ପ୍ରାଚୀନ କାଳରୁ ଉତ୍କଳରେ ବହୁ ପର୍ବ ପର୍ବାଣୀ ପାଳିତ ହୋଇଆସୁଅଛି । କଥାରେ ଅଛି ବାରମାସରେ ତେର ପର୍ବ ଅର୍ଥାତ୍ ବେଳକାଳ ନେଇ ସାଧାରଣତଃ ପର୍ବ ପାଳନ କରାଯାଏ । ଜନସାଧାରଣ ପ୍ରକୃତି, ଈଶ୍ୱର, ମଣିଷ ଜୀବନକୁ ନେଇ ଧାର୍ମିକ ଭାବନାରେ ବହୁ ପର୍ବପର୍ବାଣୀ ପାଳନ କରିଥାନ୍ତି । ଜଗନ୍ନାଥ ଉତ୍କଳର ଇଷ୍ଟଦେବ । ତାଙ୍କୁ ନେଇ କେତେ ପର୍ବ ପ୍ରଚଳିତ । ଆଉ କିଛି କୃଷି ଭିତ୍ତିକ ଭାଇଚାରାର ପର୍ବ ହୋଇଥାଏ । ଋତୁଚକ୍ର ଅନୁଯାୟୀ ଶରତ ଋତୁରେ କୁମାର ପୂର୍ଣ୍ଣିମା ପାଳନ କରାଯାଏ । ଏହି ଦିନ ଗଜଲକ୍ଷ୍ମୀ ପୂଜା ମଧ୍ୟ ଅନୁଷ୍ଠିତ ହୋଇଥାଏ । ଉତ୍କଳର ଗ୍ରାମେ ଗ୍ରାମେ ମାଆ ଲକ୍ଷ୍ମୀଙ୍କ ପୂଜା ସହିତ କୁମାର ପୂର୍ଣ୍ଣିମା ପାଳନ କରନ୍ତି । କୁମାରୀମାନେ ଚଉରା ମୂଳରେ ଜହ୍ନିଫୁଲରେ କୋଠି ତିଆରି କରନ୍ତି, ଚାଳକୁ ଜହ୍ନିଫୁଲ ସବୁ ଫୋପାଡ଼ନ୍ତି । ସେମାନେ ଏକ ଗୀତ ଏହି ସମୟରେ ବୋଲିଥାଆନ୍ତି ଯଥା ଜହ୍ନି ଫୁଲ ଠୋ ଠା, ଗୁଣ୍ଡୁଚି ମୂଷା କହିଯାଇଛି ଚାଉଳ ଗଣ୍ଡେ ରଖିଥା । ନବବସନ ପରିହିତା କୁମାରୀ ମାନଙ୍କର ନାଚଗୀତରେ ଉଛୁଳି ଉଠେ ଗାଁ ଦାଣ୍ଡ । ପୌରାଣିକ ବର୍ଣ୍ଣନା ଅନୁସାରେ ଏହି ପୂର୍ଣ୍ଣିମା ଦିନ କଟା ନାମକ ଜଣେ ରାକ୍ଷସ ଅତି ମୂଲ୍ୟବାନ ଶକ୍ରାଜିତ ମଣି ଶ୍ରୀକୃଷ୍ଣଙ୍କ ପାଟ୍ଟରାଣୀ ସତ୍ୟଭାମାଙ୍କ ଠାରୁ ଚୋରି କରି ସେଠାରୁ ପଳାୟନ କରିବା ସମୟରେ ଗରୁଡ଼ଙ୍କ ଦ୍ୱାରା ଯେତେଥର ନିହତ ହେଲେ ମଧ୍ୟ ତାର ମୃତ୍ୟୁ ହେଲାନାହିଁ । କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଙ୍କର ଅମୃତ ଦୃଷ୍ଟି ଯୋଗୁଁ ଏହି ରାକ୍ଷସ ବଞ୍ଚି ଯାଉଥିଲା । ତେଣୁ ଜୀବ ଜଗତ ଏହିଦିନ ରାତ୍ରି ଉଜାଗର ରହି ଚନ୍ଦ୍ରଙ୍କର ଅମୃତ ଉଜ୍ଜ୍ୱଳ କିରଣ ଉପଭୋଗ କରିବା ଉଚିତ ବୋଲି ବର୍ଣ୍ଣନା ରହିଛି । କୁମାରୀ ମାନେ ଏହିଦିନ ନୂତନ ବସ୍ତ୍ର ପରିଧାନ କରି ପ୍ରଭାତ ସମୟରେ ସୂର୍ଯ୍ୟ ପୂଜା କରନ୍ତି । ସଂଧ୍ୟା ସମୟରେ ଚନ୍ଦ୍ରଙ୍କୁ ପୂଜା କରାଯାଇଥାଏ । ଆକାଶରେ ଉଭୟ ଚନ୍ଦ୍ର ଓ ସୂର୍ଯ୍ୟ ଥିବା ସମୟରେ ଉକ୍ତ ପୂଜା କରାଯାଏ । ସଂଧ୍ୟା ସମୟରେ ବିଭିନ୍ନ ଢଙ୍ଗରେ ଫୁଲ ବଉଳବେଣୀ ଗୀତ ପରିବେଷଣ କରିଥାନ୍ତି । କୁମାରୀ କନ୍ୟାମାନେ କୁମାର ପୂର୍ଣ୍ଣିମାରେ ଶିବ ପୁତ୍ର କାର୍ତ୍ତିକଙ୍କ ପରି ସୁନ୍ଦର ବରଟିଏ ପାଇବାପାଇଁ ମାସ ସାରା କରିଥିବା ଜହ୍ନିଓଷା କୁମାର ପୂର୍ଣ୍ଣିମା ଦିନ ସମାପନ କରିଥାନ୍ତି । କୁମାରୀ କନ୍ୟାମାନେ ବିଭିନ୍ନ ଖେଳ କଉତୁକ ମିଳିମିଶି କରିଥାନ୍ତି । ଏହି ଅବସରରେ ପୁଚିଖେଳ ପ୍ରତିଯୋଗିତା ହୁଏ । ନୈତିକ ମୂଲ୍ୟବୋଧ, ସାଂସ୍କୃତିକ ସଚେତନତା ଓ ବନ୍ଧୁତାର ବିକାଶ ହେଉଛି ପର୍ବ ପର୍ବାଣୀର ମୁଖ୍ୟ ଉଦ୍ଦେଶ୍ୟ ।
ଅକ୍ଷୟ କୁମାର ରାଉତ
ମୋ.-୯୯୩୭୬୯୧୪୭୫
