ଦାୟିତ୍ୱ ଗ୍ରହଣ ପରେ ଜଗନ୍ନାଥ ଦର୍ଶନ କଲେ ପୋଲିସ ଡିଜି

କଟକ : ଶୁକ୍ରବାର ବରିଷ୍ଠ ଆଇପିଏସ୍‌ ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆ ରାଜ୍ୟ ପୁଲିସ ମୁଖିଆ ଭାବେ ବିଧିବଦ୍ଧ ଦାୟିତ୍ବ ଗ୍ରହଣ କରିଛନ୍ତି। କଟକ ସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ନବନିଯୁକ୍ତ ପୁଲିସ ଡିଜି ୱାଇ.ବି ଖୁରାନିଆଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଏହାପରେ ସେ ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ଠାରୁ ଦାୟିତ୍ବ ନେଇଛନ୍ତି।

ଶୁକ୍ରବାର ଦାୟିତ୍ୱ ଗ୍ରହଣ ପରେ ଶନିବାର ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଖୁରାନିଆ । ସେ ଶନିବାର ପୁରୀ ସିଂହଦ୍ୱାର ଠାରେ ପହଞ୍ଚିବାପରେ ପୁରୀ ଏସପି ଏବଂ ଅନ୍ୟନ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ । ଦର୍ଶନ ସାରି ଶ୍ରୀ ଖୁରାନିଆ ସହରର ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ଉପରେ ଆଲୋଚନା କରିଛନ୍ତି ।

ସୂଚନାନୁସାରେ, ୧୯୯୦ ବ୍ୟାଚର ଓଡିଶା କ୍ୟାଡରର IPS ଅଫିସର ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ହରିଆଣା କୈଥଲ ଜିଲା ବାସିନ୍ଦା । ଗତ ୨ ତାରିଖରେ କ୍ୟାବିନେଟ କମିଟି ଖୁରନିଆଙ୍କ ଡେପୁଟେସନ ଅବଧିକୁ ଆଗୁଆ ସମାପ୍ତ କରି ଓଡିଶା ଫେରାଇ ଆଣିଥିଲା । କେନ୍ଦ୍ର କାର୍ମୀକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜୁଲାଇ ୨୬ ତାରିଖର ପ୍ରସ୍ତାବ ଆଧାରରେ BSF ସ୍ପେଶାଲ ଡିଜି ଭାବରେ ଅବସ୍ଥାପିତ ଶ୍ରୀ ଖୁରନିଆଙ୍କୁ ତତ୍କାଳ ଓଡିଶା ଫେରାଇ ଦେବାକୁ କ୍ୟାବିନେଟ କମିଟି ଅନୁମୋଦନ କରିଥିଲା ।

ପୁଲିସ ଡିଜି ଶ୍ରୀ ଖୁରାନିଆ ନୟାଗଡ଼, ଯାଜପୁର, ରାଉରକେଲା , ମୟୂରଭଞ୍ଜ, ଗଞ୍ଜାମ ଭଳି ବିଭିନ୍ନ ଜିଲ୍ଲାରେ ଏସପି ଭାବେ କାର୍ଯ୍ୟ କରିଥିଲେ । ଏହା ପରେ ଡିଆଇଜି ପଦକୁ ପଦୋନ୍ନତି ପାଇ ସେ ଡିଆଇଜି ବ୍ରହ୍ମପୁର, ଭୁବନେଶ୍ବର ଓ ଅତିରିକ୍ତ ପୋଲିସ କମିଶନର ଏବଂ ଡିଆଇଜି ସମ୍ବଲପୁର ଭାବେ କାର୍ଯ୍ୟ କରିଥିଲେ । ଏହା ସହ ସେ ବିଜୁ ପଟ୍ଟନାୟକ ପେୁଲିସ ଏକାଡେମୀର ନିର୍ଦ୍ଦେଶକ ଓ କ୍ରାଇମବ୍ରାଞ୍ଚ ଆଇଜି ଭାବେ କାର୍ଯ୍ୟ କରିଥିଲେ । ପରବର୍ତ୍ତି ସମୟରେ ଅତିରିକ୍ତ ଡିଜି ପଦକୁ ପଦୋନ୍ନତି ପାଇ ଭିଜିଲାନ୍ସ ନିର୍ଦ୍ଦେଶକ ଓ ପୁଲିସ କମିଶନର ଭାବେ କାର୍ଯ୍ୟ କରିଥିଲେ । ଓଡ଼ିଶା ପୁଲିସ ଜଣେ ଦକ୍ଷ ଅଫିସର ଭାବେ ପରିଗଣିତ ହେଉଥିବା ଓ୍ବାଇ ବି ଖୁରାନିଆ ନିଜ କାର୍ଯ୍ୟକାଳ ମଧ୍ୟରେ ଅନେକ ସଫଳତା ହାସଲ କରିଛନ୍ତି ।

Govt

Comments are closed.