୍ତଙ୍କ ଗହଣରେ ଜଳ ଯାତ୍ରା କରି ପୂର୍ଣ୍ଣ କଳସ ଜଳ ଆଣି ମନ୍ଦିର ପୀଠରେ ଘଟ ସ୍ଥାପନ କରାଯାଇଥିଲା। ପ୍ରଥମ ଦିନ ସଂଧ୍ୟାରେ ମାଙ୍କୁ ସ୍ନାନ, ମାଜଣା, ବାଳ ଭୋଗ, ପୂଜାଅର୍ଚ୍ଚନା, ଆରତି କରା ଯାଇଥିଲା। ଆବାହନ, ନୈବେଦ୍ୟ, ଧୂପ, ଦୀପ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା। ଆଶ୍ବିନ ମାସ ଅମବାସ୍ୟା ପରଦିନ ତଥା ପ୍ରତିପଦାଠାରୁ ଏହି ନବରାତ୍ରୀ ପୂଜା ଆରମ୍ଭ ହୋଇ ଦଶହରା ପର୍ଯ୍ୟନ୍ତ ଚାଲିଥାଏ । ପୂଜାର ପ୍ରଥମେ ଦିନରେ ଶୈଳ ସୂତ୍ରୀ, ଦ୍ବିତୀୟ ଦିନରେ ବ୍ରହ୍ମଚାରିଣୀ, ତୃତୀୟ ଦିନରେ ଚନ୍ଦ୍ର ଘଣ୍ଟା, ଚତୁର୍ଥ ଦିନରେ କୁଷ୍ମାଣ୍ଡା, ପଞ୍ଚମ ଦିବସରେ ସ୍କନ୍ଦମାତା, ଷଷ୍ଠ ଦିବସରେ କାତ୍ୟାୟନୀ, ସପ୍ତମରେ କାଳରାତ୍ରି, ଅଷ୍ଟମୀରେ ମହାଗୌରୀ ଓ ନବମୀରେ ସିଦ୍ଧିଦାତ୍ରୀ ଭାବେ ପାଳନ କରାଯାଉଥାଏ ବୋଲି ପୁରୋହିତ ଦେବାଶିଷ ମିଶ୍ର କହନ୍ତି। ପ୍ରତିଦିନ ମାଙ୍କ ଚଣ୍ଡୀ ପାଠ ଓ ଚଣ୍ଡିହୋମ ହୋଇଥାଏ। ମାଙ୍କ ମହାଦୀପ ସ୍ଥାପନ ପରେ ମାନସିକଧାରୀ ଭକ୍ତଙ୍କ ପକ୍ଷରୁ ନବଦିନାତ୍ମାକ ଦୀପ ପୀଠରେ ସ୍ଥାପନ କରାଯାଇଥିଲା। ମନ୍ଦିର କମିଟି ପକ୍ଷରୁ ପ୍ରତ୍ୟେକ ଦିନ ଭକ୍ତଙ୍କ ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥାଏ। ପ୍ରଥମ ଦିନ ଠାରୁ ଅଙ୍କୁରା ରୋପଣ, ଗଣେଶ ପୂଜା, ସୂର୍ଯ୍ୟ ନାରାୟଣ ପୂଜା ପରେ ନବଗ୍ରହ ପୂଜା ଅର୍ଚ୍ଚନା ଆଦି ସହ ମାଙ୍କ ଷୋଡଶ ଉପଚାର ପୂଜା ସମାପନ କରାଯାଇଥାଏ । ମାଙ୍କ ନବରାତ୍ରୀ ପୂଜାର ଏକ ସ୍ୱତନ୍ତ୍ର ମହତ୍ବ ରହିଛି ବୋଲି ମନ୍ଦିର ପୂଜକମାନେ କୁହନ୍ତି।ପ୍ରତିବର୍ଷ ଦୁର୍ଗାପୂଜାରେ ପ୍ରତ୍ୟେକ ପୀଠ ଓ ମନ୍ଦିରରେ ଅନେକ ଶ୍ରଦ୍ଧାଳୁଙ୍କର ଭିଡ ଯମିଥାଏ ।
ବାବୁଲା ପାଣିଗ୍ରାହୀ
