ବେନାମୀ ଚିଠି ଖୋଲିଲା ମୃତ୍ୟୁ ରହସ୍ୟ,୧୦ ମାସ ଧରି ନିଖୋଜ ଥିଲେ ଛାତ୍ରୀ

ନୂଆପଡା : ନିଖୋଜ ହେବାର ୧୦ ମାସ ପରେ ଘରକୁ ଆସିଲା ଏକ ବେନାମୀ ଚିଠି I ପରିବାର ଲୋକେ ଚିଠି ପଢି ହୋଇଗଲେ ହତବାକ I ଚିଠିର ସୂଚନା ମୁତାବକ ୧୦ ମାସ ପୂର୍ବରୁ ତାଙ୍କ କଲେଜ ପଢୁଆ ଝିଅକୁ ହତ୍ୟା କରି ନିକଟସ୍ଥ ଧାନ ବିଲରେ ପୋତି ଦିଆଯାଇଥିଲା I ଏହାପରେ ସେହି ଚିଠିକୁ ପୋଲିସ୍‌କୁ ହସ୍ତାନ୍ତର କରିଥିଲେ ପରିବାର ଲୋକେ I

ସୂଚନାମୁତାବକ ନୂଆପଡ଼ା ସଦର ଥାନା ରତିପାଲି ଗାଁର ଧନିରାମ ନାଏକଙ୍କ କଲେଜ ରେ +୨ ପଢୁଥିବା ଝିଅ ନିଖୋଜ ହୋଇଯାଇଥିଲେ I ଗତ ଜାନୁଆରି ୩ ତାରିଖରୁ ଛାତ୍ରୀ ଜଣକ କଲେଜ ଯାଇ ଆଉ ଘରକୁ ଫେରି ନ ଥିଲେ I ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି ପରେ କୌଣସି ପତ୍ତା ମିଳିପାରି ନଥିଲା। ଶେଷରେ ଥାନାରେ ଏତଲା ଦେଇଥିଲେ । ମାତ୍ର ପୋଲିସ ମାମଲା ୠଜୁକରି ଚୁପ ହୋଇ ବସି ଯାଇଥିଲା I ଚାରିଆଡେ ଖୋଜା ଖୋଜି ପରେ ନିରାଶ ହୋଇଥିଲେ ପରିବାର ଲୋକେ I ଏହି ଘଟଣାକୁ ୧୦ ମାସ ବିତି ଯିବା ପରେ ଛାତ୍ରୀଙ୍କ ବାପାଙ୍କ ନାଁରେ ଆସିଥିଲା ଏକ ବେନାମୀ ଚିଠି I ସେଥିରେ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇ ପୋତି ଦିଆଯାଇଥିବା ଉଲ୍ଲେଖ ଥିଲା । ସୂଚନା ପାଇ ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ସାହାଯ୍ୟରେ ଆରମ୍ଭ ହୋଇଥିଲା ତଦନ୍ତ I ଏହାପରେ ଗତକାଲି ନୂଆପଡ଼ା ପୋଲିସ୍‌ ରତିପାଲି ଗାଁକୁ ଯାଇ ଏକ ଧାନ ବିଲରୁ ମାଟି ଖୋଳି ୧୦ ମାସ ପୂର୍ବର ନରକଙ୍କାଳ ଉଦ୍ଧାର କରିଥିଲା । ଏହି ମାମଲାରେ ପୋଲିସ୍‌ ୬ ଜଣଙ୍କୁ ଅଟକ ରଖି ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିଛି। ଅନ୍ୟପକ୍ଷେ, ହତ୍ୟାକାରୀଙ୍କୁ ଫାଶୀ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି।

Launching Ceremony of “AYUSHMAN BHARAT

Comments are closed.