ବାହୁଡା

ସମଗ୍ର ବିଶ୍ୱରେ ଓ ହିନ୍ଦୁ ସମାଜରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଯେପରି ଏକ ମହତ୍ୱପୂର୍ଣ୍ଣ ଘଟଣା, ଏହି ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ପବିତ୍ର ବାହୁଡା ଯାତ୍ରା ମଧ୍ୟ ଉଲ୍ଲେଖନୀୟ ଘଟଣା ।
ଐତିହାସିକ ପରମ୍ପରା ଅନୁଯାୟୀ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ସୁଭଦ୍ରାଙ୍କର ଏହି ପ୍ରସିଦ୍ଧ ରଥଯାତ୍ରାକୁ ନବଦିନ ଯାତ୍ରା, ମହାବେଦୀ ଯାତ୍ରା ଏପରିକି ନବଦିନାତ୍ମକ ଯାତ୍ରା ବୋଲି ମଧ୍ୟ ବର୍ଣ୍ଣନା କରାଯାଇଛି । ବିଶିଷ୍ଟ ଗବେଷକ ସ୍ୱର୍ଗତଃ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ମତରେ ଏହି ନବଦିନାତ୍ମକ ଯାତ୍ରାରେ ତିନୋଟି ଅଂଶ ରହିଛି । ପ୍ରଥମ ଅଂଶ ପୂର୍ବ ଯାତ୍ରା, ଦ୍ୱିତୀୟ ଅଂଶ ଗୁଣ୍ଡିଚା ମଣ୍ଡପରେ ଅବସ୍ଥାନ ବା ଆଡପ ଏବଂ ତୃତୀୟ ଅଂଶ ହେଉଛି ବାହୁଡା ଯାତ୍ରା । ବିଶିଷ୍ଟ ସାହିତି୍ୟକ ସ୍ୱର୍ଗତଃ ସୁରେନ୍ଦ୍ର ମହାନ୍ତିଙ୍କ ଭାଷାରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ, ପହଣ୍ଡି ଓ ରଥରେ ଶ୍ରୀଜଗନ୍ନାଥଙ୍କ ଗୁଣ୍ଡିଚା ବିଜେ ପରେ ନବଦିନବ୍ୟାପୀ ଅବସ୍ଥାନ ଓ ସେଠାରୁ ବିଦାୟ ବା ବାହୁଡା ରଥଯାତ୍ରା ଉତ୍ସବ ବୃତ୍ତର ଏକ ପ୍ରଧାନ ବିଭାବ । ଆଷାଢ ଶୁକ୍ଳ ଦ୍ୱିତୀୟା ଦିନ ଶ୍ରୀମନ୍ଦିର ତ୍ୟାଗ କରି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର,ଶ୍ରୀ ସୁଭଦ୍ରା ପ୍ରଭୃତି ପବିତ୍ର ରଥଯାତ୍ରା ଶେଷ କରି ଶ୍ରୀଗୁଣ୍ଡିଚା ମନ୍ଦିରରେ ସାତଦିନ କାଳ ଅବସ୍ଥାନ କରିବା ପରେ ନବଦିନରେ ପୁଣିଥରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ବା ବାହୁଡି ଆସିବା ଯୋଗୁଁ ଏହି ରଥଯାତ୍ରାକୁ ନବଦିନଯାତ୍ରା ବା ବାହୁଡା ଯାତ୍ରା ବୋଲି ସାଧାରଣତଃ କୁହାଯାଇଥାଏ ।
ପୁରୀର ପ୍ରସିଦ୍ଧ ରଥଯାତ୍ରା ଓ ବାହୁଡାଯାତ୍ରାକୁ ଅନୁସରଣ କରି କେବଳ ଓଡ଼ିଶା ବା ଭାରତବର୍ଷରେ ନୁହେଁ ସମଗ୍ର ପୃଥିବୀରେ ଯେପରି ଆନନ୍ଦ ଓ ଉଲାସରେ ପବିତ୍ର ରଥଯାତ୍ରା ଉତ୍ସବ ପାଳନ କରାଯାଇଛି, ତାହା ହିଁ ଶ୍ରୀଜଗନ୍ନାଥଙ୍କ ବୈଶିଷ୍ଟ୍ୟ ଓ ମହତ୍ୱ ପ୍ରତିପାଦିତ କରି ଆସୁଛି । ଅନ୍ୟ କୌଣସି ଦେବତାଙ୍କୁ ମହାଡମ୍ବରରେ ଏବଂ ଏପରି ମାନବୀୟ ରୀତିନୀତିରେ ପୂଜାଅର୍ଚ୍ଚନା କରାଯିବା କିମ୍ବା ବର୍ଷଯାକ ଉତ୍ସବ ପାଳନ କରାଯାଉଥିବାର ଦୃଷ୍ଟାନ୍ତ ପ୍ରାୟ ବିରଳ ।
