ରଙ୍ଗିଲାରେ ପିନ୍ଧିଥିଲେ ଜ୍ୟାକିଙ୍କ ଗଞ୍ଜି

ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ବଲିଉଡ୍‌ର ଅନେକ ଫିଲ୍ମରେ କାମ କରିଛନ୍ତି । ହେଲେ ୨୬ ବର୍ଷ ପରେ ବି ସୁପରହିଟ୍‌ ଫିଲ୍ମ ‘ରଙ୍ଗିଲା’ ପାଇଁ ତାଙ୍କୁ ଆଜି ବି ସିନେପ୍ରେମୀମାନେ ରଙ୍ଗିଲା ଗର୍ଲ ଭାବେ ମନେ ପକାଉଛନ୍ତି । ଏହି ଫିଲ୍ମରେ ଉର୍ମିଳାଙ୍କ ଅଭିନୟ ସାଙ୍ଗକୁ ନିଆରା ଅନ୍ଦାଜ ଦର୍ଶକଙ୍କ ମଧ୍ୟରେ ଗଭୀର ଛାପ ଛାଡ଼ିଛି । ନିକଟରେ ଉର୍ମିଳା ଏକ କମେଡି ଶୋ ମଞ୍ଚରେ ଏହି ଫିଲ୍ମ ସହ ଜଡ଼ିତ ଏକ ରୋଚକ ରହସ୍ୟ ଉପରୁ ପରଦା ଉଠାଇଛନ୍ତି ।
ଉର୍ମିଲା କହିଛନ୍ତି ଯେ, ରଙ୍ଗିଲା ଫିଲ୍ମର ଏକ ଗୀତ ପାଇଁ ସେ ତାଙ୍କ କୋଷ୍ଟାର୍‌ ଜ୍ୟାକି ଶ୍ରଫ୍‌ଙ୍କ ଗଞ୍ଜିକୁ ପିନ୍ଧିବାକୁ ପଡ଼ିଥିଲା । ହେଲେ ଏସମ୍ପର୍କରେ କାହାକୁ କିଛି ବି ଜଣାନଥିଲା । ଫିଲ୍ମର ‘ତନ୍‌ହା ତନ୍‌ହା’ ଗୀତରେ ସେ ଜ୍ୟାକିଙ୍କ ଗଞ୍ଜି ପିନ୍ଧିଥିଲେ, ଯାହା ବହୁତ ମଜଦାର ଥିଲା ବୋଲି କହିଛନ୍ତି । ଏହି ଗୀତକୁ ସ୍ୱତନ୍ତ୍ର ଏବଂ ନାଚୁଲାର କରିବା ପାଇଁ ଯେତେବେଳେ ଗୀତର କଷ୍ଟୁ୍ୟମ ବିଷୟରେ ଆଲୋଚନା କରାଯାଉଥିଲା ସେତେବେଳେ ଜ୍ୟାକି ଉର୍ମିଲାଙ୍କୁ ତାଙ୍କର ଏକ ଗଞ୍ଜି ପିନ୍ଧିବାକୁ କହିଥିଲେ । ଏଥିପାଇଁ ସେ ଦ୍ୱନ୍ଦରେ ପଡ଼ିଥିଲେ ମଧ୍ୟ ଏହାକୁ ପିନ୍ଧିଥିଲେ ଏବଂ ସବୁ ଭଗବାନଙ୍କ ଭରସାରେ ଛାଡ଼ିଦେଇଥିଲେ । ହେଲେ ଏହି ଗୀତ ପାଇଁ ତାଙ୍କୁ ପ୍ରଶଂସକଙ୍କଠାରୁ ବହୁତ ଭଲ ପାଇବା ମିଳିଥିଲା ବୋଲି ଉର୍ମିଲା କହିଛନ୍ତି । ଗୀତରେ ଏହି ଗଞ୍ଜି ପିନ୍ଧି ଉର୍ମିଳା ସମୁଦ୍ର କୂଳେ ଦୌଡୁଥିବା ନଜର ଆସିଥିଲେ । ତାଙ୍କର ଏହି ଗ୍ଲାମରସ୍‌ ଲୁକ୍‌ ସମସ୍ତଙ୍କୁ ପସନ୍ଦ ଆସିଥିଲା । ରଙ୍ଗିଲାର ନିର୍ଦ୍ଦେଶନା ରାମ ଗୋପାଲ ବର୍ମା ଦେଇଥିଲେ । ଏହି ଫିଲ୍ମରେ ଆମିର ଖାନ ଲିଡ୍‌ ରୋଲ୍‌ରେ ନଜର ଆସିଥିଲେ । ଫିଲ୍ମର ମୁ୍ୟଜିକ ଏ.ଆର ରେହମାନ ଦେଇଥିଲେ ଯାହା ବହୁତ ଲୋକପ୍ରିୟ ହୋଇଥିଲା । ଫିଲ୍ମ ରିଲିଜ୍‌ ପରେ ଉର୍ମିଲା ଟପ୍‌ ହିରୋଇନଙ୍କ ମଧ୍ୟରେ ସାମିଲ ହୋଇପାରିଥିଲେ ।

Govt

Comments are closed.