ଜୟପୁରବାସିନ୍ଦା ଅଙ୍କିତ ଆରୋରା ଜଣେ ସାଇକେଲ ଆରୋହୀ । ସାଇକେଲରେ ଭାରତ ଭ୍ରମଣରେ ଥିବା ୩୧ ବର୍ଷୀୟ ଅଙ୍କିତ ଏପର୍ଯ୍ୟନ୍ତ ୧୫ଟି ରାଜ୍ୟ ଗସ୍ତ କରିସାରିଛନ୍ତି । ଏହି ସମୟ ମଧ୍ୟରେ ୨୦ ହଜାର କିଲୋମିଟରରୁ ଅଧିକ ସାଇକେଲ ଚଲାଇଛନ୍ତି । ସେ ତାଙ୍କ ସାଇକେଲ ଯାତ୍ରା ମାଧ୍ୟମରେ ଏକ ନିଆରା ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି । ସେ ଯେଉଁଠାକୁ ସାଇକେଲରେ ଗସ୍ତ କରନ୍ତି, ସେହି ସ୍ଥାନର ଲୋକଙ୍କୁ ଅର୍ଗାନିକ ଫାର୍ମିଂ ତଥା ଜୈବିକ ଚାଷର ତାଲିମ ଦିଅନ୍ତି । ପିଲାମାନଙ୍କୁ ଉତ୍ସାହିତ କରନ୍ତି, ସେମାନଙ୍କୁ ଶିକ୍ଷା ସହିତ ଯୋଡ଼ିଥାନ୍ତି ଏବଂ ଗାଁଗୁଡ଼ିକରେ ଇକୋଭିଲେଜ୍ ମଡେଲ ବିକାଶ କରିବାରେ ସହଯୋଗ କରନ୍ତି । କେବଳ ସେତିକି ନୁହେଁ ତାଙ୍କର ଏହି ନିଆରା ଅଭିଯାନ ଜରିଆରେ ଶହ ଶହ ଲୋକଙ୍କୁ ରୋଜଗାର ସହିତ ଯୋଡ଼ୁଛନ୍ତି । ଏଥିପାଇଁ ସେ ଅନେକ ଥର ପୁରସ୍କୃତ ହୋଇଛନ୍ତି ।
୩୧ ବର୍ଷୀୟ ଅଙ୍କିତ ୨୦୧୦ ରେ ସ୍ନାତକ ସମାପ୍ତ କରିବା ପରେ ଚାକିରୀ କରିବା ଆରମ୍ଭ କରିଥିଲେ । ପ୍ରାୟ ୭ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ କମ୍ପାନୀରେ କାର୍ଯ୍ୟ କରିବା ପରେ ୨୦୧୭ ରେ ଚାକିରି ଛାଡି ସାଇକେଲ ଯୋଗେ ଭାରତ ଭ୍ରମଣରେ ବାହାରିପଡ଼ିଲେ । ପିଲାବେଳୁ ସାଇକେଲ ଚଳାଇବା ପ୍ରତି ରୁଚି ରଖୁଥିବା ଅଙ୍କିତ ସର୍ବଦା ସାଇକେଲିଂରେ ରେକର୍ଡ କରିବା ପାଇଁ ଇଚ୍ଛା ପ୍ରକାଶ କରୁଥିଲେ । ଏହି ଇଚ୍ଛାକୁ ସେ ୨୦୧୬ରେ ପୂରଣ କରିଥିଲେ । ଲଗାତାର ୬୯ ଘଣ୍ଟା ସାଇକେଲ ଚଳାଇ ଜାତୀୟସ୍ତରରେ ରେକର୍ଡ କଲେ । ଏଥିପାଇଁ ତାଙ୍କ ନାମ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ପଞ୍ଜୀକୃତ ହୋଇଥିଲା, ଯାହା ତାଙ୍କୁ ଆଗାମୀ ଅଭିଯାନ ପାଇଁ ପ୍ରେରଣା ଯୋଗାଇଥିଲା । ଏହାପରେ ୨୦୧୭ରେ ଚାକିରୀ ଛାଡ଼ି ରାଜସ୍ଥାନରୁ ନିଜ ସାଇକେଲ ଯାତ୍ରା ଆରମ୍ଭ କରିଥିଲେ ।
ଏହି ଅନନ୍ୟ ଏବଂ ଅଜଣା ଯାତ୍ରା ପାଇଁ ଅଙ୍କିତ ପୂର୍ବପ୍ରସ୍ତୁତି ରୂପେ ନିଜ ସଞ୍ଚିତ ଧନକୁ ଖର୍ଚ୍ଚ କରିଥିଲେ । ତାପରେ ଯେତେବେଳେ ତାଙ୍କ ଯାତ୍ରା ଧୀରେଧୀରେ ବଢ଼ିବାକୁ ଲାଗିଲା, ଅଙ୍କିତଙ୍କ କହିବା ଅନୁଯାୟୀ ତାଙ୍କର ଲକ୍ଷ୍ୟ ମଧ୍ୟ ସ୍ପଷ୍ଟ ହୋଇଚାଲିଲା । ଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଭେଟିବା ଏବଂ ସେମାନଙ୍କ ସମସ୍ୟା ଦେଖିବା ପରେ ତାଙ୍କର ଉଦ୍ଦେଶ୍ୟ ବଦଳିଗଲା ବୋଲି କହିଛନ୍ତି । ଏହି ସମୟରେ ସେ ଜୈବିକ ଚାଷ ସମ୍ପର୍କରେ ଜାଣିବାକୁ ପାଇଥିଲେ, ଯାହା ତାଙ୍କୁ ବହୁତ ପସନ୍ଦ ଆସିଥିଲା ।
