ଆଫଗାନିସ୍ଥାନକୁ ଘାରିଲାଣି ଅନାହାର ଚିନ୍ତା
ଲୋକମାନେ ଦୁଇ ମୁଠା ଖାଇବାକୁ ପାଉ ନାହାନ୍ତି , ଦେଶରେ ଥିବା ବହୁ ବ୍ୟାଙ୍କଗୁଡ଼ିକ ଖାଲି ପଡ଼ିରହିଛି
କାବୁଲ: ସେପ୍ଟେମ୍ବ ୧୮: ଆଫଗାନିସ୍ଥାନରେ ତାଲିବାନର କବଜା ପରେ ସେଠାରେ ଥିବା ଦୋକାନ ବଜାର, କାରଖାନା ଆଦି ବ୍ୟବସାୟ ଠପ୍ ହୋଇଯାଇଛି । ବଦଳି ଯାଇଛି ସେଠାକାର ଦୃଶ୍ୟ । ପରିସ୍ଥିତି ସଙ୍ଗୀନ ହୋଇ ଉଠିଛି । ଲୋକମାନେ ଦୁଇ ମୁଠା ଖାଇବାକୁ ପାଉ ନାହାନ୍ତି । ଘୋର ଆର୍ଥିକ ଦୁର୍ଦ୍ଦିନରେ ଆଫଗାନିସ୍ତାନର ଲୋକମାନେ ଦିନ କାଟୁଛନ୍ତି । ପୂରା ଦେଶରେ ଖେଳିଯାଇଛି ହାହାକାର । ନିଜ ପରିବାର ଓ ପିଲାମାନଙ୍କୁ ଦୁଇ ମୁଠା ଖାଇଦେବାକୁ ଲୋକମାନଙ୍କ ପାଖରେ ନାହିଁ ଅର୍ଥ । ଖାଦ୍ୟ ପଦାର୍ଥ ସାଙ୍ଗକୁ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ଘୋର ଅଭାବ ସୃଷ୍ଟି ହୋଇଛି । ଲକ୍ଷ ଲକ୍ଷ ଲୋକ ଭୋକ ଉପାସରେ ଦିନ କାଟିବାକୁ ବାଧ୍ୟ ହେଉଛନ୍ତି । ପେଟକୁ ଦାନା ଯୋଗାଡ଼ ଲାଗି ଲୋକେ ନିଜ ନିଜର ଘରକରଣା ଜିନିଷ ଆସବାବ ପତ୍ର ବିକିବା ଆରମ୍ଭ କରିଛନ୍ତି । ଆଉ କିଛି ଲୋକ ସବୁ କିଛି ଛାଡ଼ି ନିଜ ପରିବାର ସମେତ ଆଫଗାନିସ୍ଥାନ ଛାଡି ପଳାଇବାକୁ ଚାହୁଁଛନ୍ତି । ଏହିପରି ପରିସ୍ଥିତିରେ ଏବେ ଲୋକମାନେ ରାସ୍ତାକଡ଼ରେ ନିଜ ଘରର ଜିନିଷପତ୍ର ବିକ୍ରି କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି ।
ଅନ୍ୟପକ୍ଷରେ, ଆଇଏମ୍ଏଫ୍ (ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ ) ଆଫଗାନିସ୍ଥାନର ଏହି ଦୁର୍ଦ୍ଦଶା ଦେଖି ଫଣ୍ଡ ସଂଗ୍ରହ କରିବାରେ ଲାଗିପଡ଼ିଛି । ତାଲିବାନର ବିଦେଶ ମନ୍ତ୍ରୀ ନିଜେ ଆଫଗାନର ଅନାହାର ପରିସ୍ଥିତି ବିଷୟରେ ପ୍ରକାଶ କରିଛନ୍ତି । ତାଲିବାନ ଯବାନଙ୍କ ପାଇଁ ମଧ୍ୟ ଖାଦ୍ୟ ଓ ପାନୀୟର ଘୋର ଅଭାବ ଦେଖାଯାଇଛି । ଏହାସହିତ ମାସ ମାସ ଧରି ସେମାନଙ୍କୁ କୌଣସି ଆର୍ଥିକ ସହାୟତ ମିଳୁନଥିବା କୁହାଯାଇଛି । କାବୁଲ ଉପରେ କବଜା କରିବା ପରେ ବହୁ ଅଭିଜ୍ଞ ଅଧିକାରୀଙ୍କ ସମେତ ବ୍ୟାଙ୍କିଂ ବ୍ୟବସ୍ଥା ଓ ଅର୍ଥନୀତିକୁ ସମ୍ଭାଳୁଥିବା ଅଧିକାରୀମାନେ ଦେଶ ଛାଡ଼ି ଦେଇଛନ୍ତି । ଫଳରେ ଦେଶରେ ଥିବା ବହୁ ବ୍ୟାଙ୍କଗୁଡ଼ିକ ଖାଲି ପଡ଼ିରହିଛି । ଗୋଟିଏ ପଟେ ଖାଦ୍ୟାଭାବ ଓ ଅନ୍ୟ ପଟେ ନୃଶଂସ ତାଲିବାନ ଆତଙ୍କୀଙ୍କଠାରୁ ଜୀବନ ପ୍ରତି ଭୟରେ ଏବେ ଆଫଗନିସ୍ଥାର ଲୋକ । ଆତଙ୍କ ସାଙ୍ଗକୁ ପୂରା ଦେଶରେ ଛାଇଯାଇଛି ହତାଶା । ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି ଲକ୍ଷ ଲକ୍ଷ ଆଫଗାନିସ୍ତାନବାସୀଙ୍କ ଭବିଷ୍ୟତ ।
Comments are closed.