ଜଣେ ବ୍ୟକ୍ତିଙ୍କ ଘରୁ ମିଳିଲା ୧୮୩ ଜନ୍ତୁଙ୍କ ମୃତ ଶରୀର, ଜୀଅନ୍ତା ଅବସ୍ଥାରେ ଫ୍ରିଜ୍‌ରେ ରଖୁଥିଲେ ଜନ୍ତୁ

ଆରିଜୋନା: ଆମେରିକାର ଦକ୍ଷିଣ ଆରିଜୋନାରେ ଜଣେ ୪୩ ବର୍ଷୀୟ ବ୍ୟକ୍ତିଙ୍କ ଘରୁ ୧୮୩ ଜନ୍ତୁଙ୍କ ମୃତ ଶରୀର ମିଳିଛି । ମୃତ ଜନ୍ତୁଙ୍କ ମଧ୍ୟରେ ଠେକୁଆ, କଇଁଛ ମୂଷା, ସାପ, କୁକୁର ଆଦି ରହିଛନ୍ତି । ଏହି ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳବାସୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେହି ବ୍ୟକ୍ତିଙ୍କର ନାମ ହେଉଛି ମାଇକେଲ ପାଟ୍ରିକ୍‌ ଟର୍‌ଲ୍ୟାଣ୍ଡ ।

ମାଇକେଲ ରହୁଥିବା ଘରର ମାଲିକ ତାଙ୍କୁ ଘର ଛାଡ଼ିବାକୁ କହିଥିଲେ । ଆଉ ଯେତେବେଳେ ଘର ସଫା କରିିଥିଲେ ପୁରୁଣା ଗ୍ୟାରେଜ ଘରରେ ଥିବା ଫ୍ରିଜର୍‌ରୁ ମାଲିକଙ୍କୁ ଏହି ଜନ୍ତୁଙ୍କ ଶରୀର ମିଳିଥିଲା । ଏହାପରେ ସେ ପୋଲିସକୁ ସୂଚନା ଦେଇଥିଲେ । ଉକ୍ତ ଖବର ପାଇବା ପରେ ପୋଲିସ ତୁରନ୍ତ ମାଇକେଲକୁ ଗିରଫ କରିଛି ଏବଂ ତାଙ୍କ ବିରୋଧରେ ପଶୁ ଉପରେ କ୍ରୁରତା ମାମଲା ମଧ୍ୟ ରୁଜୁ କରାଯାଇଛି ।

ରିପୋର୍ଟ ଅନୁସାରେ, ମାଇକେଲ କିଛି ଜନ୍ତୁକୁ ଜୀବନ୍ତ ଅବସ୍ଥାରେ ହିଁ ଫ୍ରିଜରରେ ପୂରାଇ ଦେଇଥିଲା । ଅତିଶୟ ଥଣ୍ଡା କାରଣରୁ ବରଫରେ ଜମି ଜନ୍ତୁମାନଙ୍କର ମୃତୁ୍ୟ ଘଟିଥିଲା । ସ୍ଥାନୀୟ ଜଣେ ମହିଳା ଅଭିଯୋଗ କରିଥିଲେ ଯେ, ମାଇକେଲ ତାଙ୍କ ପାଳିତ ସାପଗୁଡ଼ିକୁ ନେଇ ଆଉ ଫେରାଇ ନ ଥିଲେ । ସେ ଏହି ସାପଗୁଡ଼ିକୁ ପ୍ରଜନନ ପାଇଁ ତାଙ୍କଠୁ ମାଗିକି ନେଇଥିଲେ ।

ତେବେ ମାଇକେଲଙ୍କ ପତ୍ନୀଙ୍କ ନାମ ହେଉଛି ବ୍ରୁକଲିନ୍‌ ବେକ୍‌ । ବ୍ରୁକଲିନ୍‌ ଓ ମାଇକେଲ ମିଶି ଗ୍ରୁମିଂ ସର୍ଭିସ ଚଳାଉଥିଲେ । କିନ୍ତୁ ଲକ୍‌ଡାଉନ୍‌ ପରେ ଏହି ସର୍ଭିସ ବନ୍ଦ କରିଦେଇଥିଲେ । ପୋଲିସର ସୂଚନା ଅନୁସାରେ, ମାଇକେଲ୍‌ ଓ ବ୍ରୁକଲିନ୍‌ଙ୍କ ନାମରେ ପୂର୍ବରୁ କେତେକ ଅପରାଧିକ ମାମଲା ରହିଛି । ପୋଲିସ ଏବେ ବ୍ରୁକଲିନଙ୍କ ତଲାସି ଜାରି ରଖିଥିଲା ବେଳେ କେଉଁ କାରଣରୁ ମାଇକେଲ ଜନ୍ତୁମାନଙ୍କୁ ମାରିଥିଲା ତାହାର ପଚରାଉଚରା କାର୍ଯ୍ୟ ଆରମ୍ଭ କରିଛି ।

Govt

Comments are closed.