ଏହା ପରେ ଅଙ୍କିତ ବିଭିନ୍ନ ଗାଁର ଲୋକଙ୍କୁ ଜୈବିକ ଚାଷ ସମ୍ପର୍କରେ ଅବଗତ କରାଇ ଲୋକଙ୍କୁ ସଚେତନ କରିବା ଆରମ୍ଭ କଲେ । ଏପରିକି ସେ କିଛି ଦିନ ଗୋଟେ ଗୋଟେ ଗାଁରେ ରହି ଲୋକମାନଙ୍କୁ ଅର୍ଗାନିକ ଫାର୍ମିଂ ଶିଖାଉଥିଲେ ଏବଂ ଏହାର ପ୍ରକ୍ରିୟା ବିଷୟରେ ବୁଝାଉଥିଲେ । କେବଳ ଏତିକି ନୁହେଁ, ସେ ଏକ ମାର୍କେଟିଂ ମଡେଲ ପ୍ରସ୍ତୁତ କରିବା ଏବଂ ଏହା ସହିତ ଲୋକଙ୍କୁ ଯୋଡ଼ିବା ପାଇଁ ମଧ୍ୟ ବ୍ୟବହାର କରୁଥିଲେ । ଧୀରେଧୀରେ ତାଙ୍କର ଏହି ଅଭିଯାନ ଆଗକୁ ବଢ଼ିବାକୁ ଲାଗିଲା । ବର୍ତ୍ତମାନ ସେ ଶତାଧିକ ଲୋକଙ୍କୁ ଜୈବିକ ଚାଷ କରିବାକୁ ପ୍ରୋତ୍ସାହିତ କରିବାରେ ସଫଳ ହୋଇଛନ୍ତି । କେବଳ ସେତିକି ନୁହେଁ ଅଙ୍କିତ ଗ୍ରାମଗୁଡିକରେ କାଦୁଅ ଘର ଏବଂ ଇକୋଭିଲେଜ୍ ମଡେଲଗୁଡିକର ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ଏହି କ୍ରମରେ ସେ ମହାରାଷ୍ଟ୍ର, ତାମିଲନାଡୁ ସମେତ ଅନେକ ରାଜ୍ୟରେ ମଡ୍ ହାଉସ୍ ନିର୍ମାଣ କରିଛନ୍ତି । ଏହା ସହିତ ଦୁଇଟି ଗ୍ରାମକୁ ମଧ୍ୟ ଇକୋଭିଲେଜରେ ପରିଣତ କରାଯାଇଛି । କୃଷି, ଶିକ୍ଷା ବ୍ୟତୀତ ଏହି ଗ୍ରାମଗୁଡିକରେ ରୋଜଗାର ମଧ୍ୟ ଭରପୂର ରହିଛି । ଯେଉଁଠାରେ ପୂର୍ବରୁ ଏହି ଗାଁର ଲୋକଙ୍କୁ ରୋଜଗାର କରିବାକୁ ବାହାରକୁ ଯିବାକୁ ପଡୁଥିଲା, ବର୍ତ୍ତମାନ ସେମାନେ କେବଳ ନିଜ ଗାଁରେ ରହି ଟଙ୍କା ରୋଜଗାର କରୁନାହାଁନ୍ତି ବରଂ ଅନ୍ୟ ଲୋକଙ୍କୁ ରୋଜଗାର ମଧ୍ୟ ଦେଉଛନ୍ତି । ଆହୁରି ମଧ୍ୟ ଅଙ୍କିତ ସିଲେଇ ଏବଂ ସୂକ୍ଷ୍ମ କାରୁକାର୍ଯ୍ୟର ତାଲିମ ଦେଇ ଅନେକ ଲୋକଙ୍କୁ ଆତ୍ମନିର୍ଭରଶୀଳ କରାଇପାରିଛନ୍ତି । ଏହାରି ମଧ୍ୟରେ ଅଙ୍କିତ ତାଙ୍କ ସାଇକେଲ ଯାତ୍ରା ଆରମ୍ଭ କରିବାର ୪ ବର୍ଷ ବିତିଗଲାଣି । ସୋସିଆଲ ମିଡିଆ ସହଯୋଗ ଯୋଗୁଁ ଧୀରେଧୀରେ ତାଙ୍କ ନେଟୱାର୍କିଂ ବଢ଼ିବାରେ ଲାଗିଛି ଏବଂ ଲୋକମାନେ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଛନ୍ତି ।
Comments are closed.