ଅନ୍ତରୀକ୍ଷରେ ୱାର୍କଆଉଟ୍‌

ଆଜିକାଲି ଇଣ୍ଟରନେଟ୍‌ରେ ଜଣେ ମହାକାଶଚାରୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେଶନରେ ୱାର୍କଆଉଟ୍‌ କରୁଥିବା ନଜର ଆସୁଛନ୍ତି । ଏହି ଅନ୍ତରୀକ୍ଷଯାତ୍ରୀଙ୍କ ନାମ ହେଉଛି-ଥୋମାସ୍‌ ପେସ୍କୋଟ, ଯିଏ ‘ୟୁରୋପିଆନ୍‌ ସ୍ପେସ୍‌ ଏଜେନ୍ସି’ ସହିତ ଜଡ଼ିତ ଅଛନ୍ତି ଏବଂ ନିକଟରେ ସ୍ପେସ୍‌ରେ ବ୍ୟାୟାମକୁ ନେଇ ସେ ଲୋକପ୍ରିୟ ହେବାରେ ଲାଗିଛନ୍ତି । ଏହି ଭିଡିଓକୁ ଦେଖି ଲକ୍ଷ ଲକ୍ଷ ଲୋକ ଥୋମାସଙ୍କଠାରୁ ଫିଟନେସ୍‌ର ପ୍ରେରଣା ପାଉଛନ୍ତି । ପୃଥିବୀରେ ସମସ୍ତ ପ୍ରକାର ସମ୍ବଳ ଥାଇ ମଧ୍ୟ ଅନେକ ଲୋକ ବ୍ୟାୟାମକୁ ପ୍ରାଥମିକତା ଦିଅନ୍ତି ନାହିଁ । ହେଲେ ଫ୍ରାନ୍ସର ମହାକାଶଚାରୀ ଥୋମାସ ଅନ୍ତରୀକ୍ଷରେ ବି ନିଜର ଫିଟ୍‌ନେସ୍‌ ପ୍ରତି ଧ୍ୟାନ ଦେଉଛନ୍ତି । ମହାକାଶରେ ଏପରି କାର୍ଯ୍ୟ କରିବା ସମସ୍ତଙ୍କ ପାଇଁ ସହଜ ନୁହେଁ କାରଣ ପୃଥିବୀ ତୁଳନାରେ ମହାକାଶରେ ମାଧ୍ୟାକର୍ଷଣ ଶକ୍ତି ନଥାଏ । କିନ୍ତୁ ସ୍ପେସକୁ ଯିବା ପୂର୍ବରୁ ସମସ୍ତ ମହାକାଶଚାରୀଙ୍କୁ ସମସ୍ତ କାର୍ଯ୍ୟ କରିବାକୁ ତାଲିମ ଦିଆଯାଇଥାଏ ଯାହା ଦ୍ୱାରା ବିନା କୌଣସି ଅସୁବିଧାରେ ସେମାନେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବେ । ଭିଡିଓକୁ ଥୋମାସ ନିଜ ଇନଷ୍ଟାଗ୍ରାମ ପେଜ୍‌ରେ ସେୟାର କରିଛନ୍ତି । ସୂଚନା ଅନୁଯାୟୀ ଥୋମାସ୍‌ ପେସ୍କୋଟ ମିଶନ ଅଲଫା ପାଇଁ ମହାକାଶରେ ଟ୍ରେନିଂ ନେଉଛନ୍ତି ଯାହା ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେଶନର ଦ୍ୱିତୀୟ ମିଶନ । ଏସମ୍ପର୍କରେ ଭିଡିଓର କ୍ୟାପସନରେ ନିଜେ ଥୋମାସ ସୂଚନା ଦେଇଛନ୍ତି । ଥୋମାସଙ୍କ ପୂର୍ବରୁ ଆଉ ଜଣେ ଅନ୍ତରୀକ୍ଷ ଯାତ୍ରୀ କର୍ନଲ ଶେନ କିମ୍ବ୍ରୁ ମଧ୍ୟ ମହାକାଶରେ କସରତ କରି ଚର୍ଚ୍ଚାକୁ ଆସିଥିଲେ ।

Comments are closed.