ବ୍ରହ୍ମଗିରିର ଅଲାରନାଥ ମନ୍ଦିର

ବୈଚିତ୍ର୍ୟମୟ ମହାପ୍ରଭୁଙ୍କ ଲୀଳା ବାସ୍ତବିକ ଅବର୍ଣ୍ଣନୀୟ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପଡ଼ିଥାଏ ସ୍ନାନ ଯାତ୍ରା । ମହାପ୍ରଭୁ ଭୀଷଣ ଜ୍ୱରରେ ଆକ୍ରାନ୍ତ ହୋଇ ଅଣସର ଘରେ ପଡ଼ିରହିଥିବାବେଳେ ପନ୍ଦର ଦିନ ଧରି ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଥାନ୍ତି କୋଟି କୋଟି ଭକ୍ତଜନ । ତେଣୁ ଏହି ଦୁଃଖକୁ ବିମୋଚନ କରିବା ଲାଗି ଅଲାରନାଥ ମନ୍ଦିରକୁ ଯାତ୍ରା କରିଥାନ୍ତି ଜଗନ୍ନାଥପ୍ରେମୀ ଭକ୍ତଜନମାନେ । କଥିତ ଅଛି ଅଣସର ସମୟରେ ଅଲାରନାଥଙ୍କ ଦର୍ଶନ କରିବା ଦ୍ୱାରା ଅଶେଷ ପୁଣ୍ୟ ଫଳ ମିଳିଥାଏ । ତେଣୁ ଏହି ସମୟରେ ବ୍ରହ୍ମଗିରିର ଅଲାରନାଥଙ୍କ ମନ୍ଦିରରେ ପ୍ରବଳ ଜନାସମାଗମ ହୋଇଥାଏ ।