ସ୍ୱର୍ଗତ ପଣ୍ଡିତ ଦାଶ ଉଲ୍ଲେଖ କରିଛନ୍ତି, ବାହୁଡା ଗୁଣ୍ଡିଚା ସମୟରେ ଏକାଦଶୀ ଦିନ ମହାପ୍ରଭୁଙ୍କ ରଥ ଉପରେ ଶ୍ରୀଅଧରକୁ ପାଇବା ପର୍ଯ୍ୟନ୍ତ ଉଚ୍ଚଥିବା ତୁମ୍ବଭଳିଆ ତିନୋଟି ମାଟିହାଣ୍ଡିରେ ପୂଜାପଣ୍ଡାମାନେ ପଣା ରଖନ୍ତି । ପାଞ୍ଚୋପଚାରରେ ପୂଜା କରନ୍ତି ଓ ପଣାଭୋଗ କରନ୍ତି । ଏହାକୁ ଅଧରପଣା କୁହାଯାଏ । ରଥଯାତ୍ରା ଦିନ ଠାରୁ ରଥରୁ ଓହ୍ଲାଇବା ଯାଏଁ (ଠାକୁରଘରେ ଗୁଣ୍ଡିଚାଘରେ ଥିବା ସମୟରେ) ତିନି ରଥରେ ଧ୍ୱଜପୂଜା କରାଯାଇଥାଏ ।
ବାହୁଡା ଦିନ ବାହୁଡା ରଥ ଟଣାରମ୍ଭ ହୋଇ ବଳଭଦ୍ରଙ୍କ ରଥ ବଡ ଶଙ୍ଖଠାରେ ପହଞ୍ଚିବା ପରେ ସୁଭଦ୍ରାଙ୍କ ରଥଟଣା ଆରମ୍ଭ ହୋଇଥାଏ । ତାପରେ ଜଗନ୍ନାଥଙ୍କ ରଥ ଟଣାଯାଏ । ବାଟରେ ଠାକୁରମାନଙ୍କ ପାଇଁ ପନ୍ତିଭୋଗ ହୁଏ । ବଡ଼ ଠାକୁର ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ବଡ ଦେଉଳର ସିଂହଦ୍ୱାର ନିକଟକୁ ଆସି ନଥାଏ, ଅଳ୍ପ କିଛି ବାଟଥାଏ, ସେହିଠାରେ ଦୁଇଟିଯାକ ରଥ ଅର୍ଥାତ ବଳଭଦ୍ରଙ୍କର ତାଳଧ୍ୱଜ ରଥ ଓ ସୁଭଦ୍ରାଙ୍କର ଦର୍ପଦଳନ ରଥ ଦୁଇଟିକୁ ଅଟକାଇ ରଖାଯାଏ । ଜଗନ୍ନାଥଙ୍କର ନନ୍ଦିଘୋଷ ରଥ ପୁଣି ମାଉସୀ ମା ଦେଉଳଠାରେ ଅଟକି ରହେ । ଜଗନ୍ନାଥଙ୍କୁ ସେଠାରେ ଛେନାପୋଡ ଭୋଗ ଦିଆଯାଏ ଓ ଭୋର ପରେ ପୁଣି ରଥ ଟଣାଯାଇଥାଏ ।
ଜଗନ୍ନାଥଙ୍କର ରଥ ବଡ ଦେଉଳର ସିଂହଦ୍ୱାର ପାଖରେ ପହଞ୍ଚିବା ପୂର୍ବରୁ ରାଜାଙ୍କର ନଅର ସାମ୍ନାରେ ଅଟକାଯାଏ । ଠିକ୍‌ ସେହି ସମୟରେ ବଡ ଦେଉଳ ଭିତରୁ ସୁବେଶ ବୋଇ ଲକ୍ଷ୍ମୀ ଠାକୁରାଣୀ ପାଲିଙ୍କିରେ ବିଜେକରି ବଡଦେଉଳର ସ୍ନାନବେଦୀ ନିକଟରେ ଥିବା ଚାହାଣି ମଣ୍ଡପରେ ପହଞ୍ଚିଥାଆନ୍ତି । ସେଠାରେ ଲକ୍ଷ୍ମୀ ଠିଆହୋଇ ରାଜାଙ୍କ ନଅର ସମ୍ମୁଖରେ ଥିବା ଜଗନ୍ନାଙ୍କ ରଥକୁ ଚାହାନ୍ତି । ଏହାପରେ ଲକ୍ଷ୍ମୀଙ୍କୁ ବିମାନରେ ନିଆଯାଏ ଓ ସେ ଜଗନ୍ନାଥଙ୍କ ରଥ ଚାରିପଟେ ବେଢାଏ ବୁଲନ୍ତି । ଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଦଇତାମାନେ ଆଜ୍ଞାମାଳ ଆଣିବା ପରେ ଲକ୍ଷ୍ମୀ ନିଜ ମନ୍ଦିରକୁ ଫେରିଯାଆନ୍ତି । ଏହାପରେ ଜଗନ୍ନାଥ ନନ୍ଦିଘୋଷ ରଥ ମନ୍ଦିରର ସିଂହଦ୍ୱାର ପଖକୁ ଟଣାହୋଇ ଆସି ସେଠାରେ ରହିଯାଏ । ବାହୁଡା ଶେଷ ଦିନ ଯାଏଁ ଜୀଉମାନେ ରଥ ଉପରେ ରୁହନ୍ତି ।

