ଲଞ୍ଚ ହେଲା ଆକ୍ସିଅମ – ୪ , ୨ୟ ଭାରତୀୟ ଭାବରେ ଅନ୍ତରୀକ୍ଷ କେନ୍ଦ୍ର ଯାତ୍ରା କଲେ ଶୁଭାଂଶୁ ଶୁକ୍ଲା

ନୂଆଦିଲ୍ଲୀ : ଭାରତ ପାଇଁ ଐତିହାସିକ ଦିନ । ଲଞ୍ଚ୍ ହେଲା ଆକ୍ସିଅମ୍-୪ । ୬ ଥର ଘୁଞ୍ଚିବା ପରେ ଅନ୍ତରୀକ୍ଷ କେନ୍ଦ୍ର ଯାତ୍ରା କରିଛନ୍ତି ଶୁଭାଂଶୁ ଶୁକ୍ଲା । ୪ ଦଶନ୍ଧି ପରେ ଭାରତ ସହ ପୋଲାଣ୍ଡ ,ହଙ୍ଗେରୀର ଏହା ପ୍ରଥମ ମହାକାଶ ଅଭିଯାନ । ଭାରତୀୟ ସମୟ ଅନୁସାରେ ବୁଧବାର ମଧ୍ୟାହ୍ନ ୧୨ଟା ୦୧ ରେ ଆମେରିକାର ଫ୍ଲୋରିଡ଼ାସ୍ଥିତ ନାସାର କେନେଡି ସ୍ପେସ୍ ସେଣ୍ଟରର କମ୍ପ୍ଲେକ୍ସ ୩୯A ରୁ ମହାକାଶ ଅଭିମୁଖେ ଉଡ଼ାଣ ଭରିଛି ସ୍ପେଶ୍ ଏକ୍ସ ମିଶନ୍-ଆକ୍ସିଅମ୍-୪ । ୩ ମହାକାଶଚାରୀଙ୍କ ସହ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ଯାତ୍ରା କରିଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ରାକେଶ ଶର୍ମାଙ୍କ ପରେ ୨ୟ ଭାରତୀୟ ଭାବରେ ମହାକାଶ ଯାତ୍ରା କରିଛନ୍ତି ଶୁଭାଂଶୁ ଶୁକ୍ଳା । ୧୯୮୪ରେ ମହାକାଶ ଯାତ୍ରା କରିଥିଲେ ରାକେଶ ଶର୍ମା ।

ଆକ୍ସିଅମ ଫୋର, ନାସା ଓ ସ୍ପେଶ ଏକ୍ସର ମିଳିତ ମିଶନ । ସ୍ପେସ ଏକ୍ସ ଫାଲକନ ୯ ରକେଟର ଉତକ୍ଷେପଣ କରାଯାଇଛି । ୨୮ ଘଣ୍ଟା ପରେ ସ୍ପେସ ଷ୍ଟେସନ ପହଞ୍ଚିବ । ଆସନ୍ତାକାଲି ଅପରାହ୍ଣ ୪ଟା ୩୦ରେ ଡକିଂ ପାଇଁ ଟାର୍ଗେଟ ରଖାଯାଇଛି । ୪୧ ବର୍ଷ ପରେ ଭାରତୀୟ ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଏହି ଐତିହାସିକ ଯାତ୍ରାରେ ସାମିଲ ହୋଇ ପ୍ରଥମ ଥର ପାଇଁ ମହାକାଶକୁ ଯାତ୍ରା କରିଛନ୍ତି ।

ଏହି ମିଶନରେ ଶୁଭାଂଶୁଙ୍କ ସହ ଆମେରିକୀୟ ମହାକାଶଚାରୀ ପେଗୀ ହ୍ବିଟସନ୍, ପୋଲାଣ୍ଡର ସ୍ଲାଓଜ୍ ଉଜନାଲସ୍କୀ ଏବଂ ହଙ୍ଗେରୀର ମେକାନିକାଲ ଇଞ୍ଜିନିୟର ଟିବୋର କାପୁ କ୍ରିଉ ସଦସ୍ୟ ଭାବେ ରହିଛନ୍ତି । ୧୪ ଦିନିଆ ମିଶନରେ ଯାଇଛନ୍ତି ସମସ୍ତ ମହାକାଶଚାରୀ । ସେମାନେ ମହାକାଶରେ ୬୦ ରୁ ଅଧିକ ପରୀକ୍ଷଣ କରିବେ । କ୍ୟାନସର ଗବେଷଣା, ୩ ଡି ପ୍ରିଣ୍ଟିଂ, ଡିଏନଏ ରିପେୟାର ଏବଂ ପୃଥିବୀ ପର୍ଯ୍ୟବେକ୍ଷଣ ଆଦି ଉପରେ ପରୀକ୍ଷଣ କରିବେ। ଏହି ଗବେଷଣା ୩୧ ଟି ଦେଶ ପାଇଁ କରାଯିବ। ମହାକାଶଚାରୀ ISSରେ ବିଶ୍ୱବ୍ୟାପୀ ଜନସମ୍ପର୍କ କାର୍ଯ୍ୟକ୍ରମ, ମାଇକ୍ରୋଗ୍ରାଭିଟି ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରିବେ। ଅକ୍ସିଅମ୍ ସ୍ପେସ୍, ସ୍ପେସ୍ X ଏବଂ ଇସ୍ରୋର ଏହା ମିଳିତ ଅଭିଯାନ। ଗ୍ରୁପ କ୍ୟାପଟେନ ଶୁଭାଂଶୁଙ୍କର ୨ହଜାର ଘଣ୍ଟାରୁ ଅଧିକ ଉଡାଣ ଅଭିଜ୍ଞତା ରହିଛି ।

ମହାକାଶକୁ ଉଡ଼ାଣ ଭରିବା ପୂର୍ବରୁ ଭାରତବାସୀଙ୍କୁ ଦେଇଥିଲେ ବାର୍ତ୍ତା । କହିଥିଲେ “ମୋ କାନ୍ଧରେ ମୋର ତ୍ରିରଙ୍ଗା ଅଛି, ଯାହା ଦର୍ଶାଏ ଯେ ସମଗ୍ର ଭାରତ ମୋ ସହିତ ଅଛି । ମୁଁ ଚାହେଁ ଯେ ସମଗ୍ର ଦେଶ ଏହି ଖୁସିରେ ସାମିଲ ହେଉ। ଜୟ ହିନ୍ଦ।” ତେବେ ଯାହା ଶୁଣିବାକୁ ମିଳିଛି ସେ ମହାକାଶ ଯିବାବେଳେ ସାଙ୍ଗରେ ନେଇ ଯାଇଛନ୍ତି ଗାଜର ହାଲଓ୍ୱା, ମୁଗ୍ ଡାଲି ହାଲଓ୍ୱା, ଆମ୍ୱ ରସ ସହ ଅନେକ ଜିନିଷ ।

Govt

Comments are closed.