ଓଡ଼ିଶାରେ ୮୦ ଦଶକରେ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଥିଲେ ଅବିଭକ୍ତ କଟକ ଜିଲ୍ଲା ତିର୍ତ୍ତୋଲ ନିକଟସ୍ଥ ତୁଲଙ୍ଗ ମାଟିର ସୁପୁତ୍ର ବସନ୍ତ କୁମାର ବିଶ୍ୱାଳ । ମନରେ ଦୃଢ଼ ସଂକଳ୍ପ, ଅସୁମାରୀ ସ୍ୱପ୍ନ, ନୂତନ ଓଡ଼ିଶା ଗଠନର ପରିକଳ୍ପନା ନେଇ ରାଜନୀତି ଆରମ୍ଭ କରିଥିଲେ ବସନ୍ତ ବାବୁ । ୧୯୮୦ ରେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସ ଦଳରୁ ତିର୍ତ୍ତୋଲ ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇ ବିଧାନସଭାରେ ପ୍ରବେଶ କରିଥିଲେ । ନିର୍ବାଚନ ପରେ ରାଜ୍ୟରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଠନ ହେଲା । ବସନ୍ତ ବାବୁ ମନ୍ତ୍ରୀ ହେଲେ । ରାଜ୍ୟରେ ଭିନ୍ନ ଧରଣର ବିକାଶ କାମ ଆରମ୍ଭ ହେଲା । ୧୯୮୦ରୁ ୧୯୮୫ ମଧ୍ୟରେ ବିଭିନ୍ନ ଉନ୍ନୟନ ମୂଲକ କାମର ମୂଲଦୂଆ ପଡ଼ିଲା । କଟକରେ ରିଂ ରୋଡ଼ କାମର ଶୁଭାରମ୍ଭ, ମହାନଦୀ ବ୍ୟାରେଜ ନିର୍ମାଣ ତାଙ୍କର ବଳିଷ୍ଠ ପଦକ୍ଷେପ । ଅବିଭକ୍ତ କଟକ ଜିଲ୍ଲାରେ ଅନେକ ଉନ୍ନୟନ କାମ ହୋଇ ନିର୍ଦ୍ଧିଷ୍ଟ ସମୟ ସୀମା ମଧରେ ଶେଷ କରିଥିଲେ ବସନ୍ତ ବାବୁ । ୧୯୮୦ରୁ ୧୯୮୫, ୧୯୯୦ରୁ ୧୯୯୫, ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ସେ ନିର୍ବାଚିିତ ପ୍ରତିନିଧି ହୋଇ କ୍ଷମତାରେ ଥିଲେ । ଏହି ସମୟକୁ ଆଧୁନିକ ଓଡ଼ିଶା ବିକାଶର ସ୍ୱର୍ଣ୍ଣିମ ଯୁଗ କହିଲେ ଅତ୍ୟୁକ୍ତି ହେବନାହିଁ । କେବଳ ରାଜନୈତିକ ନିଷ୍ପତ୍ତି ନୁହେଁ । ଜଣେ ଦରଦି ମଣିଷ ଭାବେ ତାଙ୍କର ଦୃଷ୍ଟିକାଣ ରହିଥିଲା ଭିନ୍ନ । ଅତ୍ୟନ୍ତ ନିକଟରୁ ସେ ଦେଖିଥିଲେ ଓଡ଼ିଶା ଭୁଖଣ୍ଡର ଦାରିଦ୍ର୍ୟକୁ । ଜଣେ ପ୍ରବୀଣ ସଂଗଠକ ଭାବେ ଭାରତ ସ୍କାଉଟ ଏଣ୍ଡ ଗାଇଡ଼ର ଜାତୀୟ ଉପ ସଭାପତି ପଦ ନିଷ୍ଠାର ସହ ସମ୍ଭାଳିି ଥିଲେ । ସ୍କାଉଟ ଏଣ୍ଡ ଗାଇଡ଼କୁ ତାଙ୍କର ବଳିଷ୍ଠ ଅବଦାନ ପାଇଁ ୧୯୯୪ରେ ଭାରତୀୟ ସ୍କାଉଟ ଏଣ୍ଡ ଗାଇଡ଼ର ସର୍ବୋଚ୍ଚ ସମ୍ମାନ ହ୍ୱାଇଟ୍ ଏଲିଫ୍ୟାଣ୍ଟ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ବସନ୍ତ ବାବୁ ୧୯୯୮ରେ ଜଣେ ବଳିଷ୍ଠ ସଂଗଠକର ପ୍ରମାଣ ଦେଇ ଦେଶ ଓ ଦେଶ ବାହାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଖୋର୍ଦ୍ଧା ଜିଲ୍ଲା ବରୁଣେଇରେ ଆୟୋଜିତ ହୋଇଥିଲା ଭାରତ ସ୍କାଉଟ ଏଣ୍ଡ ଗାଇଡ଼ର ଆର୍ନ୍ତଜାତୀୟ ସମ୍ମିଳନୀ । ଏହି ସମ୍ମିଳନରେ ୪୫ରୁ ଊର୍ଦ୍ଧ୍ୱର୍ ଦେଶର ପ୍ରତିନିଧି ସାମିଲ ହୋଇଥିଲେ । ସେହି ସମୟରେ ୪୨ଗୋଟି ଦେଶର ଖାଦ୍ୟ ପସ୍ତୁତ ହେଉଥିବା କହିଛନ୍ତି ସେତେବେଳେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା କଳାହାଣ୍ଡି ଜିଲ୍ଲା ସ୍କାଉଟ ଏଣ୍ଡ ଗାଇଡ଼ର ସଭାପତି ଶାନ୍ତନୁ କୁମାର ବେହେରା । ସମଗ୍ର ଆୟୋଜନରେ ତୃଟି ଶୂନ୍ୟ ଥିଲା ଆତିଥ୍ୟ । ଏହି ଆୟୋଜନ ପରେ ବସନ୍ତ ବାବୁ ଜଣେ ଦକ୍ଷ ସଙ୍ଗଠକ ଭାବେ ଦେଶ ଓ ଦେଶ ବାହାରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ଅତ୍ୟନ୍ତ ନିକଟରୁ ସେ ଦେଖିଥିଲେ ଓଡ଼ିଶାର ଦାରିଦ୍ର୍ୟକୁ ଓ ତାର କାରଣ ମଧ୍ୟ ପରଖିଥିଲେ । ଜଣେ ଅନୁଭବି ମଣିଷ ଭାବରେ ପ୍ରାଚୁର୍ଯ୍ୟରେ ରହିଥିଲେ ହେଁ ତାଙ୍କ ହୃଦୟ ସଦାସର୍ବଦା ଦୁଃଖରେ ଆଉଟୁପାଉଟୁ ହେଉଥିବା ଲୋକଙ୍କ ପାଇଁ ବ୍ୟାକୁଳ ଥିଲା । ଆଦର୍ଶ କାର୍ଯ୍ୟଧାରା ମାଧ୍ୟମରେ ଓଡ଼ିଶାର ରାଜନୈତିକ ଇତିହାସରେ ସୃଷ୍ଟି କରିଥିଲେ କର୍ମସଫଳତା ଓ ପ୍ରତିବଦ୍ଧତାର ସୃଜନଶୀଳତା । ୧୯୮୫ରୁ ୨୦୦୦ ମସିହା ସମୟ ଥିଲା ତାଙ୍କ ବ୍ୟକ୍ତିତ୍ୱ ପରିପ୍ରକାଶର ଆଉ ଏକ ପରିପାଟି । ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଓଡ଼ିଶା ଶାସନ କରୁଥିବା କଂଗ୍ରେସ ଦଳର ତତ୍କାଳୀନ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଶାସନ ଅଳଙ୍କୃତ କରିଥିଲେ । କୃଷି, ସମବାୟ, ଜଳସେଚନ ବିଭାଗର କ୍ୟାବିନେଟ ମନ୍ତ୍ରୀ ଭାବେ ଅତି ଦକ୍ଷତାର ସହ ଦାୟିତ୍ୱ ତୁଲାଇଥିଲେ । ସାମଗ୍ରିକ ଭାବେ ୧୯୮୦ରୁ ୨୦୦୦ ମଧ୍ୟରେ ଜଳସେଚନ କ୍ଷେତ୍ରରେ ଓଡ଼ିଶାରେ ଏକ ମୂଳଦୂଆ ପଡ଼ିଥିଲା । ୮୦ ଦଶକରେ ଭୋକର ଭୁଗୋଳ ଭାବେ କୁଖ୍ୟାତି ଅର୍ଜନ କରିଥିବା ଅବିଭକ୍ତ କଳାହଣ୍ଡି ଜିଲ୍ଲାରେ ବିଭିନ୍ନ ଜଳସେଚନ ପ୍ରକଳ୍ପର କାମ ଆରମ୍ଭ ହେଲା । ଇନ୍ଦ୍ରାବତୀ ପ୍ରକଳ୍ପର ବାମ କେନାଲ କାମ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରି ଜାପାନ ସରକାରଠାରୁ ଋଣ ଆଣିଲେ ଓଡ଼ିଶା ସରକାର । ଏହା ସରକାରର ଥିଲା ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ପ୍ରକଳ୍ପ କାମ ଆରମ୍ଭ ହେଲା । ଫଳରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡର( ଗୋଲାମୁଣ୍ଡା ବ୍ଳକକୁ ଛାଡ଼ି) ୪୦ ହଜାର ହେକଫରରୁ ଉର୍ଦ୍ଧ ଜମି ଆଜି ଜଳସେଚିତ । ୮୦ ଦଶକରେ ୭ ପ୍ରତିଶତ ଜଳସେଚିତ ଥିବା କଳାହାଣ୍ଡି ଆଜି ଦିନରେ ୭୦ ପ୍ରତିଶତରୁ ଊର୍ଦ୍ଧ୍ୱର୍ ଚାଷ ଜମି ଜଳସେଚିତ । କୃଷକ ଆର୍ଥିକ କ୍ଷେତ୍ରରେ ସମୃଦ୍ଧ ହୋଇଛି । କଳାହଣ୍ଡି ମାନଚିତ୍ରରେ ସବୁଜ ବିପ୍ଳବ ସୃଷ୍ଟି ହେଉଛି । ୧୭୦୦ କୋଟି ଟଙ୍କାର ଇନ୍ଦ୍ରାବତୀ ପ୍ରକଳ୍ପ ହେବା ପରେ ସେଠାରୁ ୬ଶହ ମେଗାଓ୍ୱାଟ ବିଦ୍ୟୁତ ଉପିାଦନ ହେଉଛି । ସେଠାକାର ଲୋକେ ଚାଷ ଜମିକୁ ଜଳସେଚନର ସୁବିଧା ସହ ବିଦ୍ୟୁତ ପାଉଛନ୍ତିି । ଏହା ହେଉଛି ବାସ୍ତବ ବିକାଶ । ଏଭଳି ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ ଥିଲେ ବସନ୍ତ ବାବୁ । ଅନ୍ୟ ଜଳସେଚନ ପ୍ରକଳ୍ପ ମଧ୍ୟରେ ଆଜିକାର ନୂଆପଡ଼ା ଜିଲ୍ଲାରେ ଲୋୟର ଇନ୍ଦ୍ର ପ୍ରକଳ୍ପ , ପତୋରା ଡ଼୍ୟାମ, ରେଙ୍ଗାଲି ନଦୀବନ୍ଧ ଯୋଜନା, ମୟୁରଭଞ୍ଜ ଜିଲ୍ଲାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ । କିନ୍ତୁ ଦୁଃଖର ବିଷୟ ବସନ୍ତ ବାବୁଙ୍କ ଦ୍ୱାରା ଭିତ୍ତିଭୂମି ପଡ଼ିଥିବା ଜଳସେଚନନ ପ୍ରକଳ୍ପ ତତପରବର୍ତ୍ତି ସମୟରେ ମାଟି ଟିକକ ମଧ୍ୟ ପଡ଼ିନଥିବା ସାମ୍ବାଦିକ ଶାନ୍ତନୁ ବେହେରା କହିବା ସହିତ କ୍ଷୋଭ ପ୍ରକାଶ କରିଛନ୍ତି । ବସନ୍ତ ବାବୁ ସମଗ୍ର ଓଡ଼ିଶାକୁ ଠିକ୍ ଭାବେ ଅନୁଶୀଳନ କରିଥିଲେ । ଜଳସେଚନନ କୃଷି ପାଇଁ ମୁଖ୍ୟ ବୋଲି ବୁଝି ତାର ପଦକ୍ଷେପ ନେଉତିଲେ । ସେଥିପାଇଁ ତାଙ୍କୁ କୁହାଯାଏ ଆଧୁନିକ ଓଡ଼ିଶା ସବୁଜ ବିପ୍ଳବର ସୂତ୍ରଧର । ବସନ୍ତ ବାବୁ ଯେଉଁ ପ୍ରକଳ୍ପ କାର୍ଯ୍ୟ ହାତକୁ ନେଉଥିଲେ ତାହକୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବାକୁ ବଦ୍ଧପରିକର ଥିଲେ । ସେ ଜାଣିଥିଲେ ପ୍ରକଳ୍ପ ତାର ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମ୍ପୂର୍ଣ୍ଣ ହେଲେ ଖର୍ଚ୍ଚ ବଢ଼ିବ ନାହିଁ । ଏହି ଦୂରଦର୍ଶି ଶାସକକୁ ଆଜି ଝୁରିଛି ଓଡ଼ିଶା । ଅନ୍ୟ ଏକ ଘଟଣାକୁ ଏଠାରେ ଉଲ୍ଲେଖ କରୁଛି । ୧୯୯୫ରେ ରାଜେନ୍ଦ୍ର କଲେଜ ବଲାଙ୍ଗିରରର ସୁବର୍ଣ୍ଣ ଜୟନ୍ତି ପାଳନର ବର୍ଷ ଥିଲା । ପୂର୍ବତନ ଛାତ୍ର ସଂସଦର ସଭାପତି ଲଲିତ ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଆସି ତତକାଳୀନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ୱାଳଙ୍କୁ ସାକ୍ଷାତ କରି କଲେଜ ସୁବର୍ଣ୍ଣ ଜୟନ୍ତି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଅନୁରୋଧ କଲେ । ଏହି କାର୍ଯ୍ୟକ୍ରମକୁ ଯିବାକୁ ସମ୍ମତି ଦେବା ପୂର୍ବରୁ ଏହି ପ୍ରତିନିଧି ଦଳ ସହ କଲେଜର ବିଭିନ୍ନ ସମସ୍ୟା ସହ ଆଳୋଚନା କଲେ ବସନ୍ତ ବାବୁ । ବସନ୍ତ ବାବୁ କହିଲେ ତୁମ କଲେଜର ଏହି ସମସ୍ୟା ଗୁଡ଼ିକର ସମାଧାନ ଯଦି ମୁଁ ତୁମ କଲେଜ ସୁବର୍ଣ୍ଣ ଜୟନ୍ତି ସମାରୋହ ପୂର୍ବରୁ କରିପାରିବି ତାହେଲେ କାର୍ଯ୍ୟକ୍ରମକୁ ଯିବି । ନଚେତେ ମୁଁ କାହିଁକି ଯିବି । ବାସ୍ତବରେ କଲେଜର ବୁବର୍ଣ୍ଣ ଜୟନ୍ତି ସମାରୋହରେ ଅତିଥି ଭାବେ ଯୋଗଦାନ କଲେ ବସନ୍ତ ବାବୁ ଓ ତା ପୂର୍ବରୁ ସମସ୍ତ ସମସ୍ୟାର ସମାଧାନ ହୋଇସାରିଥିଲା । ଏପରି ବିରଳ ବ୍ୟକ୍ତିତ୍ୱ ରାଜନୀତିରେ କ୍ୱଚିତ ଦେଖିବାକୁ ମିଳନ୍ତି । ସୁନାକୁ ପୋଡ଼ିଲେ ଯେପରି ସୁନାର ଦିପ୍ତୀମନ୍ତ ରୂପ ଆହୁରି ଜାଜୁଲ୍ୟମାନ ହୋଇଥାଏ, ଠିକ୍ ସେହିପରି ବସନ୍ତ ବାବୁଙ୍କ ବ୍ୟକ୍ତିତ୍ୱ, ପରାକାଷ୍ଠା, ସ୍ୱାଭୀମାନ ଅଙ୍ଗିକାର ବଦ୍ଧତା, ସୃଜନଶୀଳତା,ଚିନ୍ତାଶକ୍ତି ଏବଂ କାର୍ଯ୍ୟଦକ୍ଷତା କିଛି ସମୟରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିଥିଲେ ମଧ୍ୟ ସେଥିରେ କୃତକାର୍ଯ୍ୟ ହୋଇ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । ତ୍ୟାଗ , ଉତ୍ସର୍ଗୀକୃତ ସେବା ଓ ବିବେକର ଆହ୍ୱାନରେ କାର୍ଯ୍ୟକରିବା ଥିଲା ବସନ୍ତ ବାବୁଙ୍କ କର୍ମମୟ ଜୀବନର ସବୁଠାରୁ ବଡ଼ ସମ୍ପତ୍ତି । ସେହି ଭାବାବେଗ ସହିତ ନିଜ ଜୀବନକୁ ପ୍ଳାବିତ କରି ଆଜି ବସନ୍ତ ବାବୁ ଆମ ପାଇଁ ନିଶ୍ଚିତ ଭାବରେ ଏକ ଆଦର୍ଶ ପାଲଟି ଯାଇଛନ୍ତି ।
ସତ୍ୟ ସୁନ୍ଦର ଭଞ୍ଜ
ବରିଷ୍ଠ ସାମ୍ବାଦିକ, ୯୪୩୭୧୫୦୬୩୨