ମଧ୍ୟାହ୍ନ ଧୂପଠାରୁ ଶୁଖିଲା ଭୋଗ ଆରମ୍ଭ ହୋଇଥାଏ ଜୀଉଙ୍କ ନିକଟରେ । ତହିଁ ପରଦିନ ଯାଏଁଠାକୁରମାନେ ନିଜନିଜ ରଥ ଉପରେ ରୁହନ୍ତି । ସେଠି ଠାକୁରମାନଙ୍କର ଏକାଦଶୀ ନୀତି, ଅଧରପଣା ଭୋଗ ଓ ତାପରେ ସୁନାବେଶ ହୋଇଥାଏ । ସେତିକିବେଳେ ମଧ୍ୟ ସୁନାବେଶ ଦେଖିବାକୁ ଖୁବ ଭିଡ ହୋଇଥାଏ ପୁରୀରେ । ତା ପରଦିନ ଦ୍ୱାଦଶୀରେ ତିନି ଠାକୁର ପୁଣି ନିଜ ରଥରୁ ଓହ୍ଲାଇ ରନି ସିଂହାସନକୁ ବିଜେ କରନ୍ତି । ଏହାହିଁ ତ ବାହୁଡା ଯାତ୍ରା । ପୁରୀର ଏହି ରଥ ଓ ବାହୁଡା ଯାତ୍ରାକୁ ସର୍ବତ୍ର ମଧ୍ୟ ଅନୁସରଣ କରାଯାଇଥାଏ । ପୁରୀ ଗେଜେଟିଅରକୁ ଅନୁଧ୍ୟାନ କଲେ ଜଣାଯାଇଥାଏ ଯେ ଗୁଡିସା ଶବ୍ଦରୁ ଗୁଣ୍ଡିଚା ଶବ୍ଦ ଆସିଛି । ଗୁଡିସା ଶବ୍ଦର ଅର୍ଥ କାଠଯାତ୍ରୀ ବୋଲି ମଧ୍ୟ କୁହାଯାଇପାରେ ।
ଦକ୍ଷିଣ ଭାରତରେ ଗୁଣ୍ଡିଚା ପ୍ରତିପଦା ଦିନ ଖଣ୍ଡିଏ କାଠକୁ ପୂଜା କରିବାର ବିଧି କୁଆଡେ ରହିଛି । ଇନ୍ଦ୍ରଦ୍ୟୁମ୍ନ ପୂଜା ବୋଲି ମଧ୍ୟ ଏହି ରଥଯାତ୍ରାକୁ ଦକ୍ଷିଣାଞ୍ଚଳରେ କୁହାଯାଇଥାଏ । ଠାକୁରମାନେ ଯେଉଁସାତଦିନ ପୁରୀରେ ସେହି ଗୁଣ୍ଡିଚା ମନ୍ଦିରରେ ରହନ୍ତି । ସେଠାରେ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ସରୋବର ଥିଲା ବୋଲି କଥିତ ଅଛି । ପୁରୀ ରଥଯାତ୍ରାର ଅନୁକରଣ ଦାକ୍ଷିଣାତ୍ୟର ଏହି ଉତ୍ସବକୁ ସମ୍ଭବତଃ ଇନ୍ଦ୍ରଦ୍ୟୁମ୍ନ ମହୋତ୍ସବ ବୋଲି କୁହାଯାଏ ଓ ଖଣ୍ଡେ କାଠକୁ ସେହି ଉତ୍ସବରେ ଦୂରକୁ ନିଆଯାଇଥାଏ । କାଠ ନିର୍ମିତ ରଥଯାତ୍ରା ବ୍ୟତିତ ତାହା ଯେପରି ଅନ୍ୟ କିଛି ନୁହେଁ । ପୁଣି ପୁରୀରେ ଯେଉଁଠି ଏବେ ଗୁଣ୍ଡିଚା ମନ୍ଦିର ରହିଛି, ଏକଦା ଇନ୍ଦ୍ରଦ୍ୟୁମ୍ନ ସେଠାରେ ଅଶ୍ୱମେଧ ପାଇଁ ବେଦୀ ନିର୍ମାଣ କରିଥିଲେ । କିମ୍ବଦନ୍ତୀରୁ ଆହୁରି ମଧ୍ୟ ଜଣାଯାଇଥାଏ ଯେ, ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପନିୀଥିଲେ ମହାରଣୀ ଗୁଣ୍ଡିଚା ଦେବୀ । ତାଙ୍କରି ନାମାନୁସାରେ ହୁଏତ ଗୁଣ୍ଡିଚା ମନ୍ଦିର ଓ ଗୁଣ୍ଡିଚା ଉତ୍ସବ ହୋଇଥାଇପାରେ ।
ଗୁରୁ କଲ୍ୟାଣ ମହାପାତ୍ର
ମୁଖ୍ୟ ସମ୍ପାଦକ
ସମୟ

Comments are closed.