ପିଲାଦିନେ ଏଭଳି ଅନେକ ଗପ ଆମେ ଶୁଣିଥାଉ, ଯାହା ଆମକୁ ବଡ ହେଲେ ଜୀବନକୁ ସଳଖ ବାଟରେ ନେବାକୁ ସାହାଯ୍ୟ କରିଥାଏ । ଏହି ସବୁ ଗପରୁ ବିଭିନ୍ନ ନୀତି ଶିକ୍ଷା ମିଳିଥାଏ, ଯାହାକୁ ଆମେ ଜୀବନର ସବୁ ପରିସ୍ଥିତିରେ ବ୍ୟବହାର କରିପାରିବା ।
ଆଈ ମା କାହାଣୀର ଏହି ତାଲିକା ଖୁବ ଲମ୍ବା । ଏହି ତାଲିକାରେ ଅନେକ ଗଳ୍ପକୁ ସାମିଲ କରାଯାଇଛି, ଯେଉଁଥିରୁ ସମସ୍ତେ ଅନେକ କିଛି ନୀତିବାଣୀ ଶିକ୍ଷା କରିଥାଆନ୍ତି । ସେହିଭଳି ଏକ ଗପ ହେଲା ବଗ କଙ୍କଡା ଗପ, ଯେଉଁଥିରୁ ସମସ୍ତଙ୍କୁ କିଛି ନା କିଛି ଶିକ୍ଷା ମିଳିଥାଏ । ଆସନ୍ତୁ ଜାଣିବା କଣ ରହିଛି ଏହି ଗଳ୍ପର କାହାଣୀ । ଏକଦା ଗୋଟିଏ ପୋଖରୀରେ ଅନେକ ମାଛ କଙ୍କଡା ମିଶି ରହୁଥିଲେ । ସେହି କୂଳରେ ଗୋଟିଏ ବଗ ମଧ୍ୟ ରହୁଥିଲା, ଯିଏ ସବୁବେଳେ କୂଳରେ ବସି ରହିଥାଏ । ଯେଉଁ ମାଛ ଉପରକୁ ଆସନ୍ତି ସେମାନଙ୍କୁ ମାରି ଖାଇଥାଏ । ବଗର ଏହି ପ୍ରକୃତି କାରଣରୁ କୌଣସି ମାଛ କି କଙ୍କଡା ତାକୁ ବିଶ୍ବାସ କରନ୍ତି ନାହିଁ । ତେବେ ସେ ଏହିପରି ସବୁବେଳେ ଆସି କୂଳରେ ବସିରହେ । ଗୋଟିଏ ଖରାଦିନେ ସେହି ସ୍ଥାନରେ ଖୁବ ଅଧିକ ଖରା ହେଲା, ଯେଉଁ କାରଣରୁ ପୋଖରୀର ପାଣି ଶୁଖିବାରେ ଲାଗିଲା । ଏପରିକି ପୋଖରୀରେ ଆଉ ଖୁବ କମ ପାଣି ରହିଲା । ମାଛ କଙ୍କଡା ଭିତରେ ଭାଳେଣୀ ପଡିଲା । କିପରି ନିଜର ଜୀବନ ବଞ୍ଚାଇବେ । ତେବେ ଏହି ସମୟରେ ବଗ ପୋଖରୀ କୂଳରେ ବସି ଏକ ଉପାୟ ପାଞ୍ଚିଲା । ଏହାପରେ ସେ କିଛି ଦିନ ଆଉ କୂଳକୁ ଆସୁଥିବା ମାଛଙ୍କୁ ଖାଇଲା ନାହିଁ,ଧୀରେଧୀରେ ସେମାନଙ୍କ ସହ ବନ୍ଧୁତା ସ୍ଥାପନ କରିବାରେ ଲାଗିଲା । ସେମାନଙ୍କ ସହ କଥାବାର୍ତ୍ତା ହୋଇ ସେମାନଙ୍କ ମନରେ ନିଜ ପାଇଁ ବିଶ୍ବାସ ଜନ୍ମାଇଥିଲା । ଯେତେବେଳେ ମରୁଡି ପଡିଲା ମାଛମାନେ ବିଚାର କଲେ କିଭଳି ନିଜ ଜୀବନ ବଞ୍ଚାଇବେ । ସମସ୍ତେ ବିଚାର କରି ବଗର