ମସ୍କୋ: ୟୁକ୍ରେନ ସହ ରୁଷ କରୁଥିବା ଯୁଦ୍ଧ ଏବେ ନିର୍ଣ୍ଣାୟକ ମୋଡରେ ପହଞ୍ଚି ଯାଇଛି । ୮ ମାସ ହେଲା ରୁଷ ପଡ଼ୋଶୀ ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ ମଧ୍ୟ ଏଯାଏ ବିଜୟ ହାସଲ କରିପାରି ନାହିଁ । ଏସବୁ ଭିତରେ ରୁଷକୁ ସହଯୋଗର ହାତ ବଢ଼ାଇଛି ବେଲାରୁଷ । ୟୁକ୍ରେନର ପଡ଼ୋଶୀ ତଥା ରୁଷ କଥାରେ ପରିଚାଳିତ ବେଲାରୁଷ କିଭ୍ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ।
ବେଲାରୁଷର ବୈଦେଶିକ ମନ୍ତ୍ରୀ ଭ୍ଲାଦିମିର ମାକେଇ କହିଛନ୍ତି ଯେ ଦେଶର ଆର୍ମି ଓ ସ୍ୱତନ୍ତ୍ର ସର୍ଭିସେସ ପଡ଼ୋଶୀ ଦେଶର ସବୁ ପ୍ରକାରର ଉତ୍ତେଜେନାମୂଳକ ପଦକ୍ଷେପର ଜବାବ ଦେବାକୁ ପ୍ରସ୍ତୁତ ହୋଇ ରହିଛନ୍ତି । ସେମାନେ ଯେକୌଣସି ମୁହୂର୍ତ୍ତରେ ଜବାବ ଦେବାକୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିପାରନ୍ତି ।
ଏପରି ବୟାନ ପୂର୍ବରୁ ପ୍ରାୟ ସପ୍ତାହ ଧରି ବେଲାରୁଷର ସେନା ଯୁଦ୍ଧାଭ୍ୟାସ କରିଥିଲା । ଏଥିରୁ ଆଶଙ୍କା ପ୍ରକାଶ ପାଇଥିଲା ଯେ ଦେଶର ରାଷ୍ଟ୍ରପତି ଆଲେକ୍ସଜାଣ୍ଡର ଲୁକାଶେନକୋ ୟୁକ୍ରେନ ଯୁଦ୍ଧରେ ରୁଷର ସହାୟତା ପାଇଁ ନିଜର ସେନା ପଠାଇପାରନ୍ତି । ଏହି ଆଶଙ୍କା ଭିତରେ ବୈଦେଶିକ ମନ୍ତ୍ରୀଙ୍କ ବୟାନ ଆସିଛି ।
ଅନ୍ୟପକ୍ଷରେ ରୁଷ ପରମାଣୁ ଯୁଦ୍ଧର ଧମକ ଦେଇଛି । ଏଥିସହ ମସ୍କୋ ପରମାଣୁ ଯୁଦ୍ଧାଭ୍ୟାସ କରିବାକୁ ସଜବାଜ ହେଉଛି । ଏହା ଉପରେ ଆମେରିକା ଓ ନାଟୋ ନଜର ରଖିବା ସହ ଆଲର୍ଟରେ ରହିଛନ୍ତି । ନୋଟୋର ମୁଖ୍ୟ ଜେନେରାଲ ଜେନ୍ସ ଷ୍ଟୋଲେନବର୍ଗ କହିଛନ୍ତି ଯେ ସେମାନେ ରୁଷର ପ୍ରତିଟି ଗତିବିଧି ଉପରେ ନଜର ରଖିଛନ୍ତି ।
ବେଲାରୁଷର ବୈଦେଶିକ ମନ୍ତ୍ରୀ ମାକେଇ କହିଛନ୍ତି, ଦେଶରେ ଆତଙ୍କବାଦୀ ଦମନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି । ପଡ଼ୋଶୀ ଦେଶଗୁଡ଼ିକର ସବୁ ପ୍ରକାରର ପଦକ୍ଷେପ ଓ ଉତ୍ତେଜନାମୂଳକ କାର୍ଯ୍ୟକଳାପର ଜବାବ ଦେବାକୁ ଆର୍ମି ପ୍ରସ୍ତୁତ ହୋଇ ରହିଛି । ବେଲୁରଷରେ ବିଗତ ଗୋଟିଏ ସପ୍ତାହ ହେଲା ବିଭିନ୍ନ ପ୍ରକାରର ସମାରିକ କାର୍ଯ୍ୟକଳାପ ଜାରି ରହିଥିଲା । ରୁଷ ଠିକ୍ ଭାବେ ୟୁକ୍ରେନ ସେନାର ଜବାବ ଦେଇ ପାରୁ ନଥିବାରୁ ବେଲାରୁଷ ସହାୟତା କରିବାକୁ ଆଗ୍ରହ ଦେଖାଇଥିବା କୁହାଯାଉଛି । ଏଥିପାଇଁ ଦେଶର ଆର୍ମିକୁ ରୁଷର ସହାୟତା କରିବାକୁ ପ୍ରସ୍ତୁତ ରହିବା ପାଇଁ ବେଲାରୁଷ ରାଷ୍ଟ୍ରପତି ଲୁକାଶେନକୋ କହିଛନ୍ତି । ଏଥିସହ ସେ ଦେଶର ସେନାକୁ ୟୁକ୍ରେନ ସୀମାରେ ମୁତୟନ ହୋଇଥିବା ରୁଷ ସୈନ୍ୟଙ୍କ ସହ ଏକାଠି ରହିବାକୁ ବି ପରାମର୍ଶ ଦେଇଛନ୍ତି ।
ରୁଷ ବି ୟୁକ୍ରେନ ବିରୋଧରେ ପରମାଣୁ ଯୁଦ୍ଧ କରିବାକୁ ସଜବାଜ ହେଉଛି । ଏଥିପାଇଁ ପରମାଣୁ ଯୁଦ୍ଧାସ୍ତ୍ରକୁ ନେଇ ମସ୍କୋ ବଡ଼ଧରଣର ଡ୍ରିଲ ଆରମ୍ଭ କରିବାକୁ ଯାଉଛି । ପ୍ରତିବର୍ଷ ଏହି ସମୟରେ ସାଧାଣତଃ ରୁଷ ଏପରି ଡ୍ରିଲ କରେ । ହେଲେ ଏଥର ୟୁକ୍ରେନ ସହ ଯୁଦ୍ଧ ଚାଲିବା ଓ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପରମାଣୁ ଧମକ ଦେଇଥିବାରୁ ଏହାର ଗୁରୁତ୍ୱ ଅଧିକ ରହିଛି ।

Comments are closed.