ଅଲାରନାଥ କ୍ଷେତ୍ରଟି ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇନାହିଁ । ଏହା ପୁରୀ ଠାରୁ କୋଡିଏ କିଲୋମିଟର ଦୂର । ଭଗବାନ ବିଷ୍ଣୁଙ୍କ ଚଳନ୍ତି ପ୍ରତୀମା ହେଉଛନ୍ତି ଭଗବାନ ଅଲାରନାଥ । ଐତିହାସିକ ଓ ପୌରାଣିକ ଲୋକ କାହାଣୀ ଅନୁଯାୟୀ ଶ୍ରୀକ୍ଷେତ୍ର ରହଣି ସମୟରେ ଶ୍ରୀଚୈତନ୍ୟ ମହାପ୍ରଭୁ ଅଣସର ସମୟରେ ଜଗନ୍ନାଥଙ୍କୁ ଦର୍ଶନରୁ ବଞ୍ଚିତ ହୋଇ ତାଙ୍କ ହୃଦୟ କ୍ଷତବିକ୍ଷତ ହୋଇଥିଲା । ମହାପ୍ରଭୁଙ୍କ ଦର୍ଶନ ନ ପାଇ ସେ ବିରହ ଦୁଃଖରେ ମ୍ରିୟମାଣ ହୋଇପଡ଼ି ଅର୍ହନିଶ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଚାଲିଥିଲେ । ତାଙ୍କ ଦୁଃଖକୁ ଦୂରେଇ ଭକ୍ତବତ୍ସଳ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ବ୍ରହ୍ମଗିରିସ୍ଥିତ ଅଲାରନାଥଙ୍କ ପୀଠରେ ଦର୍ଶନ କରିପାରିବେ ବୋଲି କହିଥିଲେ । ସେହି ପରମ୍ପରା ଅନୁସାରେ ଅଣସର ସମୟରେ ଭକ୍ତମାନେ ଅଲାରନାଥଙ୍କୁ ଦର୍ଶନ କରିବାର ପ୍ରାଚୀନ ପରମ୍ପରା ଏଯାବତ୍‌ ଗଡ଼ି ଆସିଛି । ଐତିହାସିକ ତଥ୍ୟ ଅନୁଯାୟୀ ଏଗାର ଶହ ବର୍ଷ ପୂର୍ବେ ଏହି ଅଲାରନାଥ ମନ୍ଦିର ନିର୍ମାଣ ହୋଇଥିଲା । ଦକ୍ଷିଣ ଭାରତର ଅଲବାର ନାମକ ଜଣେ ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁଙ୍କ ଶିଷ୍ୟମାନେ ଏହି ମନ୍ଦିର ନିର୍ମାଣ କରିଥିଲେ । ଦକ୍ଷିଣ ଭାରତର ବ୍ରାହ୍ମଣମାନଙ୍କ ଦ୍ୱାରା ମହାପ୍ରଭୁ ଅଲାରନାଥଙ୍କ ସେବା ପୂଜା ଚଳି ଆସୁଛି । ମୁଗୁନି ପଥରରେ ନିର୍ମିତ ମହାପ୍ରଭୁ ଅଲାରନାଥଙ୍କ ଦୁଇପାଶ୍ୱର୍ରେ ବ୍ରହ୍ମା ଓ ଶଙ୍କର ପୂଜା ପାଉଛନ୍ତି । ପ୍ରତୁ୍ୟଷ ଛଅଟାରୁ ରାତ୍ରି ସାଢ଼େ ନଅଟା ପର୍ଯ୍ୟନ୍ତ ମହାପ୍ରଭୁ ଦର୍ଶନ ଦେଇଥାନ୍ତି । ପ୍ରାତଃ ସମୟରେ ମହାପ୍ରଭୁ ଅଲାରନାଥଙ୍କୁ ବାଳଭୋଗ, ମଧ୍ୟାହ୍ନରେ ଶଙ୍କୁଳି ଭୋଗ ଯେଉଁଥିରେ ଅନ୍ନ, ଡାଲି, ପନିପରିବାର ତରକାରୀ ସହ କ୍ଷୀରି ନୈବେଦ୍ୟ ଭାବରେ ସମର୍ପଣ କରାଯାଇଥାଏ ଓ ରାତ୍ର ସମୟରେ ପିଠା, ମିଠା, ଖେଚୁଡ଼ି ଓ ଭୋଗ ଆଦିକୁ ନେଇ ରାତ୍ର ଭୋଗ ନୈବେଦ୍ୟ ସମର୍ପିତ ହୋଇଥାଏ ।
ବ୍ରହ୍ମଗିରିର ଅଲାରନାଥ ମନ୍ଦିର
ପୌରାଣିକ କାହାଣୀର ତଥ୍ୟ ଅନୁଯାୟୀ ସତ୍ୟ ଯୁଗ ସମୟରେ ଏକଦା ସୃଷ୍ଟିକର୍ତ୍ତା ବ୍ରହ୍ମା ଭଗବାନ ବିଷ୍ଣୁଙ୍କ ଦର୍ଶନ ସାନ୍ନିଧ୍ୟ ପାଇଁ ଘୋର ତପସ୍ୟା ଆରମ୍ଭ କରିଥିଲେ । ବ୍ରହ୍ମାଙ୍କ କଷ୍ଟକର ତପସ୍ୟା ଓ ପ୍ରାର୍ଥନାରେ ସ;ୁଷ୍ଟ ହୋଇ ଚର୍ତୁଭୁଜ ରୂପଧାରୀ ବିଷ୍ଣୁ ଦର୍ଶନ ଦେଇ ‘ତୁମ ତପସ୍ୟାରେ ମୁଁ ସ;ୁଷ୍ଟ । ତୁମେ ମୋର ଏକ ଚର୍ତୁଭୂଜ ମୂର୍ତ୍ତି ନିର୍ମାଣ କରି ପୂଜାର୍ଚ୍ଚନା କର’ । ଭଗବାନଙ୍କ ଆଜ୍ଞାପାଳନ କରି ବ୍ରହ୍ମା କଳାମୁଗୁନି ପଥରରେ ବିଷ୍ଣୁଙ୍କ ଚଳନ୍ତି ପ୍ରତୀମା ନିର୍ମାଣ କରି ପୂଜାର୍ଚ୍ଚନା କରିଥିଲେ । ବିଷ୍ଣୁଙ୍କୁ ପ୍ରାପ୍ତି ପାଇଁ ବ୍ରହ୍ମା ତପସ୍ୟା କରିଥିବା ସ୍ଥାନଟି ପରବର୍ତ୍ତୀ ସମୟରେ ବ୍ରହ୍ମଗିରି ନାମରେ ପରିଚିତ ହୋଇଥିଲା । ଆଉ ବିଷ୍ଣୁଙ୍କ ଚଳନ୍ତି ପ୍ରତୀମା ଆଜିର ବ୍ରହ୍ମଗିରିସ୍ଥିିତ ଅଲାରନାଥ ଭାବରେ ଚିରକାଳ ବିଖ୍ୟାତ ହୋଇରହିଛି । ସେହିପରି ଆଉ ଏକ ପୌରାଣିକ କିମ୍ବଦନ୍ତୀର କାହାଣୀ କୁହେ ଯେ ରାଜା ଇନ୍ଦ୍ରଦୁ୍ୟମ୍ନଙ୍କ ରାଜତ୍ୱ କାଳରେ ସୃଷ୍ଟିକର୍ତ୍ତା ବ୍ରହ୍ମା ସେ ମନ୍ଦିର ପ୍ରତିଷ୍ଠା କରିବା ଲାଗି ମର୍ତ୍ତ୍ୟଭୂମିକୁ ଆସିଥିଲେ । ସେ ପ୍ରଥମେ ମର୍ତ୍ତ୍ୟଭୂମିର ଯେଉଁ ସ୍ଥାନରେ ପାଦ ଦେଇଥିଲେ, ତାହାଥିଲା ବ୍ରହ୍ମଗିରି । ଆଉ ପ୍ରଥମେ ଯେଉଁ ସ୍ଥାନରେ ସେ ବିଷ୍ଣୁଙ୍କର ପୂଜାର୍ଚ୍ଚନା କରିଥିଲେ ପରବର୍ତ୍ତୀ ସମୟରେ ତାହା ଅଲାରନାଥ ନାମରେ ବିଖ୍ୟାତ ହେଲା ।

