ବରଗଡ଼ : ବରଗଡ଼ ଜିଲ୍ଲାର ଜନସାଧାରଣଙ୍କ ସୁବିଧା ପାଇଁ ସକାଳ ସମୟରେ ଭୁବନେଶ୍ୱର ଓ ନୂଆଦିଲ୍ଲୀ ପାଇଁ ସିଧାସଳଖ ରେଳସେବା ଯୋଗାଇବା ପାଇଁ ବାଦୀ ଉଠିଛି । ଏନେଇ ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାରଙ୍କ ସହ ବରଗଡ଼ ଜିଲ୍ଲା ରେଳ ଉପଭୋକ୍ତା ସଂଘର କର୍ମକର୍ତ୍ତାମାନେ ଆଲୋଚନା ମଧ୍ୟ କରିଛନ୍ତି । ଏକ ନୂତନ ଟ୍ରେନ ବଲାଙ୍ଗିରରୁ ଭୁବନେଶ୍ୱର ଭାୟା କଟକ ଦେଇ କିମ୍ବା ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ବରଗଡ଼/ବଲାଙ୍ଗିର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବ ବୋଲି ସଂଘର ପ୍ରଥମ ଦାବି ରହିଛି ଯାହାକୁ ପୂରଣ କରାଯିବା ନେଇ ସବୁଜ ସଙ୍କେତ ମଧ୍ୟ ମିଳିଛି । ଏଥିପାଇଁ ଏହି ଟ୍ରେନକୁ ଦୁଇ ଯୋଡ଼ା କରିବା ସହ ପୁରୀରେ ୱାସିଂ ଓ ରକ୍ଷଣାବେକ୍ଷଣ କରିବାକୁ ହେବ ।
ସେହିପରି ରାୟଗଡା/କୋରାପୁଟ/ଜଗଦଲପୁରରୁ ନୂଆଦିଲ୍ଲୀ ଭାୟା ଟିଟିଲାଗଡ଼ ଓ ସମ୍ବଲପୁର ଦେଇ କିମ୍ବା ସପ୍ତାହରେ ତିନିଦିନ ଚାଲୁଥିବା ବିଶାଖାପାଟଣା-ଅମୃତସର ‘ହୀରାକୁଦ’ ଏକ୍ସପ୍ରେସକୁ ସପ୍ତାହର ଅବଶିଷ୍ଟ ଚାରିଦିନ ରାୟଗଡ଼ା, ଟିଟିଲାଗଡ଼ ଓ ସମ୍ବଲପୁର ଦେଇ ଚଳାଚଳ କରି ଦ୍ୱିତୀୟ ଦାବି ପୂରଣ କରାଯାଇପାରିବ । ଏହାଦ୍ୱାରା ବର୍ତ୍ତମାନ ରୁଟ ଅପେକ୍ଷା ୨୨୭ କି.ମି ଦୂରତା ହ ୍ରାସ ପାଇବ । ସଂଘ ଏହି ଦାବି ଦ୍ୱୟକୁ ଶ୍ରୀ କୁମାର ଯଥାର୍ଥ ବୋଲି କହିବା ସହ ଦୋହରୀକରଣ କାର୍ଯ୍ୟ ଶେଷ ହେଲାପରେ ଏହା ସମ୍ଭବ ହୋଇପାରିବ ବୋଲି କହିଛନ୍ତି । ଏଥିପାଇଁ ସେ ସକାରାତ୍ମକ ସୁପାରିଶ କରିବେ ବୋଲି କହିଥିଲେ ।
ସଂଘ ପକ୍ଷରୁ ଯୁକ୍ତି କରାଯାଇଥିଲା, ସମ୍ବଲପୁର-ତାଳଚେର ରୁଟ ଦୋହରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନଥିଲେ ସୁଦ୍ଧା ତିନୋଟି ନୂଆଦିଲ୍ଲୀ ଟ୍ରେନ ତଥା ଭୁବନେଶ୍ୱର ପାଇଁ ଅନେକ ଟ୍ରେନ ଚାଲୁଛି । ସମ୍ବଲପୁର-ତାଳଚେର ଲାଇନ ୧୯୯୯ ରେ ଖୋଲା ହୋଇଥିଲା ବେଳେ ସମ୍ବଲପୁର-ଟିଟିଲାଗଡ଼ ଲାଇନ ୧୯୬୩ ରେ ଆରମ୍ଭ ହୋଇଥିଲା । ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ଆସନ୍ତା ମେ ୩୧ ତାରିଖ ଭିତରେ ରେଳବାଇ କିଛି ସକାରାତ୍ମକ ପଦକ୍ଷେପ ନ ନେଲେ ଜୁନ ମାସରୁ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ପତ୍ର ମାଧ୍ୟମରେ ଚେତାବନୀ ଦିଆଯାଇଛି । ଏହି ପତ୍ରର ନକଲ ରେଳମନ୍ତ୍ରୀ, ରେଲେୱ ବୋର୍ଡ ଅଧ୍ୟକ୍ଷ, ଇଷ୍ଟକୋଷ୍ଟ ରେଲେୱର ମହାପ୍ତବନ୍ଧକ, ବରଗଡ଼ ସାଂସଦ, ବରଗଡ ବିଧାୟକ, ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ମଧ୍ୟ ଦିଆଯିବ । ଆଲୋଚନାରେ ସଂଘ ସଭାପତି ପ୍ରଦୀପ ଦେବତା, ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡା , ସର୍ଦ୍ଦାର ପ୍ରିତମ ସିଂହ, ସମ୍ପାଦକ କମଳ ଯୋଶୀ, ଯୁଗ୍ମ ସମ୍ପାଦକ କିଶୋର କୁମାର ରଥ ଓ କୋଷାଧ୍ୟକ୍ଷ ଅଭିଜିତ ପ୍ରତିହାର ଭାଗ ନେଇଥିଲେ ।

Comments are closed.