ସାହାଯ୍ୟ ନେବାପାଇଁ କଥା ପକାଇଲେ । ହେଲେ ଏଥିରେ କଙ୍କଡା ରାଜି ହୋଇ ନଥିଲା । କିନ୍ତୁ ମାଛମାନେ ବଗ ବଦଳିଯାଇଥିବା ପ୍ରକାଶ କରିଥିଲେ । ଏହାପରେ ମାଛମାନେ ବଗଠାରୁ ସାହାଯ୍ୟ ଭିକ୍ଷା କରିଥିଲେ । ବଗ ମଧ୍ୟ ସାହାଯ୍ୟ କରିବାକୁ ସଙ୍ଗେସଙ୍ଗେ ରାଜି ହୋଇଯାଇଥିଲା । ତେବେ ଉଭୟ ବଗ ଓ ମାଛ ମିଶି ଏକ ପ୍ଲାନ କରିଥିଲେ । ଯେଉଁଥିରେ ବଗ ମାଛଙ୍କୁ ଧରି ନିକଟସ୍ଥ ଏକ ପୋଖରୀକୁ ଉଡିକରି ଯିବ । ସେଠାରେ ଯଥେଷ୍ଟ ପାଣି ରହିଛି । ତେବେ ଯେଉଁ ଦିନ ମାଛ ମାନେ ଯିବା କଥା ସେଦିନ ସକାଳୁ ବଗ ଉଚିତ୍ ସମୟରେ ଆସି ପୋଖରୀ ପାଖରେ ପହଞ୍ଚିଥିଲା । ଏହାପରେ ମାଛ ବୁହାଯିବା ଆରମ୍ଭ ହେଲା । ସମସ୍ତ ମାଛକୁ ବଡ ଥଣ୍ଟରେ ଜାବୁଡି ଧରି ପୋଖରୀ ପାଖରୁ ଉଡିଯାଇଥାଏ। କିଛି ସମୟ ପରେ ଆସି ପୁଣିଥରେ ଦଳେ ମାଛଙ୍କୁ ଧରି ଉଡିଯାଉଥାଏ । ହେଲେ କଙ୍କଡାର ବଗ ଉପରେ ଯମା ବିଶ୍ବାସ ନଥିବାରୁ ସେ ସବୁଠାରୁ ପଛରେ ଯିବାକୁ ନିଷ୍ପତ୍ତି କରିଥିଲା । ଶେଷରେ କଙ୍କଡା ଯିବାକୁ ବାହାରିଲା । ତେବେ କଙ୍କଡ଼ା ବଗର ଥଣ୍ଟରେ ଯିବାକୁ ମନା କରିଥିଲା । ସେ ନିଜର ଦୁଇଗୋଡରେ ବଗର ବେକକୁ ଜାବୁଡି ଧରିଲା ଏବଂ ବଗ ଉଡିବା ଆରମ୍ଭ କରିଥିଲା । କିଛି ବାଟ ଯିବାପରେ କଙ୍କଡା ଦୂରରୁ ଦେଖିପାରିଲା କିଛି ସ୍ଥାନରେ ମାଛ କଣ୍ଟା ପଡିଛି । ମାଛ କଣ୍ଟା ଦେଖି କଙ୍କଡା ବଗର ଚାଲ ବୁଝିପାରିଲା । ତେଣୁ ସେ କାଳ ବିଳମ୍ବ ନକରି ବଗର ବେକକୁ ମୋଡି ପକାଇଲା । ବଗ ସେଠାରେ ହିଁ ଟଳି ପଡିଲା ଓ କଙ୍କଡାର ଜୀବନ ବଞ୍ଚିଗଲା । ବଗ ଚାଲ କରି ମାଛମାନଙ୍କ ବିଶ୍ବାସରେ ବିଷଦେଇ ସେମାନଙ୍କ ଜୀବନ ନେଇଥିଲା, ଯାହାର ଫଳ ସେ କଙ୍କଡା ହାତରୁ ପାଇଲା । ତେବେ ଏହି ଗପରୁ ଶିକ୍ଷା ମିଳିଲା କି ଆମେ ଜୀବନରେ କେବେ ବି ଶତ୍ରୁ ଉପରେ ବିଶ୍ବାସ କରିବା ଉଚିତ୍ ନୁହଁ । ଶତ୍ରୁର ମନ କେତେବେଳେ ବି ବଦଳି ଯାଇ ପାରେ ।