ନୂଆଦିଲ୍ଲୀ: ଅପ୍ରେଲ ୧୨: ବଢୁଛି ଖାଉଟିଙ୍କ ଚିନ୍ତା । ଲେମ୍ବୁ ପରେ ଏବେ କଦଳି ଆଉ ବେବିକର୍ଣ୍ଣ ମହଙ୍ଗା ହେବାକୁ ଯାଉଛି । ଅନ୍ୟ ଦେଶରୁ ଏ ଦୁଇ ସାମଗ୍ରୀକୁ ରପ୍ତାନି କରିବାର ଅନୁମତି ମିଳିଛି । ଫଳରେ ଚାଷୀଙ୍କୁ ସେମାନଙ୍କ ଉତ୍ପାଦର ଉତ୍ତମ ମୂଲ୍ୟ ମିଳିବ । କିନ୍ତୁ ଘରୋଇ ବଜାରରେ ଦର ବଢ଼ିବ । ଭାରତ ଏବଂ କାନାଡା ମଧ୍ୟରେ ଏକ ବୁଝାମଣା ହୋଇଛି, ଯାହା ଜରିଆରେ କାନାଡା ସରକାର ଭାରତରୁ କଦଳି ଏବଂ ବେବିକର୍ଣ୍ଣ ରପ୍ତାନିକୁ ଅନୁମତି ଦେଇଛନ୍ତି । ଟେକ୍ନିକାଲ ଅପଡେଟ୍ ପରେ ଚଳିତ ମାସରୁ କାନାଡାକୁ କଦଳି ଏବଂ ବେବିକର୍ଣ୍ଣ ରପ୍ତାନି ଆରମ୍ଭ ହୋଇଯିବ । ଏହି ଦୁଇଟି ଫସଲର ରପ୍ତାନି ହେବା ଦ୍ୱାରା ଘରୋଇ ବଜାରରେ ଆଗାମୀ ଦିନରେ ଉଭୟର ଦର ବଡ଼ ମାତ୍ରାରେ ବଢ଼ିବା ସମ୍ଭାବନା ଅଛି । କାନାଡା ବଜାରରେ ନିଜ କଦଳି ଏବଂ ବେବିକର୍ଣ୍ଣ ବିକ୍ରି କରିବା ପାଇଁ ଭାରତ ଦୀର୍ଘଦିନରୁ ପ୍ରୟାସ କରି ଆସୁଥିଲା । ଉଭୟ ଦେଶର ଅଧିକାରୀମାନଙ୍କ ମଧ୍ୟରେ ଏ ନେଇ ଆଲୋଚନା ଚାଲିଥିଲା । ଏପ୍ରିଲ ୭ରେ ଭାରତ ସରକାରଙ୍କ କୃଷି ସଚିବ ମନୋଜ ଆହୁଜା ଏବଂ ଭାରତରେ ଅବସ୍ଥାପିତ କାନାଡାର ଉଚ୍ଚାୟୁକ୍ତ ଏଚ୍. ଡି. କ୍ୟାମେରନ ମ୍ୟାକ୍ଙ୍କ ମଧ୍ୟରେ ଅନ୍ତିମ ପର୍ଯ୍ୟାୟ ଆଲୋଚନା ହୋଇଥିଲା । ତେବେ ଏହି ବୈଠକରେ ରପ୍ତାନିକୁ ନେଇ ଅନ୍ତିମ ନିଷ୍ପତ୍ତି ନିଆଯାଇଛି ।

Comments are closed.