ପୁରୀର ବ୍ରହ୍ମଗିରିସ୍ଥିତ ଅଲାରନାଥ ପୀଠ ଏଯାବତ୍‌ ପର୍ଯ୍ୟଟନୀ ସ୍ଥଳୀର ମାନ୍ୟତାରୁ ବଞ୍ଚିତ ହୋଇଛି । ଅଣସର ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁ ଏହି ପୀଠକୁ ଜନସମୁଦ୍ର ଭାବରେ ଛୁଟୁଥିଲେ ବି ଗମନାଗମନ, ବିଶ୍ରାମ, ରହଣି ପାଇଁ ସେପରି କିଛି ଆଖି ଦୃଶିଆ ବ୍ୟବସ୍ଥା ନାହିଁ । ପ୍ରଚାର ଓ ପ୍ରସାର ଅଭାବରୁ ଭାରତର ଏହି ପ୍ରମୁଖ ପୀଠସ୍ଥଳୀଟି ଦୂରଦୂରାନ୍ତର ଜଗନ୍ନାଥପ୍ରେମୀଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି । ମହାପ୍ରଭୁ ଅଲାରନାଥଙ୍କ ସବୁଠାରୁ ପ୍ରିୟ କ୍ଷୀରି ପାଇବା ପାଇଁ ଭକ୍ତଜନଙ୍କ ଭିତରେ ଅହେତୁକ ଶ୍ରଦ୍ଧା ରହୁଥିଲେ ବି ଏହାକୁ ମହାପ୍ରସାଦ ପରି ଦୂରଦୂରାନ୍ତକୁ ନେବା ପାଇଁ ସେପରି କିଛି ବ୍ୟବସ୍ଥା ନାହିଁ । ବ୍ରହ୍ମଗିରିର ଅଲାରନାଥ ପୀଠକୁ ଯାତାୟତ ପାଇଁ ସେପରି କିଛି ସିଧାସଳଖ ଗାଡ଼ିର ବ୍ୟବସ୍ଥା ନାହିଁ । ଦୂରଦୂରାନ୍ତର ଯାତ୍ରୀଙ୍କ ରହଣି ପାଇଁ ମଧ୍ୟ ସେପରି ଆଶ୍ରୟସ୍ଥଳ ବା ଧର୍ମଶାଳା କିମ୍ବା ସରକାରୀ ରହଣୀ ବ୍ୟବସ୍ଥା ନାହିଁ । ତେବେ ଯାହାହେଉନା କାହିଁକି ମହାପ୍ରଭୁ ଜଗନ୍ନାଥଙ୍କ ଅଣସର ସମୟରେ ଏହି ପୀଠଟି ଲୋକାରଣ୍ୟ ହୋଇଥାଏ ।

Launching Ceremony of “AYUSHMAN BHARAT

Comments are closed.